ଜାଣନ୍ତୁ ‘ପ୍ରି-ଏକ୍‍ଲାମ୍ପସିଆ’ ରୋଗ କ’ଣ ଏବଂ ଏହାର କାରଣ ?

0

ଆଜି ଦ୍ୱିତୀୟ ‘ବିଶ୍ୱ ପ୍ରି-ଏକ୍‍ଲାମ୍ପସିଆ ଦିବସ’ ପୃଥିବୀର ପ୍ରାୟ ଅଧିକାଂଶ ସ୍ଥାନରେ ପାଳନ କରାଯାଉଛି। ଏହି ବର୍ଷର ସନ୍ଦେଶ ହେଲା ‘ବିଜୁଳି ପଡ଼ିବା ଆଗରୁ ପ୍ରସ୍ତୁତ ହୋଇଯାଅ’। ପ୍ରି-ଏକ୍‍ଲାମ୍ପସିଆ ଏକ ଗୁରୁତର ରୋଗ ଯାହା ବିଶେଷ କରି ଗର୍ଭବତୀ ମହିଳାଙ୍କର ଉଚ୍ଚ ରକ୍ତଚାପ ହେବା କାରଣରୁ ହୋଇଥାଏ। ଏହାକୁ ଠିକ୍‍ ସମୟରେ ଚିକିତ୍ସା କରାନଗଲେ ପରିସ୍ଥିତି ଜଟିଳ ହୋଇ ଉଭୟ ମା’ ଓ ଗର୍ଭସ୍ଥ ଶିଶୁର ଜୀବନ ପ୍ରତି ବିପଦ ସୃଷ୍ଟି କରେ। ଏକ୍‍ଲାମ୍ପସିଆ ଏକ ଗ୍ରୀକ୍‍ ଶବ୍ଦ ଯାହାର ଅର୍ଥ ‘ବିଜୁଳି’। ଏଥିରେ ଗର୍ଭବତୀ ମହିଳାଟିକୁ ଘନଘନ ବାତ ମାରେ ଏବଂ ସେ ଚେତାଶୂନ୍ୟ ହୋଇଯାଏ ତଥା ଗର୍ଭସ୍ଥ ଶିଶୁଟି ମଧ୍ୟ ମୃତ୍ୟୁମୁଖରେ ପଡ଼ିଥାଏ। ଏହା ସାଧାରଣତଃ ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ଗର୍ଭ ରହିବାର ୨୦ ସପ୍ତାହ ପରଠାରୁ ପିଲା ଜନ୍ମ ହେବାର ୬ ସପ୍ତାହ ମଧ୍ୟରେ ହୋଇଥାଏ।

ପରିସଂଖ୍ୟାନରୁ ଜଣାଯାଏ ଯେ ସାରା ପୃଥିବୀରେ ୧୦ ପ୍ରତିଶତ ଗର୍ଭବତୀ ମହିଳା ଏହି ରୋଗରେ ପୀଡ଼ିତ ହୋଇଥାନ୍ତି। ପୃଥିବୀରେ ବର୍ଷକୁ ୭୬,୦୦୦ ମାତୃ ମୃତ୍ୟୁ ଏବଂ ୫,୦୦,୦୦୦ ଶିଶୁଙ୍କର ମୃତ୍ୟୁ ଏହି ରୋଗ ପାଇଁ ହୋଇଥାଏ। ଏହି ରୋଗ ପାଇଁ ବହୁ ସମୟରେ ରୁଗ୍‍ଣ, ବିକଳାଙ୍ଗ ଓ ଅପରିପକ୍ୱ ଶିଶୁ ଜନ୍ମ ହୋଇ ଆଇସିୟୁରେ ବହୁଦିନ ଧରି ରହି ଚିକିତ୍ସିତ ହୋଇଥାନ୍ତି। ତେବେ ପ୍ରାରମ୍ଭିକ ଅବସ୍ଥାରେ ରୋଗର ନିଦାନ କରି ଚିକିତ୍ସା ଦ୍ୱାରା ଏହି ରୋଗକୁ ପ୍ରତିରୋଧ କରାଯାଇ ପାରିବ।

ଜନସାଧାରଣଙ୍କୁ ଏହି ରୋଗ ବିଷୟରେ ସଚେତନ କରାଇବା ପାଇଁ ସାରା ବିଶ୍ୱରେ ପ୍ରି-ଏକ୍‍ଲାମ୍ପସିଆ ଦିବସ ପାଳନ କରାଯାଉଛି। ଏହି ରୋଗଟି କାହିଁକି ହୋଇଥାଏ ଯଦିଓ ତା’ର କାରଣ ସମ୍ପୂର୍ଣ୍ଣ ଭାବରେ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ, କିନ୍ତୁ ପ୍ରଥମ ଗର୍ଭାବସ୍ଥାରେ ଯାଆଁଳା ଗର୍ଭ ଥିଲେ, ୩୫ରୁ ଅଧିକ କିମ୍ବା ୨୦ବର୍ଷରୁ କମ୍‍ ବୟସରେ ଗର୍ଭଧାରଣ କଲେ, ପୂର୍ବ ଗର୍ଭଧାରଣ ସମୟରେ ରକ୍ତଚାପ ଅଧିକ ଥିଲେ, ଅତ୍ୟଧିକ ମୋଟା ହୋଇଥିଲେ କିମ୍ବା ପରିବାରରେ ବାପା, ମା’, ଭାଇ-ଭଉଣୀଙ୍କର ରକ୍ତଚାପ ଅଧିକ ରହିଥିଲେ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ।

ଗର୍ଭାବସ୍ଥାରେ ରକ୍ତଚାପ ଯଦି ୧୪୦/୯୦ ମିଲିମିଟରରୁ ଅଧିକ ରହେ, ତେବେ ନିୟମିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଠିକ୍‍ ସମୟରେ ଉପଯୁକ୍ତ ଚିକିତ୍ସା, ଯଥା- ଅଧିକ କ୍ୟାଲ୍‍ସିୟମ୍‍, କମ୍‍ ପରିମାଣରେ ଆସ୍‍ପିରିନ୍‍ ବଟିକା, କମ୍‍ ଲୁଣ ଖାଇବା, ରକ୍ତଚାପ ଔଷଧ ଖାଇବା ଏବଂ ସଠିକ୍‍ ସମୟରେ ମା’ ଓ ଶିଶୁର ସୁରକ୍ଷା ପାଇଁ ଉପଯୁକ୍ତ ସ୍ଥାନରେ ପ୍ରସବ କରାଇବା ଦ୍ୱାରା ଆମେ ବହୁ ବିପଦକୁ ଟାଳି ଦେଇପାରିବା।

ତେଣୁ ପ୍ରତ୍ୟେକ ଘରେ, ଯେଉଁଠାରେ ଗର୍ଭବତୀ ମହିଳା ଅଛନ୍ତି ତାଙ୍କର ରକ୍ତଚାପ ଠିକ୍‍ ଅଛି କି ନାହିଁ ପଚାରନ୍ତୁ ଏବଂ ଅଧିକ ଥିଲେ ଚିକିତ୍ସା କରାଇ ମା’ ଏବଂ ଦେଶରୁ ମୃତ୍ୟୁହାର କମାଇବାରେ ଭାଗ ନିଅନ୍ତୁ।

 

Leave A Reply