ଆମେ ଗର୍ବିତ, ଆମେ ଏକ – ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ସାରା ବିଶ୍ୱରେ ବିବିଧତାରେ ଏକତା ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଆଜି (ଶନିବାର) ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ କହିଛନ୍ତି, ଭାରତୀୟ ଜନସାଧାରଣଙ୍କ ମଧ୍ୟରେ ଏକତା ଓ ଏକ ମନୋଭାବ ରହିଥିବା ସ୍ପଷ୍ଟ ଭାବେ ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ଏଭଳି ଏକ ମାମଲାରେ ରାୟ ପ୍ରଦାନ କରିଛନ୍ତି ଯାହାକୁ ନେଇ ଶହେ ବର୍ଷର ଇତିହାସ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଦେଶର ନ୍ୟାୟିକ ବ୍ୟବସ୍ଥା ଓ ବିଚାରପତିମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବହୁ ବର୍ଷ ଧରି ଚାଲିଥିବା ନ୍ୟାୟିକ ପ୍ରକ୍ରିୟାର ଅବସାନ ହୋଇଥିବା କହିଛନ୍ତି। ଏହା ଦ୍ୱାରା ସାରା ବିଶ୍ୱ ଆଜି ବୁଝି ପାରିଛି ଯେ ଭାରତର ଗଣତନ୍ତ୍ର କେତେ କାର୍ଯ୍ୟକ୍ଷମ ଓ କେତେ ମଜବୁତ। ମୋଦୀ କହିଛନ୍ତି, ଆଜିର ଦିନରେ ଅର୍ଥାତ ନଭେମ୍ବର ୯ରେ ବର୍ଲିନର ପ୍ରାଚୀର ଭୁଶୁଡି ପଡିଥିଲା ଯେତେବେଳେ ଦୁଇଟି ବିପରୀତ ଚିନ୍ତାଧାରା ସମ୍ପନ୍ନ ଗୋଷ୍ଠୀ ଏକଜୁଟ ହୋଇଥିଲେ ଓ ନୂଆ ସଂକଳ୍ପ ଗ୍ରହଣ କରିଥିଲେ।

ସେ କହିଛନ୍ତି, ଆଜି ମଧ୍ୟ କର୍ତ୍ତାରପୁର କରିଡରର ଶୁଭାରମ୍ଭ କରାଯାଇଛି ଯେଉଁଥିରେ ଉଭୟ ଭାରତ ଓ ପାକିସ୍ତାନର ସହଯୋଗ ରହିଛି। ତେଣୁ ଆଜିର ଦିନରେ ଅଯୋଧ୍ୟା ମାମଲାରେ ଆସିଥିବା ରାୟ ଅନୁଯାୟୀ ଆମକୁ ଆଗକୁ ବଢିବାକୁ ହେବ ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି, ଆଜିର ବାର୍ତ୍ତା ହେଉଛି ସମସ୍ତେ ଏକ ହୋଇ ମିଳିମିଶି ଗୋଟିଏ ସ୍ଥାନରେ ବସବାସ କରିବା। ଯଦି କେହି ବିବିଧତାରେ ଏକତାର ଅର୍ଥ ବୁଝିବାକୁ ଚାହେଁ, ସେ ଆଜିର ଦିନକୁ ନିଶ୍ଚୟ ମନେ ପକାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀ ଇତିହାସ ସୃଷ୍ଟି କରିଛନ୍ତି ଓ ସେହି ଇତିହାସକୁ ଏକ ସ୍ୱର୍ଣ୍ଣିମ ପୃଷ୍ଠାରେ ଯୋଡ଼ିଛନ୍ତି ବୋଲି ମୋଦୀ କହିଛନ୍ତି।

ଦେଶର ନ୍ୟାୟିକ ବ୍ୟବସ୍ଥାକୁ ପ୍ରଶଂସା କରି ମୋଦୀ କହିଛନ୍ତି, ଭାରତର ସମ୍ବିଧାନ ଓ ନ୍ୟାୟିକ ପ୍ରଣାଳୀ ଉପରେ ଦେଶବାସୀଙ୍କ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରହିଛି ଯାହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ସର୍ବୋଚ୍ଚ ଅଦାଲତଙ୍କ ଏହି ନିଷ୍ପତ୍ତି ଏକ ନୂଆ ସକାଳର ଶୁଭାରମ୍ଭ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ଯଦିଓ ଏହି ପ୍ରସଙ୍ଗକୁ ନେଇ ଆଜି ଯାଏଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି କିନ୍ତୁ ଆଜିର ଏହି ନିଷ୍ପତ୍ତି ପରେ ଆମକୁ ସଂକଳ୍ପ କରିବାକୁ ପଡିବ ଯେ ଆଗାମୀ ପିଢ଼ି ନୂଆ ଭାରତ ଗଠନ ଦିଗରେ ଅଗ୍ରସର ହେବେ। ଏକ ନୂଆ ଭାରତ ଗଠନ ପାଇଁ ମୋଦୀ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ନୂଆ ଭାରତ ଗଠନରେ କେହି ଯେପରି ପଛରେ ରହି ନ ଯାନ୍ତି ତାହା ଆମକୁ ସୁନିଶ୍ଚିତ କରିବାକୁ ପଡିବ। ସମସ୍ତଙ୍କ ସହ ଓ ସମସ୍ତଙ୍କ ବିକାଶ ଆମର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

Comments are closed.