ହାର୍ଦିକ, ରାହୁଲଙ୍କ ସହ ଆଲୋଚନା କଲେ ଜୋହରି

0

ନୂଆଦିଲ୍ଲୀ : ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ଅରୁଚିକର ମନ୍ତବ୍ୟ ପ୍ରଦାନ କରି ବିସିସିଆଇ ଦ୍ବାରା ବାସନ୍ଦ ହୋଇଥିବା ଭାରତୀୟ କ୍ରିକେଟର୍‌ ହାର୍ଦିକ ପାଣ୍ଡ୍ୟା ଓ କେଏଲ୍‌ ରାହୁଲଙ୍କ ସହ ବିସିସିଆଇର କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରି ଟେଲିଫୋନ୍‌ ଯୋଗେ ଆଲେଚନା କରିଛନ୍ତି।
ସୂଚନାଯୋଗ୍ୟ; ହାର୍ଦିକ ଓ ରାହୁଲଙ୍କୁ ବିସିସିଆଇ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଇଥିବା ବେଳେ ଉଭୟ ଖେଳାଳି ଲିଖିତ ଭାବେ କ୍ଷମାପ୍ରାର୍ଥନା କରିଛନ୍ତି। ତେବେ ଏ ସଂକ୍ରାନ୍ତରେ ତଦନ୍ତ କରାଯିବା ବାକିରହିଛି। ଉଭୟ କ୍ରିକେଟର୍‌ଙ୍କ ସହ ଜୋହରିଙ୍କ ଫୋନ୍‌ ଯୋଗେ ଆଲୋଚନା କରିବା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ଅଧିକାରୀ କହିଛନ୍ତି ହାର୍ଦିକ ଓ ରାହୁଲ ବିସିସିଆଇକୁ ଲିଖିତ ଭାବେ ଯେଉଁ ଉତ୍ତର ପ୍ରଦାନ କରିଛନ୍ତି ସେ ସଂପର୍କରେ ଜୋହରି କଥାବାର୍ତ୍ତା ହୋଇଥିଲେ। ଅନ୍ୟପକ୍ଷରେ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ଏପରି ମନ୍ତବ୍ୟ ଦେବାକୁ ଦୁଇ କ୍ରିକେଟର୍‌ଙ୍କୁ ସେମାନଙ୍କ ଏଜେଣ୍ଟ ପ୍ରବର୍ତ୍ତାଇଥିଲେ କି ନାହିଁ ସେ ସଂପର୍କରେ କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ) ତରଫରୁ କୌଣସି ପ୍ରଶ୍ନ କରାଯାଇନଥିବା ଅଧିକାରୀଜଣକ ସ୍ପଷ୍ଟ କରି ଦେଇଛନ୍ତି। ଏହି ଘଟଣାରେ ସିଓଏ ମୁଖ୍ୟ ବିନୋଦ ରାୟ ଉଭୟ ଖେଳାଳିଙ୍କୁ ୨ଟି ମ୍ୟାଚ୍‌ରୁ ବାସନ୍ଦ କରିବାକୁ ସୁପାରିସ କରିଥିଲେ। ସିଓଏର ସଦସ୍ୟା ଡାଏନା ଏଡୁଲଜିଙ୍କ ସହ ବିନୋଦଙ୍କ ମତପାର୍ଥକ୍ୟ ରହିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ସ୍ବତନ୍ତ୍ର ସାଧାରଣ ବୈଠକ ଡାକିବାକୁ କେତେକ ମହଲରୁ ଦାବି ହେଉଛି। ବିନୋଦ ରାୟ ମଧ୍ୟ ଏଡୁଲଜିଙ୍କୁ ଇ-ମେଲ୍ କରି ବିସିସିଆଇ ଯୁବ ଖେଳାଳିଙ୍କ କ୍ୟାରିୟର ଶେଷ କରିବାକୁ ଚାହୁଁ ନ ଥିବା ଦର୍ଶାଇଥିଲେ।

Leave A Reply