ଅଳଗୁମ ଜାଗୁଳାଇଙ୍କ କାଠି ଯାତ୍ରା

0

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅଳଗୁମରେ ମା’ ଜାଗେଶ୍ୱରୀଙ୍କ କାଠି ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଜନସ୍ମୃତି ଅନୁସାରେ ପାରମ୍ପରିକ ଭାବେ ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀ ତିଥିରୁ ବାର ଦିନ ମାଆଙ୍କ ଆଖି ବନ୍ଦ ରହିଥାଏ । ମଧ୍ୟାହ୍ନ ସମୟରେ ମାଆଙ୍କ ନୀତିକାନ୍ତି ଶେଷ ହେବା ପରେ ବନ୍ଦ ଆଖି ଖୋଲା ଯାଇ ବାରପଡାରେ ମଣ୍ଡା ପିଠା ଓ ଆମିଷ ଶଙ୍ଖୁଡି ଭୋଗ ଦୁଆରି ପୂଜା କରାଯାଇଥିଲା । ମଙ୍ଗଳବାର ଥିଲା ଶେଷ ଯାତ୍ରା । ବାଇଶି ହାତ, ବାଇଶି ଆଙ୍ଗୁଳି ଲମ୍ବର ଏକ ଶାଳକାଠର ଗଣ୍ଡି ମାଆ ନିକଟକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଭକ୍ତମାନଙ୍କ ମାନସିକ ଶାଢୀ କାଠ ଖୁଣ୍ଟିରେ ଗୁଡାଇ ନିକଟସ୍ଥ ବାରବାଟୀ ପଡିଆକୁ ନିଆଯାଇ ପୋତା ଯାଇଥିଲା । ଗୁହାରିଆ ପଡିଥିବା ଭକ୍ତମାନଙ୍କୁ ମାଆଙ୍କ ମୁଖ୍ୟପୂଜକ ପ୍ରସାଦ ବଣ୍ଟନ କରିଥିଲେ । ଆଗରୁ କାଳେସୀ ଉଭା ହେବାର ପରମ୍ପରା ଥିଲା । ତେବେ ଏହା ଏବେ ବନ୍ଦ ହୋଇଯାଇଛି । ଗାଡି ମଟର ବାଇକ ସାଇକେଲ ଆଦି ଯାନରେ ଓ ପାଦରେ ଚାଲି ଆଜି ମାଆଙ୍କ ପୀଠରେ ଅସମ୍ଭବ ଭିଡ ଦେଖିବାକୁ ମିଳିଥିଲା ।

Leave A Reply