ରାଫେଲ ପ୍ରସଙ୍ଗରେ କଂଗ୍ରେସକୁ ବିଭ୍ରାନ୍ତ କରାଯାଇଛି: ଅନୀଲ ଅମ୍ବାନି

0

ମୁ୍‍ମ୍ବଇ: ରାଫେଲ୍‍ ବିମାନ କ୍ରୟ ଚୁକ୍ତିନାମା ପ୍ରସଙ୍ଗରେ କଂଗ୍ରେସକୁ ଭୁଲ୍‍ ତଥ୍ୟ ଦିଆଯାଇଛି ବୋଲି ରିଲାଏନ୍ସ ଇନ୍‍ଫ୍ରାଷ୍ଟ୍ରକ୍‍ଚର ଲିମିଟେଡ୍‍ର ଅଧ୍ୟକ୍ଷ ଅନୀଲ୍‍ ଅମ୍ବାନି କହିଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧିଙ୍କ ନିକଟକୁ ଅନୀଲ୍‍ ଏକ ପତ୍ର ଲେଖିଛନ୍ତି।
ଉକ୍ତ ପତ୍ରରେ ଅନୀଲ୍‍ ଉଲ୍ଳେଖ କରିଛନ୍ତି ଯେ ବ୍ୟବସାୟିକ ସ୍ୱାର୍ଥ ଓ ଈର୍ଷା କାରଣରୁ ତାଙ୍କ ବ୍ୟବସାୟିକ ପ୍ରତିଯୋଗୀମାନେ ରାଫେଲ୍‍ ଚୁକ୍ତିକୁ ନେଇ ଅପପ୍ରଚାର କରିବା ସହିତ କଂଗ୍ରେସକୁ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି। ଗତ କିଛି ଦିନ ହେଲା ତାଙ୍କୁ ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଆକ୍ଷେପ ଓ ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଛି।
୨୦୧୫, ଏପ୍ରିଲ୍‍ ୧୦ ତାରିଖରେ ୩୬ଟି ରାଫେଲ୍‍ ବିମାନ କ୍ରୟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ଏହାର ମାତ୍ର ୧୦ ଦିନ ପୂର୍ବରୁ ରିଲାଏନ୍ସର ଯୌଥ ଉଦ୍ୟୋଗ ଡାସାଲ୍ଟ୍‍ ରିଲାଏନ୍ସ ଜନ୍ମ ନେଇଥିଲା ବୋଲି ରାହୁଲ୍‍ ଗାନ୍ଧି ଅଭିଯୋଗ କରି ଆସୁଛନ୍ତି। ଏହାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଅନୀଲ୍‍ କହିଛନ୍ତି ଯେ ରାଫେଲ୍‍ ବିମାନ ନିର୍ମାଣ ରିଲାଏନ୍ସ କିମ୍ବା ଡାସାଲ୍ଟ୍‍ ରିଲାଏନ୍ସ ଦ୍ୱାରା କରାଯାଉନାହିଁ। ସମସ୍ତ ଜେଟ୍‍ ଫ୍ରାନ୍ସରେ ହିଁ ନିର୍ମାଣ ହେବ ଓ ସେଠାରୁ ଭାରତକୁ ରପ୍ତାନି ହେବ। ରାହୁଲ୍‍ ଗାନ୍ଧି ଓ କଂଗ୍ରେସକୁ ଦିଆଯାଇଥିବା ଏହି ତଥ୍ୟ ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ଓ ଭିତ୍ତିହୀନ। ୨୦୧୪ ଡିସେମ୍ବର-୨୦୧୫ ଜାନୁଆରୀରେ ରିଲାଏନ୍ସ ଗ୍ରୁପ୍‍ ପ୍ରତିରକ୍ଷା ସାମଗ୍ରୀ କାରବାର କ୍ଷେତ୍ରରେ ପ୍ରବେଶ ପାଇଁ ନିଷ୍ପତ୍ତି ନେଇଥିଲା। ଏ ସମ୍ପର୍କରେ ଷ୍ଟକ୍‍ ମାର୍କେଟକୁ ସୂଚିତ କରାଯାଇଥିଲା। ଭାରତ ସରକାରଙ୍କ ବାଣିଜ୍ୟ ନୀତି ଆଧାରରେ ପ୍ରତିରକ୍ଷା ସାମଗ୍ରୀ ଓ ଉପକରଣ ଆମଦାନୀ ଓ ରପ୍ତାନି ଉଦ୍ଦେଶ୍ୟରେ ହିଁ ଏହି ଉଦ୍ୟୋଗ ପ୍ରତିଷ୍ଠା ହୋଇଛି। ଏହି ନୀତି ଉପା ସରକାର ଅମଳରେ ୨୦୦୫ରେ ହିଁ ପ୍ରଣୀତ ହୋଇଥିଲା ବୋଲି ଅନୀଲ୍‍ କହିଛନ୍ତି।
ସୂଚନାଯୋଗ୍ୟ, ରାଫାଲ୍‍ ଚୁକ୍ତିରେ ଦେଶର ରାଜକୋଷର ୪୧ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ। ଏହା ବିରୋଧରେ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‍ ଗାନ୍ଧି କହିଛନ୍ତି।

Leave A Reply