ସହମତିରେ ଉଚ୍ଛେଦ କର

ଶ୍ରୀଜଗନ୍ନାଥ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ : ସହମତି ଭିତ୍ତିରେ ଶ୍ରୀଜଗନ୍ନାଥ ମନ୍ଦିର ଚାରିପଟୁ ଉଚ୍ଛେଦ କରିବାକୁ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମାମଲାର ଶୁଣାଣି ବେଳେ ସ୍ୱତନ୍ତ୍ର ଧାର୍ମିକ ଓ ଐତିହାସିକ ମହତ୍ୱ ବହନ କରୁଥିବା ତିନି ଚାରି ଶହ ବର୍ଷର ମଠ ଗୁଡ଼ିକର ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ବିନୀତ ସରଣ ଓ ବିଚାରପତି ରବିନ୍ଦ୍ର ଆର ଭଟ୍ଟଙ୍କ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ। ଯେଭଳି ଢ଼ଙ୍ଗରେ ମଠ ଗୁଡ଼ିକର ଉଚ୍ଛେଦ ହୋଇଛି ସେଥିପ୍ରତି ନାପସନ୍ଦ କରି ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ସମସ୍ତ ପକ୍ଷ ସହ ଆଲୋଚନା କରି ଉଚ୍ଛେଦ ଅଭିଯାନର ରୂପରେଖ ନିର୍ଣ୍ଣୟ କରିବାକୁ ଖଣ୍ଡପୀଠ ପରାମର୍ଶ ଦେଇଥିଲେ। ଦର୍ଶାଇଥିଲେ ଯେ ପ୍ରଶାସନର ଉଚ୍ଛେଦ ଅଭିଯାନ ଦ୍ୱାରା କେବଳ ମଠ ଗୁଡ଼ିକ କ୍ଷତିଗ୍ରସ୍ତ ହେବ ନାହିଁ, ଜୀବନଜୀବିକା କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ବର୍ଷ ବର୍ଷ ଧରି ମଠ ଗୁଡ଼ିକ ଉପରେ ନିଜ ଜୀବନଜୀବିକା ପାଇଁ ନିର୍ଭରଶୀଳ ବିସ୍ଥାପିତଙ୍କୁ ପୂର୍ବଭଳି ଜୀବନଜୀବିକାର ସୁବିଧା ମିଳୁ ବୋଲି ବିଚାରପତି ଅରୁଣ ମିଶ୍ର ଟିପ୍ପଣୀ କରିଥିଲେ। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍‍ଟୋବର ୨୨କୁ ଧାର୍ଯ୍ୟ କରିଛନ୍ତି।

ଆଜି ମାମଲାର ଶୁଣାଣି ବେଳେ କୋର୍ଟମିତ୍ର ରଣଜିତ କୁମାର ଗତ ସେପଟେମ୍ବର ୬ ଓ ୭ ପୁରୀ ଗସ୍ତ ସଂପର୍କିତ ରିପୋର୍ଟ ଦାଖଲ କରିଥିଲେ। ବିନା ବାଧାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜଗନ୍ନାଥ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଶ୍ରୀମନ୍ଦିରର ଚାରି ଦ୍ୱାରରେ ପର୍ଯ୍ୟପ୍ତ ଭିତ୍ତିିଭୂମି ଗଢ଼ିବାକୁ ରିପୋର୍ଟରେ ସୁପାରିଶ କରାଯାଇଛି। ବିସ୍ଥାପିତଙ୍କୁ ଭୂମି ଅଧିଗ୍ରହଣ, ପୁର୍ନବାସ ଓ ଥଇଥାନ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ କରିବା ସପକ୍ଷରେ କୋଟମିତ୍ର ନିଜ ମତ ରଖିଛନ୍ତି। ଆବଶ୍ୟକ ପଡ଼ିଲେ କୋର୍ଟ ହସ୍ତକ୍ଷେପ କରି ବିସ୍ଥାପିତଙ୍କ ସ୍ୱାର୍ଥ ସୁରକ୍ଷିତ କରିବାକୁ ରିପୋର୍ଟରେ କୁହାଯାଇଛି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସହ ପୁରୀ ଗସ୍ତ ସମୟରେ ଗଜପତି ମହାରାଜା, ଜଗଦ୍‍ଗୁରୁ ଶଙ୍କରାଚାର୍ଯ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ସହ କରିଥିବା ଆଲୋଚନାର ବିସୃତ ବିବରଣୀ ରିପୋର୍ଟ ମାଧ୍ୟମରେ କୋର୍ଟମିତ୍ର ରଣଜିତ କୁମାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
ସେହିପରି ଆଡଭୋକେଟ ଜେନେରାଲ ଅଶୋକ ପରିଜା କୋର୍ଟଙ୍କୁ ଜଣାଇଥିଲେ ଯେ ଉଚ୍ଛେଦ ଅଭିଯାନରେ କ୍ଷତିଗ୍ରସ୍ତଙ୍କ ପାଇଁ ଓଡ଼ିଶା ସରକାର ସର୍ବୋତ୍ତମ ପ୍ୟାକେଜ ପ୍ରସ୍ତାବ ଆଣିଛନ୍ତି ଏବଂ ଆଇନ ଅନୁଯାୟୀ ଉଚ୍ଛେଦ ଅଭିଯାନକୁ ତ୍ୱରାନ୍ୱିତ କରୁଛନ୍ତି। ପୁରୀ ମନ୍ଦିର ମାମଲାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇ ଜଷ୍ଟିସ ବି ପି ଦାସ କମିଶନଙ୍କ ସୁପାରିଶ ଅନୁଯାୟୀ ମେଘନାଦ ପାଚେରୀ ଚାରିପଟୁ ୭୫ ମିଟର ପରିଧି ପର୍ଯ୍ୟନ୍ତ ଉଚ୍ଛେଦ କରାଯାଉଛି ବୋଲି କୁହାଯାଇଛି। ବିସ୍ଥାପିତଙ୍କୁ ଭୂମି ଅଧିଗ୍ରହଣ, ପୁର୍ନବାସ ଓ ଥଇଥାନ ଆଇନ ୨୦୧୩ ଅନୁଯାୟୀ କ୍ଷତିପୂରଣ ମିଳିବ। ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଥିବା ଲଙ୍ଗୁଳି ମଠ, ଏମାର ମଠ ଓ ବଡ଼ ଆଖଡ଼ା ମଠକୁ ଭାଙ୍ଗି ଦିଆଯାଇଛି ଏବଂ ମଠ ଗୁଡ଼ିକର ଗାଦି, ସମାଧି ଓ ମନ୍ଦିରକୁ ସୁରକ୍ଷିତ ରଖାଯାଇଛି ବୋଲି ସତ୍ୟପାଠରେ କୁହାଯାଇଛି। ତେବେ ମଠର ଗାଦି, ସମାଧି ଓ ମନ୍ଦିର ଗୁଡ଼ିକର ଉଚ୍ଛେଦ ନେଇ କୌଣସି ଯୋଜନା ନାହିଁ ବୋଲି ଓଡ଼ିଶା ସରକାର ସତ୍ୟପାଠରେ ସ୍ପଷ୍ଟ କରିଛନ୍ତି। ବିପଦଜନକ ଓ ଅସୁରକ୍ଷିତ ଅବସ୍ଥାର ରହିଥିବା ମଠ ଗୁଡ଼ିକ ଯୋଗୁଁ ପୂର୍ବରୁ ଧନଜୀବନ ହାନି ଆଶଙ୍କା ଲାଗି ରହୁଥିଲା। ଯେତେବେଳେ ମଠ ଗାଦି, ସମାଧି ଓ ମନ୍ଦିରକୁ ସୁରକ୍ଷିତ ରଖାଯାଉଛି ସେଭଳି ସ୍ଥିତିରେ ସଂବିଧାନର ଧାରା ୨୫ ଓ ଧାରା ୫୧ (କ) କ୍ଷୁର୍ଣ୍ଣ ହେବା ନେଇ ମହନ୍ତ ଶ୍ରୀନିବାସ ରାମନୁଜ ଦାଶଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଆଗତ ମାମଲାର କୌଣସି ଯଥାର୍ଥତା ନାହିଁ ବୋଲି ସତ୍ୟପାଠରେ କୁହାଯାଇଛି। ଉଚ୍ଛେଦ ହୋଇଥିବା ମଠର ମୁଖ୍ୟ ଓ ଅନୁଗାମୀଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଅସ୍ଥାୟୀ ରହଣିସ୍ଥଳୀ ଏବଂ ଆସବାପତ୍ର ରଖିବାକୁ ସ୍ଥାନ ଯୋଗାଇ ଦିଆଯାଇଛି। ରୀତିନୀତି, ପୂଜାର୍ଚ୍ଚନା ଏବଂ ସେମାନଙ୍କ ଖାଇବା ଖର୍ଚ୍ଚ ପ୍ରଶାସନ ବହନ କରୁଛି ଏବଂ ୨୬ଜଣ ଦୋକାନୀଙ୍କୁ ଜଗନ୍ନାଥ ବଲ୍ଲଭ କ୍ରାଫଟ କମ୍ପେକ୍ଳସରେ ଥଇଥାନ କରାଯାଇଛି ବୋଲି ସତ୍ୟପାଠରେ କୁହାଯାଇଛି। ଇଣ୍ଟରକଣ୍ଟିନେଣ୍ଟାଲ ଆସୋସେସନ ଅଫ ଲୟାରର୍ସ ପକ୍ଷରୁ ଆଡଭୋକେଟ ଦେବାଶିଷ ମିଶ୍ର ଏକ ପିଟିସନ ମାଧ୍ୟମରେ ଶ୍ରୀଜଗନ୍ନାଥ ମନ୍ଦିର ସଂପର୍କିତ ସମସ୍ତ ଘଟଣାକ୍ରମର ନିୟମିତ ଭାବେ ତଦାରଖ କରିବାକୁ ପୁରୀ ଗଜପତି ମହାରାଜା ଓ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜି ବି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କୁ ପ୍ରସ୍ତାବ ଦେଇଥିଲେ।

Comments are closed.