୫୯ କୋଟି ଟଙ୍କା କମ୍‍ ମୂଲ୍ୟରେ ରାଫାଲେ କିଣୁଛି କେନ୍ଦ୍ର

0

ନୂଆଦିଲ୍ଲୀ : ଏନ୍‍ଡିଏ ସରକାର ଉଚିତ୍‍ ମୂଲ୍ୟଠାରୁ ବହୁ କୋଟି ଟଙ୍କା ଅଧିକ ଦରରେ ରାଫେଲ ଯୁଦ୍ଧ ବିମାନ କ୍ରୟ ନିମନ୍ତେ ଫ୍ରାନ୍ସ ସହ ରାଜିନାମା ସ୍ୱାକ୍ଷର କରିଛନ୍ତି ବୋଲି ଅଭିଯୋଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମଗ୍ର ଦେଶରେ ଏକପ୍ରକାର ହଇଚଇ ସୃଷ୍ଟି କରିଛନ୍ତି। ତାଙ୍କର ଅଭିଯୋଗକୁ ନେଇ ମୋଦୀ ସରକାର ସନ୍ଦେହ ଘେରକୁ ଆସିଛି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତା ରମଣଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ପଛାଇ ନାହାନ୍ତି। ମାତ୍ର ଏ ପ୍ରସଙ୍ଗରେ ସମ୍ପ୍ରତି ଭିନ୍ନ ତଥ୍ୟ ଲୋକଲୋଚନକୁ ଆସିଛି। ଚଳିତବର୍ଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଭାରତୀୟ ବାୟୁସେନା ଦ୍ୱାରା ପ୍ରସ୍ତୁତ କେତେକ ସରକାରୀ ଦସ୍ତାବିଜ୍‍ ଅନୁସାରେ କଂଗ୍ରେସ ନେତୃତ୍ୱାଧୀନ ପୂର୍ବତନ ୟୁପିଏ ସରକାର ତୁଳନାରେ ମୋଦୀ ସରକାର ପ୍ରତ୍ୟେକ ରାଫାଲେ ଯୁଦ୍ଧ ବିମାନ ୫୯ କୋଟି ଟଙ୍କା କମ୍‍ ମୂଲ୍ୟରେ କ୍ରୟ କରିଛନ୍ତି ବୋଲି ପ୍ରମୁଖ ଇଂରାଜୀ ଗଣମାଧ୍ୟମ ପ୍ରକାଶ କରିଛି।
ବିମାନରେ ଖଞ୍ଜଯାଇଥିବା ଯୁଦ୍ଧାସ୍ତ୍ର, ଏହାର ବାହକ, ରକ୍ଷଣାବେକ୍ଷଣ, ମରାମତି ଏବଂ ବୈଷୟିକ ସହଯୋଗ ବ୍ୟବସ୍ଥା ସମ୍ବନ୍ଧୀୟ ଖର୍ଚ୍ଚ ଆକଳନ ପରେ ରାଫେଲର ୟୁନିଟ୍‍ ପିଛା ମୂଲ୍ୟ ମୋଦୀ ସରକାର ୧,୬୪୬ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି; କିନ୍ତୁ ୟୁପିଏ ସରକାର ଏହି ମୂଲ୍ୟ ୧,୭୦୫ କୋଟି ଟଙ୍କା ସ୍ଥିର କରିଥିଲେ। ସେହିଭଳି ୩୬ଟି ରାଫାଲେ ଯୁଦ୍ଧ ବିମାନ କ୍ରାୟ ଲାଗି ମୋଦୀ ସରକାର ୫୯,୦୦୦ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ୟୁପିଏ ସରକାର ୧.୬୯ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ହିସାବ ଅନୁସାରେ ଏନ୍‍ଡିଏ ସରକାର ପ୍ରତି ରାଫେଲ ବିମାନ କ୍ରୟ ବାବଦ ୫୯ କୋଟି ଟଙ୍କା ବଞ୍ଚାଇ ପାରିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଅନ୍ୟପଟେ ଏନ୍‍ଡିଏ ସରକାରଙ୍କ ଦ୍ୱାରା କ୍ରୟ କରାଯାଉଥିବା ରାଫେଲ ବିମାନରେ ମେଟେଅର୍‍ ଏବଂ ସ୍କାଲପ୍‍ ଭଳି କ୍ଷେପଣାସ୍ତ୍ର ସଂଲଗ୍ନ ରହିଛି ଯାହାକି ୟୁପିଏ ଦ୍ୱାରା କ୍ରୟ ବିମାନରେ ନ ଥିଲା। ବର୍ତ୍ତମାନ ୩୬ଟି ରାଫେଲ ବିମାନର ମୋଟ ମୂଲ୍ୟ ୫୯,୨୬୨ କୋଟି ଟଙ୍କା ଧାର୍ଯ୍ୟ ରହିଛି; କିନ୍ତୁ ୟୁପିଏ ସମୟରେ ୧୨୬ଟି ବିମାନ କ୍ରୟ ନେଇ ହୋଇଥିବା ରାଜିନାମା ଅନୁସାରେ ଦେଶକୁ ୧,୭୨,୧୮୫ କୋଟି ଟଙ୍କା ବ୍ୟୟ କରିବାକୁ ପଡିଥାଆନ୍ତା। ମୋଦୀ ସରକାରଙ୍କ ଚୁକ୍ତି ଅନୁସାରେ ବିମାନଗୁଡିକର ବିଶେଷ ବ୍ୟବସ୍ଥା ନିମନ୍ତେ ୯,୮୫୫ କୋଟି ଟଙ୍କା ଅଧିକ ବ୍ୟୟ ହୋଇଥିଲେ ମଧ୍ୟ ପ୍ରତି ବିମାନ ପିଛା ମୂଲ୍ୟ ୟୁପିଏ ସରକାର ଦ୍ୱାରା ଧାର୍ଯ୍ୟ ମୂଲ୍ୟଠାରୁ ୫୯ କୋଟି ଟଙ୍କା କମ୍‍ ରହିଥିବା ଦର୍ଶାଯାଇଛି।
ରାଫେଲ ବିମାନ ମୂଲ୍ୟ ବିଷୟରେ ଗୋପନୀୟତା ରକ୍ଷା କରିବା ନିମନ୍ତେ ୨୦୦୮ରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଜିନାମାରେ ସର୍ତ୍ତ ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ଲୋକସଭାରେ ରାହୁଲଙ୍କ ଅଭିଯୋଗର ଉତ୍ତର ଦେଇ କହିଥିଲେ। ମାତ୍ର ଏଭଳି କୌଣସି ସର୍ତ୍ତ ରାଜିନାମାରେ ନାହିଁ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‍ ମାକ୍ରୋନ୍‍ ବ୍ୟକ୍ତିଗତ ଭାବେ ତାଙ୍କୁ କହିଥିବା ରାହୁଲ ଦର୍ଶାଇଥିଲେ। ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଗୃହକୁ ମିଥ୍ୟା ତଥ୍ୟ ପ୍ରଦାନ କରୁଥିବା ଦର୍ଶାଇ କଂଗ୍ରେସ ସେମାନଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲା।

Leave A Reply