ଦଳ ଅପେକ୍ଷା ପୁଅଙ୍କୁ ଗୁରୁତ୍ବ : କମଲନାଥ, ଗେହଲଟ, ଚିଦମ୍ବରମ୍‌ଙ୍କୁ ରାହୁଲଙ୍କ ସମାଲୋଚନା

ନୂଆଦିଲ୍ଲୀ : କମଲନାଥ, ଅଶୋକ ଗେହଲଟ ଓ ପି ଚିଦମ୍ବରମଙ୍କ ଭଳି ଦଳୀୟ ନେତାଙ୍କ କାର୍ଯ୍ୟକଳାପକୁ ନେଇ କ୍ଷୁବ୍ଧ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଲୋକସଭା ନିର୍ବାଚନରେ ଏହି ନେତାମାନେ ଦଳ ଅପେକ୍ଷା ନିଜର ପୁଅମାନଙ୍କ ବିଜୟକୁ ଅଧିକ ଗୁରୁତ୍ବ ଦେଇଥିଲେ। ଶନିବାର ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ରାହୁଲ ଏହି ପ୍ରସଙ୍ଗ ଉପରେ ଗୁରୁତ୍ବ ଦେଇଥିଲେ। ପ୍ରଥମତଃ ଏହି ନେତାମାନେ ନିଜ ପୁଅଙ୍କ ଲାଗି ଦଳୀୟ ଟିକଟ ପାଇଁ ଲବି କରିଥିଲେ। ଟିକଟ ମିଳିବା ପରେ ପୁଅମାନେ କିପରି ବିଜୟୀ ହେବେ ତାକୁ ଗୁରୁତ୍ବ ଦେଇଥିଲେ। ଲୋକସଭା ନିର୍ବାଚନରେ କଂଗ୍ରେସ ମାତ୍ର ୫୨ଟି ଆସନରେ ବିଜୟୀ ହୋଇଛି। ରାଜସ୍ଥାନରେ ଅଶୋକ ଗେହଲଟଙ୍କ ପୁଅ ବୈଭବ ୨ଲକ୍ଷ ୭୦ହଜାର ଭୋଟରେ ପରାସ୍ତ ହୋଇଥିବାବେଳେ କମଲନାଥଙ୍କ ପୁଅ ନକୁଳ ମଧ୍ୟପ୍ରଦେଶ ଛିଣ୍ଡୱାଡା ଓ ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତି ତାମିଲନାଡୁର ଶିବଗଙ୍ଗା ଆସନରୁ ବିଜୟୀ ହୋଇଛନ୍ତି। କଂଗ୍ରେସରେ ପରିବାରବାଦ ରାଜନୀତି ଚାଲିଥିବା ନେଇ ବିରୋଧୀ ଦଳଗୁଡିକ ପକ୍ଷରୁ ସମାଲୋଚନା କରାଯାଇଆସୁଛି।

Comments are closed.