ଦୁବାଇରୁ ଗର୍ଜିଲେ ରାହୁଲ ‘ଭାରତରେ ବଢିଛି ଅସହିଷ୍ଣୁତା’

0

ନୂଆଦିଲ୍ଲୀ : ବିରୋଧୀଙ୍କ ମେଣ୍ଟ ରାଜନୀତିକୁ ନେଇ ଭାରତରେ ରାଜନୈତିକ ବାତାବରଣ ବେଶ ସରଗରମ ହୋଇଥିବା ବେଳେ ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁବାଇରୁ ଶାସକ ଦଳ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପିର ସାଢେ ଚାରି ବର୍ଷର ଶାସନକାଳ ମଧ୍ୟରେ ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଦେଶର ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଭାଜନ ସୃଷ୍ଟି ହୋଇଛି। କ୍ଷମତାରେ ଥିବା ଦଳର ମନୋଭାବ କାରଣରୁ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି ବୋଲି ରାହୁଲ ଦର୍ଶାଇଛନ୍ତି। ସଂଯୁକ୍ତ ଆରବ ଏମିରେଟସକୁ ନିଜର ପ୍ରଥମ ଗସ୍ତ କାଳରେ ରାହୁଲ କହିଛନ୍ତି ଭାରତ ବିଭିନ୍ନ ବିଚାରଧାରାର ପରିକଳ୍ପନା କରିଛି ଏବଂ ବିଭିନ୍ନ ବିଚାରଧାରାକୁ ନେଇ ଭାରତ ନୂତନ ରୂପରେଖ ନେଇଛି। ବିଭିନ୍ନ ବ୍ୟକ୍ତିଙ୍କ କଥାକୁ ଗୁରୁତ୍ବର ସହିତ ଶୁଣିବା ମଧ୍ୟ ଏକ ଭାରତୀୟ ବିଚାରଧାରା। ତେବେ ତାଙ୍କ ଦଳ ଏଭଳି ଦେଶ ଚାହେଁ ନାହିଁ ଯେଉଁଠାରେ ସାମ୍ବାଦିକଙ୍କୁ ହତ୍ୟା କରାଯାଏ ଏବଂ ନିଜର ଅଭିବ୍ୟକ୍ତି ପାଇଁ ସାଧାରଣ ଲୋକଙ୍କୁ ଜୀବନ ହରାଇବାକୁ ପଡେ। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାକୁ କଂଗ୍ରେସ ଚାହେଁ, ଯାହାକି ଆଗାମୀ ନିର୍ବାଚନରେ ଦଳ ପାଇଁ ବୃହତ ଚ୍ୟାଲେଞ୍ଜ ହେବ। ଭାରତରେ ସ୍ବାସ୍ଥ୍ୟସୁରକ୍ଷା ତଥା ବ୍ୟାଙ୍କିଙ୍ଗ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସମ୍ବନ୍ଧରେ ମଧ୍ୟ ରାହୁଲ ନିଜର ମତ ଉପସ୍ଥାପନ କରିଛନ୍ତି । ଏହି ଗସ୍ତ କାଳରେ ଶୁକ୍ରବାର ସେ ଦେଶର ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ ରଶିଦ ଅଲ ମକଟୋଉମଙ୍କୁ ଭେଟି ଦୃଢ ଦ୍ବିପାକ୍ଷିକ ସମ୍ପର୍କ ସ୍ଥାପନର ଆଶ୍ବାସନା ଦେଇଛନ୍ତି।

Pic. Courtesy : khaleej Times
Leave A Reply