ପୁରୀ ଘୋଷଯାତ୍ରା: ଶରଧାବାଲିରୁ…

0

ଗ୍ରାହକଙ୍କ ଭିଡ଼ ଜମୁଛି

ପୁରୀ: ତିନିଦିନ ଧରି ଲଘୁଚାପ ବର୍ଷା ଯୋଗୁଁ ପଲ୍ଲୀଶ୍ରୀ ମେଳାରେ ଗ୍ରାହକଙ୍କ ଭିଡ ନଥିଲା । ଦୋକାନ ବଜାର ବନ୍ଦକରି ବସି ରହିଥିଲେ ଦେଶର ୧୫ଟି ରାଜ୍ୟରୁ ଆସିଥିବା ବ୍ୟବସାୟୀ । ମଙ୍ଗଳବାର ପାଗରେ ପରିବର୍ତ୍ତନ ହୋଇଛି । ପଲ୍ଲିଶ୍ରୀ ମେଳାରେ ଗ୍ରାହକଙ୍କ ଭିଡ ଜମିବାରେ ଲାଗିଛି । ପ୍ରମୁଖ ଆକର୍ଷଣ ପାଲଟିଛି କାଗଜ ପୁଲ । ଅସଲି ଫୁଲଠାରୁ ଏହାର ଚାହିଦା କିଛି କମ ନୁହେଁ । ଭେଲଭେଟ, କାଗଜ, କନା ଏବଂ ପ୍ଲାଷ୍ଟିକରେ ରଙ୍ଗ ବେରଙ୍ଗର ମନଲୋଭା ଫୁଲ ପ୍ରସ୍ତୁତ କରାଯାଇଛି । ସେଥିରେ ଗୋଲାପ, ସୂର୍ଯ୍ୟମୁଖୀ, ଡାଲିଆ, ଗେଣ୍ଡୁ, ଟଗର, ମଲ୍ଲୀ, ପାଇନ, ମୋତିଷ୍ଠିକ ଏବଂ ପଦ୍ମଫୁଲ ରହିଛି । ପ୍ଲାଷ୍ଟିକ ନିର୍ମିତ ଗଛ ଡାଳ ଓ ପତ୍ର ଅସଲି କି ନକଲି ସେଥିନେଇ ଭ୍ରମ ସୃଷ୍ଟିକରୁଛି । ପଶ୍ଚିମବଙ୍ଗ ଶୋଭାବଜାର ଅଞ୍ଚଳର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଫୁଲର ସମ୍ଭାର ପଲ୍ଲିଶ୍ରୀମେଳାରେ ସ୍ଥାନ ପାଇଛି ।

ମହିଳାଙ୍କ ପସନ୍ଦ ପାପୋଚ୍ଛ

ପଲ୍ଲିଶ୍ରୀ ମେଳାରେ ବେଶୀ ଭିଡ ଜମିଛି ମହିଳାଙ୍କ ପାପୋଛ ଦୋକାନରେ । ଏହା ଗୃହିଣୀ ମାନଙ୍କ ଆବଶ୍ୟକତା ରହିଛି । ଉତ୍ତରପ୍ରଦେଶରୁ ଆସିଥିବା ବ୍ୟବସାୟୀମାନେ ଏହାକୁ ବିକ୍ରି କରୁଛନ୍ତି । ଯଦି ପାଗ ଭଲରୁହେ ତାହାହେଲେ ବ୍ୟବସାୟ ଭଲ ହେବ ବୋଲି ପାପୋଛ ପ୍ରସ୍ତୁତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।

ବାଇଆ ବସା, ଭଲ ବେଉସା

ପଲ୍ଲୀଶ୍ରୀମେଳା ପଡିଆରେ ସୁଲୁସୁଲିଆ ପବନରେ ଝୁଲୁଛି ବାଇ ଚଢେଇ । ବସା ଭିତରେ ମୁଣ୍ଡକାଢି ସତେ ଯେପରି ଯାଉଥିବା ବାଟୋଇଙ୍କୁ ଅନେଇ ରହିଛି । ଘରେ ଟଙ୍ଗାଇବା ପାଇଁ ଗ୍ରାହକମାନଙ୍କ ଚାହିଦା ବଢିବାରେ ଲାଗିଛି ବାଇ ଚଢେଇ ବସା ନିକଟରେ । ସତ୍ୟବାଦୀ ସାରଙ୍ଗଯୋଡି ବଳପୁର ମା’ମଙ୍ଗଳା ଶକ୍ତି ଚିତ୍ରକର ସ୍ୱୟଂସହାୟକ ଗୋଷ୍ଠିର ମହିଳା ମାନଙ୍କ ଦ୍ୱାରା ନଡିଆକତାରେ ଏହା ପ୍ରସ୍ତୁତ କରାଯାଇଛି ।

ବେତ ସାମଗ୍ରୀର ଚାହିଦା

ପଲ୍ଲୀଶ୍ରୀ ମେଳାରେ ପଡିଥିବା ବେତ ସାମଗ୍ରୀ ଉପରେ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି । ବେତର ଫୁଲଦାନୀଠାରୁ ଆରମ୍ଭ କରି ସୋଫାସେଟ୍‍ ଓ ଦୋଳୀ ପର୍ଯ୍ୟନ୍ତ ପଡିଛି ମେଳା ପଡିଆରେ । ଗ୍ରାହକମାନେ ବୁଲିବୁଲି ଦେଖୁଛନ୍ତି ବେତର ବିଭିନ୍ନ ସାମଗ୍ରୀକୁ । ପୁରୀ ସମୁଦ୍ରକୂଳିଆ ହୋଇଥିବାରୁ ଲୁଣି ହାୱାରେ ବିଭିନ୍ନ ଘର ଉପକରଣ ସାମଗ୍ରୀ ନଷ୍ଟ ହେବାର ସମ୍ଭାବନା ରହିଛି । ସେଥିଯୋଗୁଁ ବେତର ବିଭିନ୍ନ ସାମଗ୍ରୀର ଗ୍ରାହକମାନେ କିଣୁଥିବାର ଦେଖିବାକୁ ମିଳୁଛି । କଟକ ଜାଗ୍ରୁତି ମିଶନ ଶକ୍ତିର କର୍ମକର୍ତ୍ତାମାନେ ବେତ ଜିନିଷ ଧରି ଏଠାକୁ ଆସିଛନ୍ତି । ୧୫ ବର୍ଷଧରି ସଂପୃକ୍ତ ସଂସ୍ଥା ପଲ୍ଲିଶ୍ରୀ ମେଳରେ ସାମିଲ ହେଉଛି ।

କଳା ଠାକୁର, ବଡ଼ ଦେଉଳ ସୁରକ୍ଷା କର

ପୁରୀ ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ନିୟୋଜିତ କରାଯାଇଥିବା ସୁରକ୍ଷା କର୍ମଚାରୀ ନିରୀକ୍ଷଣ ଟାୱାରରେ କେହି ନାହାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ୯ ଦିନପାଇଁ ଘୋଷଯାତ୍ରାରେ ଶ୍ରୀଗୁଣ୍ଡିଚା ଜନ୍ମବେଦୀକୁ ଯାଇଛନ୍ତି । ଏଣେ ବଡ ଦେଉଳ ଉପରେ ଯେଉଁମାନଙ୍କ ଉପରେ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ କରାଯାଇଛି ସେମାନେ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ପରିଲକ୍ଷିତ ହୋଇଛି । ଗୁଜରାଟର ଅକ୍ଷରଧାମ ଉପରେ ଯେତେବେଳେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଥିଲା ଭାରତର ପ୍ରମୁଖ ମନ୍ଦିରଗୁଡିକରେ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରତି ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ଥିବା କେନ୍ଦ୍ର ଗୁଇନ୍ଦା ବିଭାଗ ମଧ୍ୟ ସୂଚନା ଦେଇଛନ୍ତି । ଏହାକୁ ଆଧାର କରି ଶ୍ରୀମନ୍ଦିର ଚତୁଃପାର୍ଶରେ ଗତ ୫ବର୍ଷ ପୂର୍ବେି ୪ଟି ୱାଚ ଟାୱାର ନିର୍ମାଣ କରାଯାଇଥିଲା । ଶ୍ରୀମନ୍ଦିର ଚତୁଃପାର୍ଶରେ ୪ଟି ଟାୱାର ନିର୍ମାଣ କରାଯାଇ ୨୪ ଘଣ୍ଟିଆ ପ୍ରହରା ଦେବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସିଂହଦ୍ୱାର ଆଗରେ ଯେଉଁ ଟାୱାର ରହିଛି ସେଠାରେ କେହି ପ୍ରହରାରତ ସୁରକ୍ଷା କର୍ମଚାରୀ ନଥିବା ଦେଖିବାକୁ ମିଳିଛି । ଓଡ଼ିଶାବାସୀଙ୍କ ବିଶ୍ୱାସର ବଡଦେଉଳ ପ୍ରତି ଏଭଳି ଅବହେଳା ଗ୍ରହଣୀୟ ନୁହେଁ । ଅବଶ୍ୟ ମନ୍ଦିରର ୪ ଦ୍ୱାରରେ ରାଜ୍ୟ ପୁଲିସର ସିପାହିମାନେ ଅଛନ୍ତି କିନ୍ତୁ ନିରୀକ୍ଷଣ ଟାୱାରରେ କେହି ନାହାଁନ୍ତି ।

ବେଳାଭୂମିରେ ନାଥ ନଥାଇ ରଥ

ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ରେଣୁରେ ବି ପୁଣ୍ୟ ଭରି ରହିଛି । ରଥାରୁଢ଼ ଜଗନ୍ନାଥଙ୍କୁ ଦର୍ଶନ କଲେ ଅନେକ ଜନ୍ମର ପାପ କ୍ଷୟ ଯାଏ । ତେବେ ବଳରାମ ଦାସ ସେବାୟତଙ୍କ ବାରଣ ଯୋଗୁଁ ରଥରେ ଜଗନ୍ନାଥଙ୍କୁ ଦର୍ଶନ କରି ରଥ ଟାଣିବାରେ ବଞ୍ଚିତ ହୋଇ ବେଳାଭୂମିରେ ବାଲୁକା ରଥ ନିର୍ମାଣ କରିଥିଲେ । ସେହି ରଥରେ ଠାକୁରେ ବିରାଜମାନ ହୋଇଥିଲେ। ଏବେ ବାଲୁକା ଶିଳ୍ପୀମାନେ ମଧ୍ୟ ରଥ ଓ ଶ୍ରୀଜଗନ୍ନାଥଙ୍କ ପ୍ରତିଛବିବାଲିରେ ନିର୍ମାଣ କରୁଛନ୍ତି। ବିଶ୍ୱାସର ବେଳାଭୂମିରେ ବ୍ୟବସାୟ ପ୍ରସାର ପାଇଁ ବାଲୁକା ଭୂମି ଉପରେ ଏକ ଆକର୍ଷଣୀୟ ହାଲୁକା ରଥଟିଏ ନିର୍ମାଣ ହୋଇଛି । ଛୋଟ ଛୋଟ କାଠ ଖଣ୍ଡରେ ନିର୍ମିତ ରଥରେ ସୋଲର ଚକ ଲାଗିଛି। ଏହି ରଥରେ ଜଗନ୍ନାଥ ନାହାନ୍ତି, କେହି ମୁଣ୍ଡିଆ ମାରୁନାହାନ୍ତି ସତ ହେଲେ ପର୍ଯ୍ୟଟକଙ୍କ ଦୃଷ୍ଟିଆକର୍ଷଣ କରୁଛି ।

ଚେୟାରରେ ବସିଲେ ୨୦,ଗାଡ଼ି ଥୋଇଲେ ୩୦

ସମୁଦ୍ରର ନୀଳ ଜଳରାଶି ଓ ଅନ୍ତହୀନ ଅନନ୍ତ ଆକାଶକୁ ଦର୍ଶକ ଘଡ଼ିଏ ବସି ଅନାଇଲେ ବିଭୋର ହୋଇ ଉଠେ । ପ୍ରକୃତିର ପ୍ରତିଛବି ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନେ କିଏ ବାଲୁକା ବେଳାଭୁମିରେ ବସି ଅବଲୋକନ କରୁଥାଏ ତ କିଏ ଚେୟାରରେ ବସି ମହୋଦଧିର ଅପରୂପ ଦୃଶ୍ୟରେ ନିମଗ୍ନ । ସମୁଦ୍ର କୂଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ବ୍ୟକ୍ତି ଚେୟାର ପକାଇ ଭଡ଼ା ଦେଉଛନ୍ତି । ଛୋଟିଆ ପାଲଟିଏ ଟାଣି ତଳେ ୫-୬ଟି ଚେୟାର ପଡ଼ିଛି । ଗୋଟିଏ ଚେୟାରରେ ବସିଲେ ୧ ଘଣ୍ଟାକୁ ୨୦ ଟଙ୍କା ପର୍ଯ୍ୟଟକଙ୍କୁ ଦେବାକୁ ପଡୁଛି । ବତିଘର ନିକଟରେ ଗାଡ଼ି ଷ୍ଟାଣ୍ଡ ରହିଛି । ଏଠାରେ ଦୁଇଚକିଆ ରଖନ୍ତୁ କିମ୍ବା ଚାର ଚକିଆ ଯାନ ପାଇଁ ୩୦ ଟଙ୍କା ଦେବାକୁ ପଡୁଛି ।

Leave A Reply