ଦକ୍ଷିଣାପାଇଁ ଶ୍ରୀମନ୍ଦିରରେ ଜୁଲମ: ସେବକଙ୍କ ମାଡ଼ରେ ଭକ୍ତ ଲହୁଲୁହାଣ

0

ପୁରୀ : କାଳିଆ ଠାକୁରଙ୍କ ଆଗରେ ଭକ୍ତଙ୍କୁ ମାଡ଼ । ଦକ୍ଷିଣା ନଦେବାରୁ ଝିଙ୍କିନେଲେ ସୁନା ଲକେଟ୍‌ । ମହିଳାଙ୍କୁ ଦୁର୍ବ୍ୟବହାର କଲେ । ରବିବାର ଶ୍ରୀଜଗନ୍ନାଥ ମନ୍ଦିରରେ ଏଭଳି ଘଟଣା ଘଟିଛି । ଦୁଇଜଣ ସେବକଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ମହାରାଷ୍ଟ୍ରର ଜଣେ ଶ୍ରଦ୍ଧାଳୁ । ସିଂହଦ୍ୱାର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି । ରାତି ସୁଦ୍ଧା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନାହିଁ ।
ମହାରାଷ୍ଟ୍ର ଥାନେ ଅନ୍ତର୍ଗତ ଧକଟି କୋଲସେଟ୍‌ ରୋଡ୍‌ର ଚେତନ ଗଣପତ ଅମଲକର ରବିବାର ସକାଳେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ । ପତ୍ନୀ ପ୍ରିୟଙ୍କା ସାଥୀରେ ଥିଲେ । ଭିତରକାଠ ପାଖରେ ଛିଡ଼ାହୋଇ ସେମାନେ ଶ୍ରୀଜୀଉଙ୍କ ଦର୍ଶନ କରିବା ବେଳେ ଜଣେ ସେବକ ଦକ୍ଷିଣା ମାଗିଥିଲେ । ପ୍ରିୟଙ୍କା କିଛି ଅର୍ଥ ଥାଳିରେ ପକାଇଥିଲେ । ଦକ୍ଷିଣା ବାବଦରେ ୧୦୦୧ କିମ୍ବା ୫୦୧ ଟଙ୍କା ଦେବାକୁ ସେବକ ଜଣଙ୍କ ଦାବି କରିଥିଲେ । ଏତେଟଙ୍କା ନାହିଁ ବୋଲି କହିବାରୁ ଜଣେ ସେବକ ପ୍ରିୟଙ୍କାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଗଣପତ ତାହାର ପ୍ରତିବାଦ କରିବାରୁ ୨ଜଣ ସେବକ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ବେକରୁ ସୁନା ଲକେଟ୍‌ ଝିଙ୍କି ନେଇଥିବା ଏତଲାରେ ଉଲ୍ଲେଖ କରାଯାଇଛି । ସେବକଙ୍କ ମାଡ଼ରେ ଗଣପତଙ୍କ ଡାହାଣ ହାତ ପାପୁଲିରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ବେକ ଓ ହାତରେ ନୋଳା ଫାଟିଯାଇଛି । ଭକ୍ତଙ୍କୁ ସେବକ ମାଡ଼ ମାରିବା ବେଳେ ୨ଜଣ ପୁଲିସ କର୍ମଚାରୀ ଅଳ୍ପଦୂରରେ ଛିଡ଼ା ହୋଇଥିଲେ ମଧ୍ୟ ସୁରକ୍ଷା ଦେଇନଥିଲେ । ଜିଲା ସଦର ହାସପାତାଳରେ ଗଣପତଙ୍କ ଚିକିତ୍ସା କରାଯାଇଛି । ଶ୍ରୀମନ୍ଦିରରେ ଦକ୍ଷିଣାପାଇଁ ୨ଜଣ ସେବକଙ୍କ ଏପରି ଜୁଲମ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସିଂହଦ୍ୱାର ଥାନା ଇନ୍ସପେକ୍ଟର ଗୋକୁଳ ରଞ୍ଜନ ଦାସ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିଛନ୍ତି । ମାଡ ମାରିଥିବା ସେବକଙ୍କୁ ପୁଲିସ ଚିହ୍ନଟ କରିଛି । ଅନ୍ୟପକ୍ଷରେ ଖୁଣ୍ଟିଆ ନିଯୋଗ ଏବଂ ମେକାପ ନିଯୋଗ ପକ୍ଷରୁ ଥାନାରେ ପାଲଟା ଅଭିଯୋଗ କରାଯାଇଛି । ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି ।

Leave A Reply