ଉଚ୍ଚସ୍ତରୀୟ ବୈଠକରେ ‘ବୁଲବୁଲ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

-ଓଡ଼ିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ସରକାରଙ୍କ ସହ ଆଲୋଚନା
-ଧନଜୀବନ ହାନି ଏଡ଼ାଇବାକୁ ସମସ୍ତ ଜରୁରି ପଦକ୍ଷେପ ପାଇଁ ପରାମର୍ଶ
-କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁପ୍ରକାରର ସହାୟତା ଲାଗି ପ୍ରତିଶ୍ରୁତି

ନୂଆଦିଲ୍ଲୀ : ସାମୁଦ୍ରିକ ଝଡ଼ ‘ବୁଲବୁଲ’କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ପରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ସରକାରଙ୍କ ସହିତ ଏହାର ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗତ କିଛି ଘଣ୍ଟା ମଧ୍ୟରେ ବାତ୍ୟା ‘ବୁଲବୁଲ’ ସ୍ଥଳଭାଗ ଦିଗରେ ଗତି କରୁଥିବା କାରଣରୁ ଦେଖାଦେଇଥିବା ସ୍ଥିତି ସମ୍ପର୍କରେ ଏହି ବୈଠକରେ ସମୀକ୍ଷା କରାଯାଇଥିଲା।

Image Credit : babushahi.com

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ବାତ୍ୟା ‘ବୁଲବୁଲ’ର ବିସ୍ତୃତ ପୂର୍ବାନୁମାନ ସମ୍ପର୍କରେ ସୂଚନା ଦେଇଥିଲେ। ବିଶେଷ କରି ସମୁଦ୍ରରେ ଏହାର ଦିଗ ଓ ପବନର ବେଗ, ବର୍ଷାର ପରିମାଣ, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଏହାର ପ୍ରଭାବ ସମ୍ପର୍କରେ
ସେ ସୂଚନା ଦେଇଥିଲେ। ବୈଠକରେ ସୂଚନା ଦିଆଯାଇଥିଲା ଯେ ଏହି ବାତ୍ୟା ପ୍ରଭାବରେ ନଭେମ୍ବର ୮ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୯୦ କିମି ଛୁଇଁପାରେ। ନଭେମ୍ବର ୯ ତାରିଖରେ ପଶ୍ଚିମବଙ୍ଗ ଉପକୂଳରେ ମଧ୍ୟ ଏଭଳି ସ୍ଥିତି ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବା କାରଣରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରି ଦିଆଯାଇଛି।
ବାତ୍ୟା ପାଇଁ ସମସ୍ତ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଉପକୂଳ ଅଂଚଳରେ ୨୪ ଘଣ୍ଟିଆ ଅନୁଧ୍ୟାନ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ସୂଚନା ଦେଇଥିଲେ। ଆହୁରି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ଯଥାଶୀଘ୍ର କୂଳକୁ ଫେରି ଆସିବା ପାଇଁ କୁହାଯାଇଛି। ଏନଡିଆରଏଫ ଡିଜି ସୂଚନା ଦେଇଥିଲେ ଯେ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ
ଅଛନ୍ତି ଏବଂ ଗଛ କଟା, ବିଦ୍ୟୁତ ଖୁଣ୍ଟ କଟା ଯନ୍ତ୍ର ଆଦି ସରଞ୍ଜାମ ପ୍ରସ୍ତୁତ କରି ରଖାଯାଇଛି। ଭାରତୀୟ ଉପକୂଳ ସୁରକ୍ଷା ବାହିନୀ ମଧ୍ୟ ସତର୍କ ରହିଛି ଏବଂ ମାଛଧରା ଓ ବାଣିଜ୍ୟିକ ଜାହାଜଗୁଡ଼ିକୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରି ଦେଇଛି।
ଧନଜୀବନ ହାନିକୁ ଯଥାସମ୍ଭବ ଏଡ଼ାଇବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସେମାନଙ୍କୁ ପରାମର୍ଶ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା, ସ୍ୱରାଷ୍ଟ୍ର ବ୍ୟାପାର ସଚିବ, ସୂଚନା ଓ ପ୍ରସାରଣ
ମନ୍ତ୍ରଣାଳୟ ସଚିବ, ଏନଡିଏମଏ ସଦସ୍ୟ, ଏନଡିଆରଏଫ ଓ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସ୍ୱରାଷ୍ଟ୍ର ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାବ୍ୟତୀତ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆଣ୍ଡାମାନ ନିକୋବର ଦ୍ୱୀପସମୂହ ସରକାରଙ୍କ ମୁଖ୍ୟ ଶାସନ ସଚିବ, ପ୍ରତିନିଧିମାନେ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଡ଼ି ହୋଇଥିଲେ।

Comments are closed.