ସଭାପତି ପଦରୁ ହଟିଲେ ଯୌନ କେଳେଙ୍କାରୀ ମାମଲାରେ ଜେଲ ଯାଇଥିବା ପ୍ରମୋଦ

- ବିଜେଡି କହିଲା ବହୁ ଆଗରୁ ଦେଇଛନ୍ତି ଦଳରୁ ଇସ୍ତଫା

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଯୌନ କେଳେଙ୍କାରୀ ମାମଲାରେ ଆଜି (ସୋମବାର) ଜେଲ ଯାଇଥିବା କେନ୍ଦ୍ରାପଡ଼ା ସମବାୟ ସମିତି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ସଭାପତି ପଦରୁ ବହିଷ୍କାର କରାଯାଇଛି। ଗତ କାଲି ପ୍ରମୋଦଙ୍କୁ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ ପଚରାଉଚୁରା କରିବା ପାଇଁ ରାତି ୧୧ଟାରେ ତାଙ୍କ ବଣିଆମାଳ ବାସଗୃହରୁ ନିଜ ହେପାଜତକୁ ଆଣିଥିଲା। ପ୍ରାୟ ୧୨ ଘଣ୍ଟା ଧରି ପୁଲିସ ପ୍ରମୋଦଙ୍କୁ ମାରାଥନ ଜେରା କରିଥିଲା। ପ୍ରଥମେ ସେ ତାଙ୍କ ବିରୁଦ୍ଧରେ ଜନୈକ ଅଧସ୍ତନ ମହିଳା କର୍ମଚାରୀ କରିଥିବା ଅଭିଯୋଗକୁ ଅସ୍ବୀକାର କରିଥିଲେ କିନ୍ତୁ ସେ ଓ ସମ୍ପୃକ୍ତ ମହିଳାଙ୍କ ମଧ୍ୟରେ ହୋଇଥିବା ଫେସବୁକ ମେସେଞ୍ଜର ରେକର୍ଡିଙ୍ଗକୁ ନେଇ କୌଣସି ସନ୍ତୋଷ ଜଣକ ଉତ୍ତର ଦେବାରେ ବିଫଳ ହୋଇଥିଲେ।

ଆଜିର ଗିରଫଦାରୀ ଓ କୋର୍ଟ ଚାଲାଣ ହେବା ପରେ ପ୍ରମୋଦ ଯେଉଁ ଦୁଇଟି ସଂସ୍ଥା ସହ ଜଡିତ ରହିଥିବା ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଛେଦ ପଡିଛି। ପୂର୍ବରୁ ରାଜ୍ୟ ସମବାୟ ରେଜିଷ୍ଟ୍ରାର ପ୍ରମୋଦ ସାହୁଙ୍କୁ କାହିଁକି ସଭାପତି ପଦରୁ ବହିଷ୍କାର କରା ନ ଯିବ, ସେ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଓ ଆଜି ପ୍ରମୋଦଙ୍କ କୋର୍ଟ ଚାଲାଣ ପରେ ରେଜିଷ୍ଟ୍ରାର ତାଙ୍କୁ କେନ୍ଦ୍ରାପଡ଼ା କ୍ରେଡିଟ ସମବାୟ ସଂସ୍ଥାର ସଭାପତି ପଦରୁ ବହିଷ୍କାର କରିବା ସହ ଉପ-ସଭାପତିଙ୍କୁ ମଧ୍ୟବର୍ତ୍ତିକାଳୀନ କାମଚଳା ସଭାପତି ଦାୟିତ୍ୱ ଦେଇଛନ୍ତି।

ଅନ୍ୟ ପକ୍ଷରେ, ବିଜୁ ଜନତା ଦଳ ମଧ୍ୟ ଏକ ବିଜ୍ଞପ୍ତି ମାଧ୍ୟମରେ ପ୍ରମୋଦ ସାହୁ ଏବେ ଦଳର ସଭ୍ୟ ନ ଥିବା ଓ ବହୁ ପୂର୍ବରୁ ସେ ଦଳରୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛି।

Comments are closed.