www.samajalive.in
Sunday, December 14, 2025
26.1 C
Bhubaneswar

ପୁରୀ ବେଳାଭୂମିରେ ହକି ବିଶ୍ୱକପ ମାସ୍କଟ୍‍ ଓଲି ଉନ୍ମୋଚିତ

ପୁରୀ : ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ରେ ଆୟୋଜନ ହେବ ପୁରୁଷ ହକି ବିଶ୍ୱକପ୍‍। ଦେଶବିଦେଶରେ ଏହି ବିଶ୍ୱକପ୍‍ର ପ୍ରଚାର ଓ ପ୍ରସାର କରିବା ସହ ଏହାକୁ ଲୋକପ୍ରିୟ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନା କରିବାରେ ଲାଗିଛନ୍ତି। ଏହା ଅନ୍ତର୍ଗତ ଉକ୍ତ ବିଶ୍ୱକପ୍‍ର ମାସ୍କଟ୍‍ ‘ଓଲି’ କୁ ମଙ୍ଗଳବାର ପୁରୀ ବେଳାଭୂମିରେ ଉନ୍ମୋଚନ କରାଯାଇଛି। ବେଳାଭୂମିକୁ ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କ ପାଖରେ ୨୦୧୮ ହକି ବିଶ୍ୱକପ୍‍ର ବାର୍ତ୍ତା ପହଞ୍ଚାଇବା ଲକ୍ଷ୍ୟରେ ବେଳାଭୂମିରେ ହକି ବିଶ୍ୱକପ୍‍ର ମାସ୍କଟ୍‍ ଉନ୍ମୋଚନ ହୋଇଛି।
ଏହି ଉନ୍ମୋଚନ ଉତ୍ସବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବିଧାୟକ ସଞ୍ଜୟ କୁମାର ଦାସବର୍ମା ଓ ଜିଲାପାଳ ଜ୍ୟୋତିପ୍ରକାଶ ଦାସ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ କହିଥିଲେ, ହକି ବିଶ୍ୱକପ ଓଡ଼ିଶାକୁ ଆନ୍ତର୍ଜାତୀୟ ସ୍ତରରେ ସଫଳତା ଓ ସୁନାମ ଆଣିଦେବ। ରାଜ୍ୟ ସରକାର ଏହାର ପ୍ରାୟୋଜକ ଥିବାରୁ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଗର୍ବର ବିଷୟ। କ୍ରୀଡା ଭିତ୍ତିଭୂମି ବିକାଶ ପ୍ରତି ରାଜ୍ୟ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ୧୪ଶ ପୁରୁଷ ହକି ବିଶ୍ୱକପ୍‍ରେ ୧୬ଟି ଦେଶର ଦଳ ଭାଗନେବେ। ନଭେମ୍ବର ୨୭ରେ ଏହାର କାର୍ଯ୍ୟକ୍ରମ ଉଦ୍‍ଘାଟନ ଓ ୨୮ରୁ ଖେଳ ଆରମ୍ଭ ହେବବୋଲି ମନ୍ତ୍ରୀ ଶ୍ରୀବେହେରା ସୂଚନା ଦେଇଛନ୍ତି। ହକି ବିଶ୍ୱକପ ମାସ୍କଟ (ଓଲି)କୁ ଦେଖିବା ପାଇଁ ପୁରୀ ବେଳାଭୂମିରେ କ୍ରୀଡାପ୍ରେମୀ ଏବଂ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ଉନ୍ମୋଚନ ପୂର୍ବରୁ ଓଲି ଏକ ୱାଟର ସ୍କୁଟର ଯୋଗେ ସମୁଦ୍ରରୁ ଆସିବା ଦୃଶ୍ୟ ସମବେତ ଜନତାଙ୍କୁ ବିଭୋର କରିଥିଲା। ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ, ସହକାରୀ ପର୍ଯ୍ୟଟନ ନିର୍ଦେଶକ ବିଜୟ କୁମାର ଜେନା, ଅନ୍ତର୍ଜାତୀୟ ସନ୍ତରଣକାରୀ ସବୀର ବକ୍ସ ଏବଂ ଜିଲା କ୍ରୀଡା ଅଧିକାରୀ ନାରାୟଣ ବେହେରା ସମାରୋହରେ ଉପସ୍ଥିତ ଥିଲେ। ଅବଦୁଲ ସେଖ୍‍, ହରେଶ କୁମାର ମିଶ୍ର ଓ ସବ୍ୟସାଚୀ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories