ଧର୍ମକୁ ନେଇ ରାଜନୀତି ଅନାବଶ୍ୟକ: ଶଙ୍କରାଚାର୍ଯ୍ୟ

0

କଲକାତା : ସୋମବାର ଗଙ୍ଗାସାଗର ପୁଣ୍ୟ ବୁଡ଼, ଏହି ଉପଲକ୍ଷେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଗଙ୍ଗାସାଗର ମେଳା ପରିସରକୁ ଉପସ୍ଥିତ ହୋଇ ଆଜି ସକାଳେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଗଙ୍ଗାସାଗର ମେଳାରେ କୌଣସି ଜାତି, ଧର୍ମ ଓ ବର୍ଣ୍ଣର ବିଭେଦ ନାହିଁ। କପିଳମୁନି ଯେଉଁ ଶାନ୍ତି ଓ ସାଧନାର ମନ୍ତ୍ର ଉପସ୍ଥାପନ କରିଥିଲେ, ତାହା ଆହୁରି ପ୍ରସାରିତ କରିବାର ଆବଶ୍ୟକତା ରହିଛି। ଧର୍ମକୁ ନେଇ ବିଭାଜନ ଆଦୌ ସମର୍ଥନ ଯୋଗ୍ୟ ନୁହେଁ; କିନ୍ତୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଏହା କରାଯାଉଥିବାରୁ ତାହା ସ୍ୱାଗତଯୋଗ୍ୟ ନୁହେଁ। ପୁରୀ ଶଙ୍କରାଚାର୍ଯ୍ୟ ସାମ୍ବାଦିକମାନଙ୍କୁ ଆହୁରି କହିଛନ୍ତି ଯେ
ପୁରୀ ଜଗନ୍ନାଥ ମନ୍ଦିରରେ ଧାଡ଼ି ଦର୍ଶନ ଏବଂ ଭକ୍ତଙ୍କ ଟିକଟ କାଟିବା ପ୍ରସଙ୍ଗକୁ ଅଧିକ ଜଟିଳ କରାଯିବା ଅନୁଚିତ। କାରଣ ଏହା ମନ୍ଦିର ପରିଚାଳନାର ଦାୟିତ୍ୱ। ତେବେ ସ୍ୱଚ୍ଛ ଭାବେ ଯେପରି ଏହି ବ୍ୟବସ୍ଥା ଗ୍ରହଣ କରାଯାଇପାରେ ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ୍‍। ସେ କହିଥିଲେ ଯେ ଧର୍ମକୁ ନେଇ ରାଜନୀତି କରାଯିବା ଅନାବଶ୍ୟକ। ତାଙ୍କର ଯଦି ମତାମତ ନିଆଯାଏ ତେବେ କେଉଁଠି ରାମ ମନ୍ଦିର ଓ କେଉଁଠି ମସଜିଦ୍‍ ତିଆର ହେବ ତାହା ସେ ସହଜରେ ନିର୍ଣ୍ଣୟ କରିଦେବେ। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କଠୁ କୌଣସି ମତାମତ ନିଆଯାଇ ନାହିଁ, ଅପରନ୍ତୁ ଏହି ବିଷୟକୁ ନେଇ ସଂକୀର୍ଣ୍ଣ ରାଜନୀତି କରାଯାଉଛି। ସେ ଆହୁରି କହିଛନ୍ତି ଯେ ନୀତି ଧର୍ମ ହେଉଛି ରାଜନୀତିର ପ୍ରତିଧ୍ୱନି, ଯଥାର୍ଥରେ ରାଜନୀତି ହେଉଛି ଧର୍ମ ନୀତି। ବେଦାନ୍ତ ସିଦ୍ଦାନ୍ତକୁ ବାସ୍ତବ ରୂପ ଦେଇପାରିଲେ ସମୃଦ୍ଧ ଏବଂ ସ୍ୱଭିମାନୀ ଭାରତବର୍ଷ ଗଠନ ସମ୍ଭବ ହେବ। ସେହିପରି ବୈଦିକ ରୀତି ସଦାସର୍ବଦା ବିଦ୍ୟମାନ। କେତେକ ସମୟରେ କମ୍ପ୍ୟୁଟର ଏହାକୁ ବ୍ୟତିକ୍ରମୀ ରୂପ ଦେଉଥିଲେ ସୁଦ୍ଦା ଏହାର ସ୍ୱତନ୍ତ୍ରତା ଉପରେ ଆଘାତ ଆଣିପାରିବ ନାହିଁ। ସେହିପରି ହିନ୍ଦୁ ଧର୍ମକୁ ଯଥାଯଥ ଭାବେ ପ୍ରୋତ୍ସାହନ ଦେବା ଉଚିତ୍‍, ଯେଉଁଥିରେ କି ସାଂପ୍ରତିକ ପରିବେଶରେ କିଛି ମାତ୍ରାରେ ଅଭାବ ରହିଛି। ଏହା ସହିତ ପର୍ଯ୍ୟଟନ ସ୍ଥଳିକୁ ସ୍ୱତନ୍ତ୍ର ନୀତି ନିୟମ ମଧ୍ୟରେ ରଖିବା ଉଚିତ୍‍।
ଗଙ୍ଗାସାଗର ସମ୍ବନ୍ଧରେ ପୁରୀ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ ଯେ ଶ୍ରଦ୍ଧାଳୁମାନେ ଅତୀତର ଯେଉଁ ପୌରାଣିକ ଉପାଖ୍ୟାନ ଉପରେ ଗୁରୁତ୍ୱ ଦେଇ ଏଠାକୁ ଛୁଟି ଆସିଛନ୍ତି ତାର ମର୍ମାର୍ଥକୁ ଗ୍ରହଣ କରିବା ଉଚିତ୍‍। ଏହା ମଧ୍ୟରେ ହିଁ ଭାରତୀୟ ସନାତନ ଧର୍ମର ତ୍ୟାଗ, ନିଷ୍ଠା ଓ ସମର୍ପଣ ଭାବ ନିହିତ ରହିଛି। ବିଶେଷ କରି ପିତୃପୁରୁଷଙ୍କ ପ୍ରତି ଦାୟଦଙ୍କ କର୍ତ୍ତବ୍ୟ ମଧ୍ୟ ଏହି ଗଙ୍ଗାସାଗର ଉପାଖ୍ୟାନରୁ ଅନୁଭବ ହୁଏ।

Leave A Reply