ବ୍ରହ୍ମ ସଂସ୍ଥାପନ ବିଭ୍ରାଟ : ୧୦ ଦଇତାପତିଙ୍କୁ ପୁଣି ନୋଟିସ

0

ପୁରୀ: ଶ୍ରୀଜୀଉଙ୍କ ନବକଳେବର ବ୍ରହ୍ମ ସଂସ୍ଥାପନ ବିଭ୍ରାଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୯ ଦଇତାପତିଙ୍କ ସମେତ ଜଣେ ମହାରଣା ସେବକଙ୍କୁ ପୁଣିଥରେ ନୋଟିସ ଜାରି କରାଯାଇଛି। ସେମାନେ ଦାଖଲ କରିଥିବା ଲିଖିତ ଜବାବ ସନ୍ତୋଷଜନକ କିମ୍ବା ଗ୍ରହଣୀୟ ନୁହେଁ ​‌େବାଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଉଲ୍ଲେଖ କରିଛନ୍ତି। ଶ୍ରୀଜୀଉଙ୍କ ନୀତିରେ ବିଶୃଙ୍ଖଳା ଏବଂ ଅବହେଳା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନର ୨୧(ଖ) ଧାରା ଅନୁଯାୟୀକାହିଁକି ଦଣ୍ଡ ବିଧାନ କରାନଯିବ ବୋଲି ନୋଟିସ୍‌ରେ କୁହାଯାଇଛି। ରବିବାର ସନ୍ଧ୍ୟାସୁଦ୍ଧା ଅଭିଯୁକ୍ତ ଦଇତା ଓ ମହାରଣା ସେବକଙ୍କ ପାଖରେ ନୋଟିସ ପହଞ୍ଚିଛି। ନୋଟିସ ପାଇଥିବା ସେବକଙ୍କ ତାଲିକାରେ ଦଇତାପତି ନିଯୋଗ ସଭାପତି ରାମକୃଷ୍ଣ ଦାସମହାପାତ୍ର, ସମ୍ପାଦକ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ସମେତ ନବକିଶୋର ଦାସମହାପାତ୍ର, ବିଶ୍ବନାଥ ଦାସମହାପାତ୍ର, କୃଷ୍ଣଚନ୍ଦ୍ର ଦାସମହାପାତ୍ର, କାଶିନାଥ ଦାସମହାପାତ୍ର, ଜୟକୃଷ୍ଣ ଦାସମହାପାତ୍ରଙ୍କ ନାମ ରହିଥିବା ପ୍ରଶାସକ ସୂଚନା ଦେଇଛନ୍ତି। ନୋଟିସ୍‌ରେ ୩ଟି ଗୁରୁତର ଅଭିଯୋଗ ରହିଛି। ୧୫ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ପ୍ରଶାସକ ନିର୍ଦେଶ ଦେଇଛନ୍ତି। ବିଶୃଙ୍ଖଳାରେ ସେମାନଙ୍କ ସଂପୃକ୍ତି ଥିବାର ଆପାତତଃ ପ୍ରମାଣ ରହିଥିବା ନୋଟିସ୍‌ରେ କୁହାଯାଇଛି। ଏହି ଘଟଣାକୁ ନେଇ ମନ୍ଦିର ପ୍ରଶାସନ ଓ ଦଇତାପତିଙ୍କ ମଧ୍ୟରେ ପୁଣିଥରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବରୁ ଅଭିଯୁକ୍ତ ସେବକଙ୍କୁ ପକ୍ଷ ରଖିବା ପାଇଁ ମନ୍ଦିର ପ୍ରଶାସନ ଶେଷ ସୁଯୋଗ ଦେଇଛି। ବ୍ରହ୍ମ ପରିବର୍ତ୍ତନରେ ଅହେତୁକ ବିଳମ୍ବ ଯୋଗୁଁ ଶ୍ରୀମନ୍ଦିରର ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିବା ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର ନୋଟିସ୍‌ରେ ଦର୍ଶାଇଛନ୍ତି। ଏଥିପାଇଁ ସଂପୃକ୍ତ ସେବକଙ୍କୁ ସମ୍ପୂର୍ଣ୍ଣ ଭାବେ ଦାୟୀ କରାଯାଇଛି।
୨୦୧୫ ଜୁନ୍‌ ୧୫ ରାତିରେ ନୂତନ ବିଗ୍ରହଙ୍କ ବ୍ରହ୍ମ ସଂସ୍ଥାପନ କାର୍ଯ୍ୟକ୍ରମ ରହିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ୪ ବାଡଗ୍ରାହୀଙ୍କୁ ବ୍ରହ୍ମ ପରିବର୍ତ୍ତନ ଦାୟିତ୍ବ ଦିଆଯାଇଥିଲା। ଶାସ୍ତ୍ରୀୟ ବିଧି ବ୍ୟବସ୍ଥା ଅନୁଯାୟୀ ନୀଳାଚଳ ଉପବନରେ ଅନୁଷ୍ଠିତ ବନଯାଗରେ ଗଜପତି ମହାରାଜା ପୂର୍ଣ୍ଣାହୂତି ଦେଇଥିଲେ। ସ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ବାରା ନୂତନ ବିଗ୍ରହଙ୍କୁ ଜୀବଦାନ କରାଯାଇଥିଲା। ନୂଆ ବିଗ୍ରହ ନିର୍ମାଣରେ ବିଳମ୍ବ ଯୋଗୁଁ ଏହିସବୁ କାର୍ଯ୍ୟକ୍ରମ ରାତି ପ୍ରାୟ ୧୧ଟା ପରେ ଶେଷ ହୋଇଥିଲା। ବ୍ରହ୍ମ ସଂସ୍ଥାପନ ପାଇଁ ଦଇତାପତିମାନେ ମନ୍ଦିର ଭିତରେ ପ୍ରବେଶ କରିଥିଲେ। ଏହା ସମ୍ପୂର୍ଣ୍ଣ ଗୋପନୀୟ ସେବା ହୋଇଥିବାରୁ ଶ୍ରୀମନ୍ଦିର ଚାରିଦ୍ବାର ଭିତରୁ ବନ୍ଦ କରାଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ବ୍ରହ୍ମ ସଂସ୍ଥାପନ ପାଇଁ ବିଦ୍ୟୁତ ଆଲୋକ ବିଚ୍ଛିନ୍ନ କରାଯାଇଥିଲା। ତେବେ ବ୍ରହ୍ମ ଦେଖିବାକୁ କେନ୍ଦ୍ରକରି କିଛି ଦଇତାପତିଙ୍କ ମଧ୍ୟରେ ବିବାଦ ଯୋଗୁଁ ୧୫ତାରିଖ ରାତି ପରିବର୍ତ୍ତେ ୧୬ତାରିଖ ଦ୍ବିପ୍ରହରରେ ବ୍ରହ୍ମ ପରିବର୍ତ୍ତନ ନୀତି ସମ୍ପନ୍ନ ହୋଇଥିଲା। ଏହି ଘଟଣା ସେତେବେଳେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା। କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବିଚଳିତ କରିଥିଲା। ଘଟଣାର ପ୍ରାୟ ସାଢ଼େ ୩ବର୍ଷ ପରେ ମନ୍ଦିର ପ୍ରଶାସନ କାରଣଦର୍ଶାଅ ନୋଟିସ ଜାରି କରିଛି। ତତ୍କାଳୀନ ମୁଖ୍ୟ ପ୍ରଶାସକ ତଥା ବର୍ତ୍ତମାନର ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ତଦନ୍ତ ରିପୋର୍ଟକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରିଚାଳନା କମିଟି ବୈଠକରେ ସ୍ଥିର କରାଯାଇଛି।

Leave A Reply