କଂଗ୍ରେସ ପାଇଁ କାଶ୍ମୀର କଟକଣା; ଶ୍ରୀନଗର ବିମାନବନ୍ଦରରେ ରାହୁଲଙ୍କ ସମେତ ଅନ୍ୟ ବିରୋଧୀ ନେତା ଅଟକ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାଠାରୁ ଏଠାରେ ବାହାର ରାଜ୍ୟର କଂଗ୍ରେସ ଓ ବିରୋଧୀ ନେତାଙ୍କ ଉପରେ କଟକଣା ଲଗାଯିବା ଭଳି ପରିସ୍ଥିତି ଉପୁଜିଛି। ଅନ୍ୟ ରାଜ୍ୟରୁ ଆସୁଥିବା କଂଗ୍ରେସ ନେତାମାନଙ୍କୁ ସହରରେ ପ୍ରବେଶ ଅନୁମତି ମିଳୁନାହିଁ। ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କୁ ଶ୍ରୀନଗର ବିମାନବନ୍ଦରରୁ ଫେରାଇ ଦିଆଯାଇଥିବାବେଳେ ଶନିବାର ପୁଣି ଥରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହଟହଟା ହୋଇଛନ୍ତି। ଶନିବାର ରାହୁଲ ତାଙ୍କ ଦଳୀୟ ନେତୃବୃନ୍ଦ ଏବଂ ଅନ୍ୟ ବିରୋଧୀ ଦଳର ପ୍ରତିନିଧିଙ୍କ ସହିତ ଜାମ୍ମୁ-କାଶ୍ମୀର ଗସ୍ତରେ ଆସି ଶ୍ରୀନଗର ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କୁ ସେଠାରେ ଅଟକ ରଖାଯିବା ପରେ ଫେରାଇ ଦିଆଯାଇଥିଲା। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ହଙ୍ଗାମା ସୃଷ୍ଟି ହୋଇଥିଲା। ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବିମାନବନ୍ଦରରୁ ବାହାରକୁ ଯିବାକୁ ଅନୁମତି ଦେଇ ନ ଥିଲା। ଫଳରେ ସମସ୍ତ ନେତା ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଭିଆଇପି ଲାଉଞ୍ଜରେ ବସିରହିଥିଲେ। ରାହୁଲଙ୍କ ସହିତ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଏନସିପି ନେତା ମାଜିଦ ମେମନ, ସିପିଆଇ ନେତା ଡି. ରାଜା, ଶରଦ ଯାଦବ ଏବଂ କେତେଜଣ ବରିଷ୍ଠ ରାଜନେତା ଜାମ୍ମୁ-କାଶ୍ମୀର ପରିସ୍ଥିତିକୁ ଅନୁଧ୍ୟାନ କରିବା ଲାଗି ଏଠାକୁ ଆସିଥିଲେ। ତେବେ ସେମାନେ ଗସ୍ତ କରିବା ପୂର୍ବରୁ ପ୍ରଶାସନ ଗସ୍ତ ବାତିଲ କରିବାକୁ ମଧ୍ୟ ନିବେଦନ କରିଥିଲା।

Comments are closed.