ପ୍ରିୟଙ୍କାଙ୍କ ଭରସାରେ କଂଗ୍ରେସ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଦଳ ଏବେ ନେ​‌ହେରୁ-ଗାନ୍ଧୀ ପରିବାରର ଲଳନା ତଥା ଦଳୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଦଳ ଉପଯୁକ୍ତ ନେତୃତ୍ବର ସନ୍ଧାନରେ ଥିବା ବେଳେ ଏଥିରେ ବିଳମ୍ବ ହେଲେ ପ୍ରିୟଙ୍କା ଦାୟିତ୍ବ ଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି। ପ୍ରିୟଙ୍କାଙ୍କୁ ନେତୃତ୍ବ ପ୍ରଦାନ କରିବା ନେଇ ଦଳୀୟ ନେତାଙ୍କ ମଧ୍ୟରେ ଦାବି ଜୋର ଧରୁଥିବା ପ୍ରମୁଖ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସ ପ୍ରକାଶ କରିଛି। ଦଳ ନେ​‌ହେରୁ-ଗାନ୍ଧୀ ପରିବାର ବାହାରୁ କାହାରିକୁ ଅଧ୍ୟକ୍ଷ କରୁ ବୋଲି ରାହୁଲ କହିଥିବାରୁ ଦଳୀୟ ନେତାମାନେ ଏଥିନେଇ ପ୍ରିୟଙ୍କାଙ୍କ ନାମ ଖୋଲାଖୋଲି ଭାବେ ପ୍ରସ୍ତାବ ଦେଇନାହାନ୍ତି। ପ୍ରିୟଙ୍କାଙ୍କ ଦକ୍ଷତା ଉପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରକାଶ ଜୟସ୍ବାଲ ମଧ୍ୟ ଆସ୍ଥା ପ୍ରକଟ କରିଛନ୍ତି। ତାଙ୍କ ନିକଟରେ ନେତୃତ୍ବ ନେବାର ଦକ୍ଷତା ରହିଛି ବୋଲି ସେ କହିଛନ୍ତି। ଉଲ୍ଲେଖ ଯେ ଲୋକସଭା ନିର୍ବାଚନରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।

Comments are closed.