ଶାସକ ଦଳ​​‌ରେ ‌ସମନ୍ବୟ ଅଭାବ, କଂଗ୍ରେସକୁ ଅଡୁଆ ବିଦ୍ରୋହୀ ପ୍ରାର୍ଥୀନୀ

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକର ୧୫ ଗୋଟି ଗ୍ରାମପଂଚାୟତ ସବଡେଗା ବ୍ଲକର ୧୪ ଗୋଟି ଗ୍ରାମପଂଚାୟତ, ବାଲିଶଙ୍କର ବ୍ଲକର ୧୯ ଗୋଟି ଗ୍ରାମପଂଚାୟତ ଓ ଲେଫ୍ରିପଡା ବ୍ଲକର ୧୦ ଗୋଟି ଗ୍ରାମପଂଚାୟତ ତଥା ୪ଗୋଟି ବ୍ଲକର ସମୁଦାୟ ୫୮ଟି ଗ୍ରାମପଂଚାୟକୁ ନେଇ ତଲସରା ସଂରକ୍ଷିତ ବିଧାନସଭା ଆସନ ଗଠିତ। ଏହି ନିର୍ବାଚନ ମଣ୍ଡଳୀରେ ମହିଳା ଭୋଟରଙ୍କ ସଂଖ୍ୟା ୯୯ହଜାର ୮୪୭ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ଲକ୍ଷ୧ହଜାର୯ଶହ ଅଟେ। ଉକ୍ତ ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୧୭ହଜାର ୫୭ ଅଟେ। ଏହି ମତଦାତା ମାନେ ନିର୍ବାଚନ ମଣ୍ଡଳୀର ୨୭୭ ଟି ବୁଥରେ ମତଦାନ କରିବେ। ପ୍ରକାଶ ଯୋଗ୍ୟ ଯେ, ଚଳିତ ନିର୍ବାଚନରେ ବଡ଼ଗାଁ ବ୍ଲକର କୌଣସି ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରୁନଥିବାରୁ ଏହି ବ୍ଲକର ଭୋଟର ନିର୍ଣ୍ଣାୟକ ଭୁମିକା ଗ୍ରହଣ କରିବେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି । ପ୍ରକାଶ ଯୋଗ୍ୟ ଯେ ବଡ଼ଗାଁ ବ୍ଲକର ଭୋଟର ସଂଖ୍ୟା ୫୪ ହଜାର ୭୦ ଅଟନ୍ତି। ଏଥିରୁ ମହିଳା ଭୋଟର ସଂଖ୍ୟା ୨୬ହଜାର ୮୮୪ ହୋଇଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୭ହଜାର ୧୮୬ ଅଟେ। ଏହି ନିର୍ବାଚନ ମଣ୍ଡଳୀରୁ ବହୁ ବର୍ଷ ହେଲା କଂଗ୍ରେସ ଦଳର ଦିବଙ୍ଗତ ନେତା ଗଜାଧର ମାଝି ଓ ତାଙ୍କର ଜାମାତା ପ୍ରଫୁଲ୍ଲ ମାଝି ବିଜୟୀ ହୋଇ ଆସୁଥିବାରୁ ଏହାକୁ କଂଗ୍ରେସର ଗଡ ବୋଲି ମଧ୍ୟ ବିବେଚନା କରାଯାଇଥାଏ। ଉକ୍ତ ଦୁଇ ନେତାଙ୍କୁ ଛାଡିଦେଲେ ଏହି ବିଧାନସଭା ଆସନକୁ ୧୯୭୪ ମସିହାରେ କଂଗ୍ରେସ ଦଳର ପ୍ରେମାନନ୍ଦ କାଲୋ, ୧୯୭୭ରେ ଜନତା ପାଟିର ଇଗନେସ ମାଝି ଓ ୧୯୯୦ ମସିହାରେ ଜନତା ଦଳର ରଂଜିତ ଭିତ୍ରିଆ ପ୍ରମୁଖ ଦଖଲ କରିଥିଲେ। ଆସନ୍ତା ବିଧାନସଭା ନିର୍ବାଚନ ପ୍ରଚାରକୁ ମାତ୍ର ଆଉ ୨ ଦିନ ବାକି ରହିଥିବା ବେଳେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁରେ କଂଗ୍ରେସ, ବିଜେଡ଼ି ଓ ବିଜେପି ଦଳର ପ୍ରାର୍ଥୀମାନେ ନିଜ ନିଜ ଢ଼ଙ୍ଗରେ ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି। କଂଗ୍ରେସ ଦଳ ପକ୍ଷରୁ ଦଳର ପୁର୍ବତନ ବିଧାୟକ ଡ.ପ୍ରଫୁଲ୍ଲ ମାଝିକୁ ପୁନର୍ବାର ପ୍ରାର୍ଥୀ କରାଯାଇଥିବା ବେଳେ ବିଜେଡ଼ି ଦଳପକ୍ଷରୁ ବଡ଼ଗାଁ ବ୍ଲକର ବିଜେଡ଼ି ପର୍ଯ୍ୟବେକ୍ଷକ ରହିଥିବା ତଥା ପୁର୍ବତନ ବିଧାୟକ ନେଲସନ ସୋରେଙ୍ଗଙ୍କ ପୁତ୍ର ଷ୍ଟିଫେନ ସୋରେଙ୍ଗଙ୍କୁ ପ୍ରାର୍ଥୀ କରାଯାଇଅଛି। ସେହିଭଳି ଭାଜପା ଦଳ ଦଳୀୟ ଟାଣୁଆ ସଂଙ୍ଗଠକ ଭବାନୀ ଭୋଇଙ୍କୁ ପ୍ରାର୍ଥୀ କରିଅଛି। ୩ଜଣ ପ୍ରାର୍ଥୀ ସେମାନଙ୍କ ସମର୍ଥକ ମାନଙ୍କୁ ନେଇ ବିଭିନ୍ନ ଗାଁର ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଠ କରିବା ପାଇଁ ଆପ୍ରାଣେ ଚେଷ୍ଠା ଚଳାଇଅଛନ୍ତି। ପ୍ରକାଶ ଯୋଗ୍ୟ ଯେ କଂଗ୍ରେସ ଦଳର ଅଷନ୍ତୁଷ୍ଟ ପ୍ରାର୍ଥୀନୀ ତଥା ସବଡେଗା (କ)ଆସନର କଂଗ୍ରେସ ଦଳର ଜିଲା ପରିଷଦ ସଭ୍ୟା ଗେରୋଟି ଖେସ ଚଳିତ ନିର୍ବାଚନରେ ଦଳୀୟ ଟିକେଟ ନ ପାଇଁ ବିଦ୍ରୋହୀ ପ୍ରାର୍ଥୀନୀ ଭାବେ(ସ୍ୱାଧିନ) ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ସେ ଆଖୁଚାଷୀ ଚିହ୍ନରେ ଭୋଟ ଦେବା ପାଇଁ ତାଙ୍କ ସମର୍ଥକଙ୍କ ମାନଙ୍କୁ ମଧ୍ୟ ପ୍ରଚାର କାର୍ଯ୍ୟରେ ଲଗାଇଛନ୍ତି। ଏହି ପ୍ରାର୍ଥୀନୀ କଂଗ୍ରେସ ଦଳର ଭୋଟକୁ ଆଖେଇ ଥିବାରୁ ଦଳର ଭୋଟ ବିଭାଜନ ହେବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇ ଏହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ମତ ଦେଇଛନ୍ତି । ଗୋରେଟି ବର୍ତ୍ତମାନ ଜିଲାପରିଷଦ ସଭ୍ୟା ରହିଥିବା ବେଳେ ପୁର୍ବରୁ କରମଡିହି ପଂଚାୟତର ସରପଂଚ ରହିଥିଲେ। ସେହିଭଳି ଶାସକ ବିଜେଡ଼ି ଦଳରେ ଗୋଷ୍ଟିକନ୍ଦଳ ସାଙ୍ଗକୁ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ବୟର ଅଭାବ ପ୍ରଚାର କାର୍ଯ୍ୟରେ କିଛିଟା ବ୍ୟତିକ୍ରମ ଦେଖା ଦେଉଥିଲେ ହିଁ ପ୍ରାର୍ଥୀ ସରେଙ୍ଗ ସମସ୍ତଙ୍କୁ ଏକଜୁଟ କରି ପ୍ରଚାର କାର୍ଯ୍ୟ ଚଳାଇଥିବାର ପରିଲିକ୍ଷିତ ହେଉଛି । ତେବେ ଆକଳନ ଯାହାବି ହେଉନା କାହିକି ଚଳିତ ନିର୍ବାଚନରେ ତଲସରା ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିନ୍ଧ୍ୱନ୍ଦିତା ହେବାର ନିଶ୍ଚିତ ହୋଇଯାଇଛି। ଅନ୍ତିମ ପର୍ଯ୍ୟାୟରେ ଭୋଟର କାହାକୁ କେତେ ଆପଣାଇବେ ତାହା ଆଗାମୀ ସମୟ ହିଁ ସ୍ପଷ୍ଟ କରିବ ।

Comments are closed.