ଠକେଇର ଶିକାର ହେଲେ ଦ୍ରାବିଡ଼, ପୁଲିସରେ ଅଭିଯୋଗ

0

ବେଙ୍ଗାଲୁରୁ : ପୂର୍ବତନ ଭାରତୀୟ କ୍ରିକେଟ୍‌ର ରାହୁଲ ଦ୍ରାବିଡ଼ ଠକେଇର ଶିକାର ହୋଇଥିବା ବେଳେ ଏଥିନେଇ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି। ବେଙ୍ଗାଲୁରୁର ବିକ୍ରମ ଇନ୍‌ଭେଷ୍ଟର୍ସ ନାମକ ଏକ ଅର୍ଥଲଗାଣ ସଂସ୍ଥାରେ ଦ୍ରାବିଡ଼ ଟଙ୍କା ଜମା ରଖିଥିଲେ। କମ୍ପାନୀ ତରଫରୁ ଦ୍ରାବିଡଙ୍କ ସହ ପ୍ରାୟ ୮୦୦ ଜଣ ଜମାକାରୀଙ୍କୁ ବିପୁଳ ପରିମାଣର ସୁଧ ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ସୁଧ ତ ଦୂରକଥା ମୂଳ ଅର୍ଥ ଫେରି ପାଇନଥିବାରୁ ଦ୍ରାବିଡଙ୍କ ସମେତ ଅନେକ ଜମାକାରୀ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି।
ଦ୍ରାବିଡ଼ଙ୍କ ତରଫରୁ ସଦାଶିବ ନଗର ପୁଲିସ ଷ୍ଟେସନରେ ଦାୟର ଅଭିଯୋଗ ଅନୁଯାୟୀ ସେ ବିକ୍ରମ ଇନ୍‌ଭେଷ୍ଟର୍ସ ସଂସ୍ଥାରେ ୨୦ କୋଟି ଟଙ୍କା ଜମା ରଖିଥିଲେ। କମ୍ପାନୀ ତାଙ୍କୁ ୧୬ କୋଟି ଟଙ୍କା ଫେରାଇଥିବା ବେଳେ ବାକି ୪ କୋଟି ଟଙ୍କା ଫେରାଉ ନାହିଁ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହି ସଂସ୍ଥା କୋଟି କୋଟି ଟଙ୍କା ହଡପ କରିଥିବା ନେଇ ଆଶଙ୍କା କରାଯାଉଛି। ଗତ ୩ ତାରିଖରେ ପିଆର ବାଲାଜୀ ନାମକ ଜଣେ ଜମାକାରୀ ସଂପୃକ୍ତ ସଂସ୍ଥା ତାଙ୍କର ୧୧.୭୪ କୋଟି ଟଙ୍କା ଫେରାଉନଥିବା ଅଭିଯୋଗ କରି ପୁଲିସରେ ମାମଲା ଦାୟର କରିଥିଲେ। ପୁଲିସ ଇତିମଧ୍ୟରେ ସଂସ୍ଥାର ପରିଚାଳନା ନିର୍ଦେଶକ ରାଘବେନ୍ଦ୍ର ଶ୍ରୀନାଥଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି। ଶ୍ରୀନାଥ ଗିରଫ ହେବା ପରେ ପାଖାପାଖି ୧୦୦ ଜଣ ଜମାକାରୀ ପୁଲିସର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜମାକାରୀଙ୍କ ଅର୍ଥ ବିଦେଶ ପଠାଇ ଥିବା ପୁଲିସ କହିଛି। ବାର୍ଷିକ ୪୦ରୁ ୫୦ ପ୍ରତିଶତ ସୁଧ ପ୍ରଦାନର ଲୋଭ ଦେଖାଇ ସଂପୃକ୍ତ ସଂସ୍ଥା ଜମାକାରୀଙ୍କ ଠାରୁ ଶହଶହ କୋଟି ଟଙ୍କା ଆଦାୟ କରିଥିଲା।
ଦ୍ରାବିଡଙ୍କ ବ୍ୟତୀତ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ୍‌ ଓ ପ୍ରକାଶ ପାଦୁକୋନ୍‌ ମଧ୍ୟ ଏହି ସଂସ୍ଥାରେ ଅର୍ଥ ଜମା କରିଥିବା ଜଣାପଡ଼ିଛି। ଏହି କମ୍ପାନୀର ଅନ୍ୟତମ ମ୍ୟାନେଜର ସୁତରାମ ସୁରେଶ ଜଣେ କ୍ରୀଡ଼ା ସାମ୍ବାଦିକ ହୋଇଥିବାରୁ ସେ ଖେଳାଳିଙ୍କୁ ପ୍ରଲୋଭିତ କରି ଅର୍ଥ ସଂଗ୍ରହ କରିଥିବା କୁହାଯାଉଛି। ସୁରେଶ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି।

Leave A Reply