ସମ୍ବଲପୁର ରେଳ ମଣ୍ଡଳର ନୂତନ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କ କାର୍ୟ୍ୟରେ ଯୋଗଦାନ

ସମ୍ବଲପୁର: ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳର ନୂତନ ପ୍ରବନ୍ଧକର ଭାବରେ ପ୍ରଦୀପ କୁମାର କାର୍ୟ୍ୟକ୍ଷେତ୍ରରେ ମଙ୍ଗଳବାର ଦିନ ଯୋଗଦାନ କରିଛନ୍ତି। ଭାରତୀୟ ରେଳବାଇ ମେକାନିକାଲ ଓ ଇଞ୍ଜିନିୟରିଙ୍ଗ ପ୍ରତିଷ୍ଠାନ, ଜାମାଲପୁରରେ ବରିଷ୍ଠ ପ୍ରାଧ୍ୟାପକ ଭାବରେ କାର୍ୟ୍ୟରତ ପ୍ରଦୀପ କୁମାର ୧୯୮୯ ବ୍ୟାଚର ଅଧିକାରୀ ଅଟନ୍ତି। ସେ ଦିଲ୍ଲୀ କଲେଜ ଅଫ ଇଞ୍ଜିନିୟରିଙ୍ଗରୁ ମେକାନିକାଲ ଇଞ୍ଜିନିୟରିଙ୍ଗରେ ସଫଳତା ପୂର୍ବକ ଉତ୍ତୀର୍ଣ୍ଣ ହେବା ପରେ ଭାରତୀୟ ରେଳବାଇରେ ମେକାନିକାଲ ଇଞ୍ଜିନିୟର ଭାବରେ ୭ ଜାନୁଆରୀ ୧୯୯୧ରେ ଯୋଗ ଦେଇଥିଲେ। ସମ୍ବଲପୁରରେ ଅବସ୍ଥାପିତ ହେବା ପୂର୍ବରୁ ସେ ପଶ୍ଚିମ ରେଳବାଇର ରତଲାମ, ଆଜମେର, କୋଟା, ବଡୋଦରା ଓ ମୁମ୍ବାଇ ମଣ୍ଡଳ ଏବଂ ଦକ୍ଷିଣ ପୂର୍ବ ରେଳବାଇର କୋଲକାତା ଠାରେ ବିଭିନ୍ନ ପଦପଦବୀରେ କାର୍ୟ୍ୟ କରିଆସିଛନ୍ତି। ସେ ରାଇଟସ ଲିମିଟେଡ ମୁମ୍ବାଇ ଠାରେ ମହାପ୍ରବନ୍ଧକ ଭାବରେ କାର୍ୟ୍ୟ କରିଆସିଛନ୍ତି। ଏହା ସହିତ ସେ ମାଲେସିଆ, ସିଙ୍ଗାପୁର ଓ ଚୀନ ଆଦି ଦେଶରେ ରେଳବାଇ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.