ପ୍ରେମିକାକୁ ୧୧ଖଣ୍ଡ କରି କାଟିଲା ଯୁବକ

0

ଅହମଦାବାଦ : ଗୁଜରାଟର ସୁରତ ସହରରେ ଜଣେ ପ୍ରେମିକ ତାର ପ୍ରେମିକାକୁ ହତ୍ୟା ପୂର୍ବକ ୧୧ଖଣ୍ଡ କରି କାଟିବା ଘଟଣା ଏଠାରେ ଆଲୋଡନ ସୃଷ୍ଟି କରିଛି। ପ୍ରେମିକାକୁ ୧୧ଖଣ୍ଡ କରି କାଟିବା ପରେ ଦେହାବଶେଷକୁ ବିଭିନ୍ନ ସ୍ଥାନରେ ଫିଙ୍ଗିବା ବେଳେ ପୁଲିସ ହାତରେ ସୋମବାର ବିଳମ୍ବିତ ରାତିରେ ଧରାପଡିଥିଲା। ମଙ୍ଗଳବାର ପୁଲିସ କହିଛି ଯେ ଶାହନୱାଜ ଶେଖ ତାର ପ୍ରେମିକା ଜୁଲେକା ଶେଖକୁ ରବିବାର ରାତିରେ ଲାଲ ଗେଟ୍‌ ଅଞ୍ଚଳରେ ଥିବା ଏକ ଖାଲି ଫ୍ଲାଟ ନିକଟକୁ ଡାକିଥିଲା। ଜୁଲେକା ସେଠାକୁ ଆସିବା ପରେ ଶାହନୱାଜ ତାକୁ ତଣ୍ଟିଚିପି ହତ୍ୟା କରିଥିଲା। ପରେ ତାର ଶରୀରକୁ ୧୧ଖଣ୍ଡ କରି କାଟିଥିଲା। ପରେ କଟାଯାଇଥିବା ଶରୀରକୁ ବିଭିନ୍ନ ସ୍ଥାନରେ ପକାଇବା ଯୋଜନା କରିଥିଲା। ଯୋଜନା ଅନୁଯାୟୀ ଶରୀରର କିଛି ଅଂଶକୁ ସୁରତସ୍ଥିତ ଏକ ନଦୀରେ ପକାଇଥିଲା। ଶରୀରର ଗୋଡ ଓ ହାତକୁ ଭାଟେଖଣ୍ଡି ଅଞ୍ଚଳରେ ଫିଙ୍ଗିବା ସମୟରେ ପୁଲିସ ଶାହନୱାଜକୁ ଗିରଫ କରିଥିଲା। ପରେ ପୁଲିସ ପ୍ରେମିକା ଜୁଲେକାର ମୁଣ୍ଡକୁ ପରିତ୍ୟକ୍ତ ଫ୍ଲାଟ୍‌ରୁ ଉଦ୍ଧାର କରିଥିଲା। ପୁଲିସର ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଶାହନୱାଜ ବିବାହିତ। ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଅଛନ୍ତି। ଶାହନୱାଜଙ୍କ ପ୍ରେମ ସମ୍ପର୍କ ବାବଦରେ ପତ୍ନୀ ଜାଣିଥିଲେ। ଏପରିକି ଶାହନୱାଜଙ୍କ ପତ୍ନୀ ଓ ପ୍ରେମିକାଙ୍କ ମଧ୍ୟରେ ନିୟମିତ ପାଟିତୁଣ୍ଡ ହେଉଥିଲା। ପତ୍ନୀଙ୍କୁ ଛାଡପତ୍ର ଦେବାଲାଗି ଶାହନୱାଜଙ୍କୁ ତାଙ୍କ ପ୍ରେମିକା ପ୍ରବର୍ତ୍ତାଉଥିଲେ। ପ୍ରେମିକା ଜଣଙ୍କ ଶାହନୱାଜଙ୍କ ଠାରୁ ୨୦ହଜାର ଟଙ୍କା ଦାବି କରୁଥିଲେ। ଜୁଲେକାଙ୍କ ଘର ମହାରାଷ୍ଟ୍ରର ହୋଇଥିବାବେଳେ ସେ ସୁରତର ଉଧନା ଅଞ୍ଚଳରେ ରହୁଥିଲେ। ଦୁଇବର୍ଷ ହେଲା ତାଙ୍କର ଶାହନୱାଜଙ୍କ ସହିତ ପ୍ରେମ ସମ୍ପର୍କ ଗଢିଉଠିଥିଲା।

Leave A Reply