ମୁସଲମାନ ବୁଦ୍ଧିଜୀବୀଙ୍କ ସହ ରାହୁଲ ଗାନ୍ଧିଙ୍କ ବୈଠକ

0

ନୂଆଦିଲ୍ଲୀ : ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଭିନ୍ନ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ଭେଟି ଆଲୋଚନା କରୁଛନ୍ତି। ଏହି କ୍ରମରେ ବୁଧବାର ରାହୁଲ ଗାନ୍ଧି ମୁସଲମାନ ନରମପନ୍ଥୀ ବୁଦ୍ଧୀବୀ, ବିଚାରକ ଏବଂ ପେଶାଦାର ଲୋକଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ମୁସଲମାନ ବୁଦ୍ଧିଜୀବୀଙ୍କ ସହ ରାହୁଲ ଗାନ୍ଧି ପାଖାପାଖି ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ମୁସଲମାନ ବୁଦ୍ଧିଜୀବୀ ନିଜ ମତ ଓ ସମସ୍ୟା ରାହୁଲ ଗାନ୍ଧିଙ୍କୁ ଜଣାଇଥିଲେ। ଏହି ଅବସରରେ ରାହୁଲ ଗାନ୍ଧି ବିଜେପି ଏବଂ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ତେବେ ଆଲୋଚନା କାଳରେ ରାହୁଲ ସ୍ୱୀକାର କରିଥିଲେ ଯେ ପୂର୍ବତନ ଉପା ସରକାର ଲୋକଙ୍କ ଅଶାନୁସାରେ କାର୍ଯ୍ୟ କରିପାରିନଥିଲା। ଫଳରେ କଂଗ୍ରେସ ଏବଂ ମେଣ୍ଟକୁ ହାରିବାକୁ ପଡ଼ିଥିଲା। ମୁସଲମାନ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲିଗଡ଼ ମୁସଲିମ୍‍ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଜେଡ ଫୈଜାନ, ଶିକ୍ଷାବିତ୍‍ ଇଲିୟାଜ୍‍ ମଲିକ୍‍, ସାମାଜିକ କର୍ମୀ ଫରାହ ନକବୀ, ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ସୟଦ ହମିଦ୍‍, ଜେଏନ୍‍ୟୁ ପ୍ରଧ୍ୟାପକ ଜୋୟା ହସନ, ପୂର୍ବତନ ପ୍ରଶାସକ ଏମ୍‍ଏ ଫାରୁକି, ଐତିହାସିକ ଇରଫାନ୍‍ ହବିବ, ବ୍ୟବସାୟୀ ଜୁନୈଦ ରେହମାନ, ଅମୀର ମୋହମ୍ମଦ, ମୌଲାନା ମୁଫତି, ସଚ୍ଚର କମିଟିର ପୂର୍ବତନ ସଦସ୍ୟ ଜଫର ମହମ୍ମୁଦ, ଜାମିଆ ମିଲିଆ ସହ ଜଡ଼ିତ ଜଲିଲ, ରାଜା ମହମ୍ମୁଦାବାଦ, ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ଏବଂ କଂଗ୍ରେସ ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ନଦୀମ ଜାଭେଦ ଉପସ୍ଥିତ ଥିଲେ। ଆଲୋଚନା କାଳରେ ମୁସଲମାନ ବୁଦ୍ଧିଜୀବୀମାନେ ବର୍ତ୍ତମାନ ଦେଶରେ ଦେଖାଯାଉଥିବା ବେରୋଜଗାର, ଦରଦାମ ବୃଦ୍ଧି, ଶିକ୍ଷା ବ୍ୟବସ୍ଥାରେ ଅବନତି ପ୍ରସଙ୍ଗ ଉଠାଇଥିଲେ। ମୋଦୀ ସରକାର ଏସବୁ ପ୍ରସଙ୍ଗରେ ବିଫଳ ହୋଇଛି ଓ କେବଳ ତିନି ତଲାକ ପ୍ରସଙ୍ଗକୁ ଉଠାଇ ପ୍ରଶଂସା ନେବାକୁ ଚେଷ୍ଟା କରୁଛି ବୋଲି ସଲମାନ ଖୁର୍ସିଦ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Leave A Reply