ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଟ୍ବେଣ୍ଟି-୨୦ ; ଅର୍ଦ୍ଧଶତକ ସହ ପଡ଼ିଆକୁ ଫେରିଲେ ପୃଥ୍ବୀ

ମୁମ୍ବଇ : ଡ୍ରଗ୍‌ସ ନିୟମର ଉଲ୍ଲଙ୍ଘନ ବା ଡୋପିଙ୍ଗ୍ ଲାଗି ବାସନ୍ଦାଦେଶ କାଟିବା ପରେ ରବିବାର ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌କୁ ଫେରିଛନ୍ତି ଟେଷ୍ଟ ଓପ୍‌ନର ପୃଥ୍ବୀ ସ’। ରବିବାର ପୃଥ୍ବୀ ତାଙ୍କ ଦଳ ମୁମ୍ବଇ ପାଇଁ ଚଳିତ ସୟଦ୍ ମୁସ୍ତାକ୍ ଅଲୀ ଟ୍ରଫି ଆନ୍ତଃରାଜ୍ୟ ପୁରୁଷ ସିନିୟର ଟ୍ବେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆସାମ ବିପକ୍ଷରେ ଖେଳିଥିଲେ। ବିସ୍ଫୋରକ ବ୍ୟାଟିଂକରି ପୃଥ୍ବୀ ୩୯ ବଲ୍‌ରୁ ୬୩ ରନ୍ କରିଥିବା ବେଳେ ମୁମ୍ବଇ ଏହି ମ୍ୟାଚ୍‌କୁ ୮୩ ରନ୍‌ରେ ଜିତି ନେଇଥିଲା।
ମୁମ୍ବଇର ଦୁଇ ଓପ୍‌ନର ପୃଥ୍ବୀ ସ’ ଓ ଆଦିତ୍ୟ ତାରେ ୧୪ଶ ଓଭରରେ ୧୩୮ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲେ। ପୃଥ୍ବୀ ୩୯ ବଲ୍‌ରୁ ୨ଟି ଛକା ଓ ୭ଟି ଚୌକା ସହ ୬୩ ରନ୍ କରିଥିବା ବେ​ଳେ ଆଦିତ୍ୟ ତାରେ ୪୮ ବଲ୍‌ରୁ ଗୋଟିଏ ଚୌକା ଓ ୧୨ଟି ଚୌକା ସହ ୮୨ ରନ୍ କରିଥିଲେ। ସିଦ୍ଧେଶ ଲାଡ୍‌ ୧୪ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୨ ରନ୍‌କରି ଅପରାଜିତ ଥିବା ବେଳେ ଶ୍ରେୟାସ ଆୟର ୧୬ ରନ୍ କରିଥିଲେ। ମୁମ୍ବଇ ୫ ୱିକେଟରେ ୨୦୬ ରନ୍ କରିଥିଲା। ଆସାମ ୮ ୱିକେଟରେ ୧୨୩ ରନ୍ କରି ପାରିଥିଲା। ରିୟାନ୍ ପରାଗ ୩୮ ରନ୍ କରିଥିଲେ। ଏହି ଇନିଂସ ପରେ ପୃଥ୍ବୀ ସ’ କହିଛନ୍ତି ଯେ ଭାରତୀୟ ଦଳକୁ ଫେରିବା ନିଶ୍ଚୟ ତାଙ୍କର ଲକ୍ଷ୍ୟ। ତେବେ ତାଙ୍କ କାମ ହେଉଛି ରନ୍ ସ୍କୋର୍‌କରିବା ଏବଂ ବାକି ମନୋନୟନକାରୀ ଯାହା ନିଷ୍ପତ୍ତି ନେବେ। ପୃଥ୍ବୀ ଭାରତୀୟ ଟେଷ୍ଟ ଦଳରେ ନିୟମିତ ଓପ୍‌ନର ଭାବେ ସ୍ଥାନ ସୁରକ୍ଷିତ କରି ସାରିଥିଲେ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଜୀବନର ପ୍ରଥମ ଟେଷ୍ଟ ଖେଳି ପୃଥ୍ବୀ ଶତକ ହାସଲ କରିଥିଲେ। ୨ୟ ଟେଷ୍ଟରେ ମଧ୍ୟ ପୃଥ୍ବୀ ୭୦ ରନ୍ କରିଥିଲେ ହେଁ ପରେ ସେ ଆହତହେବାରୁ ତାଙ୍କ ସ୍ଥାନ ଟେଷ୍ଟଦଳରେ ମୟଙ୍କ ଅଗ୍ରୱାଲଙ୍କୁ ମିଳିଥିଲା। ଏବେ ଉଭୟ ରୋହିତ ଓ ମୟଙ୍କ ଟେଷ୍ଟ ଦଳରେ ସ୍ଥାନ ସୁରକ୍ଷିତ କରି ସାରିଥିବା ବେଳେ ପୃଥ୍ବୀ କେବେ ଭାରତୀୟ ଦଳକୁ ଫେରୁଛନ୍ତି; ତାହା ଏବେ ଦେଖିବାକୁ ବାକିରହିଲା।

Comments are closed.