ଜେଲ ଗଲେ କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ ସାହୁ

- ମହଙ୍ଗା ପଡିଲା ଅଧସ୍ତନ ମହିଳା କର୍ମଚାରୀଙ୍କୁ ପ୍ରେମ ନିବେଦନ

କେନ୍ଦ୍ରାପଡ଼ା: ନିଜର ଇଜ୍ଜତ ବଞ୍ଚାଇବାକୁ ଚାକିରୀ ଛାଡିଥିବା କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ୍ ସୋସାଇଟିର ଜଣେ ଅଧସ୍ତନ ମହିଳା କର୍ମଚାରୀଙ୍କ ସାହସ ଫଳରେ ସେହି ସଂସ୍ଥାର ସଭାପତି ପ୍ରମୋଦ ସାହୁଙ୍କୁ କେନ୍ଦ୍ରାପଡ଼ା ପୁଲିସ ଗିରଫ କରିବା ସହ ସୋମବାର କୋର୍ଟ ଚାଲାଣ କରିଛି। କୋର୍ଟ ମଧ୍ୟ ମାମଲାର ଗମ୍ଭୀରତା ଦୃଷ୍ଟିରୁ କାଳେ ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ, ତେଣୁ ପ୍ରମୋଦଙ୍କ ଜାମିନ ଆବେଦନ ଖାରଜ କରିବା ସହ ତାଙ୍କୁ ଜେଲ ପଠାଇଛନ୍ତି।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା କ୍ରେଡିଟ କୋ-ଅପରେଟିଭ୍ ସୋସାଇଟିର ସଭାପତି ତଥା ରାଜ୍ୟ ବିଜେଡିର ପୂର୍ବତନ ସମ୍ପାଦକ ପ୍ରମୋଦ ସାହୁ ଜଣେ ଅଧସ୍ତନ ମହିଳା ସହକର୍ମଙ୍କୁ ଟେଲିଫୋନରେ ପ୍ରେମ ନିବେଦନ କରିବା, ଅଶ୍ଳୀଳ ଇଙ୍ଗିତ ଦେବା ଓ ତାଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ପ୍ରମୋଦଙ୍କୁ ଗିରଫ କରିଛି।

ଅଭିଯୋଗକାରିଣୀ ମୋବାଇଲରେ ପ୍ରେମ ନିବେଦନର ରେକର୍ଡିଂ ଠାରୁ ଆରମ୍ଭକରି ବହୁ ଅଭିଯୋଗର ପ୍ରମାଣ ପୁଲିସ ନିକଟରେ ଜମା ଦେଇଥିବା ବେଳେ କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ ଧାରାରେ ବୟାନ ଦେଇଥିଲେ। ସମସ୍ତ ତଥ୍ୟ ପ୍ରମାଣକୁ ଭିତ୍ତିକରି ପୋଲିସ ଅଭିଯୁକ୍ତ ପ୍ରମୋଦ ସାହୁଙ୍କୁ ଗତକାଲି ତାଙ୍କ କେନ୍ଦ୍ରାପଡା ସହରରେ ଥିବା ବଣିଆମାଳ ଘରୁ ପଚରାଉଚୁରା ପାଇଁ ଆଣିଥିଲା। ଆଜି ପ୍ରମୋଦଙ୍କୁ ଭାରତୀୟ ଦଣ୍ଡବିଧି ଆଇନର ୨୯୪,୫୦୬,୫୦୯,୩୫୪(ଏ) ଓ ୩୫୪(ବି) ଦଫାରେ ପ୍ରମୋଦଙ୍କୁ ଗିରଫ୍ କରାଯାଇଥିବା କେନ୍ଦ୍ରାପଡା ଅତିରିକ୍ତ ଏସ୍ ପି ଗାଗାରିନ୍ ମହାନ୍ତି ସୂଚନା ଦେଇଛନ୍ତି। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି।

Comments are closed.