ଆଜି ପ୍ରଥମାଷ୍ଟମୀ

ଭୁବନେଶ୍ବର :  ପ୍ରଥମାଷ୍ଟମୀ-ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶିର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି। ଏହି ଦିନ ବଂଶର ପ୍ରଥମ ଜାତ ସନ୍ତାନଙ୍କର ନବବସ୍ତ୍ର ପରିଧାନ, ବନ୍ଦାପନା ଓ ମିଷ୍ଟାନ୍ନ ଭକ୍ଷଣାଦି ହୁଏ। ପରିବାରର ଜ୍ୟେଷ୍ଠସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜାବିଧି ଅନୁଷ୍ଠିତ ହୋଇଥାଏ। ଏଣ୍ଡୁରିପିଠା ପ୍ରଥମାଷ୍ଟମୀର ବିଶେଷତ୍ବ। ଛେନା, ଗୁଡ଼ ଓ ନଡ଼ିଆପୁର ଏବଂ ଉଆପକ୍ଷିଆ ଚାଉଳ ଓ ବିରିରେ ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଏ। କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀ ପତ୍ରର ବ୍ୟବହାର ପ୍ରସିଦ୍ଧ। ଏଣୁ ଏହି ପିଠା ଅତ୍ୟନ୍ତ ସୁସ୍ବାଦୁ, ରୁଚିକର ଓ ସୁବାସଯୁକ୍ତ ହୋଇଥାଏ। ଗୋଟିଏ ହାଣ୍ଡିର ମୁହଁରେ କନା ବାନ୍ଧି ସେହି ହାଣ୍ଡିକୁ ଚୁଲି ଉପରେ ରଖଯାଏ। ଏହାକୁ ‘ଅଥାରହାଣ୍ଡି’ କୁହାଯାଏ। ଏହି ଅଥାରହାଣ୍ଡି ଉପରେ ହଳଦୀପତ୍ରରେ ପୁରମିଶା ‘ଆଣ’ ଲଦି ହାଣ୍ଡି ଉପରେ ପଲମ ବା ଘୋଡ଼ଣି ଢାଙ୍କି ଦିଆଯାଏ। କିଛି ସମୟ ପରେ ପିଠା ସିଝିଗଲେ, ତାକୁ କାଢ଼ି ଅଣାଯାଏ ଏବଂ ଏହା ହିଁ ଏଣ୍ଡୁରି ପିଠା। ପ୍ରଥମାଷ୍ଟମୀର ଅନ୍ୟ ନାମ ‘ସୌଭାଗିନୀ ଅଷ୍ଟମୀ’। ପୂର୍ବେ ଏହିଦିନ ସୌଭାଗିନୀ ଦେବୀଙ୍କର ପୂଜା ସମ୍ଭବତଃ ପ୍ରଚଳିତ ଥିଲା। ଧନୀ-ଗରିବ ନିର୍ବିଶେଷରେ ପ୍ରଥମାଷ୍ଟମୀ ପର୍ବଟି ଓଡ଼ିଶାର ଘରେଘରେ ପାଳିତ ହୋଇଥାଏ।

Comments are closed.