ଭାରତର ଏପରି ଗାଁ ଯେଉଁଠାରେ ହନୁମାନଙ୍କ ନାଁ ନେବା ପାପ

0

ସାରା ଦେଶରେ ରାମ ଭକ୍ତ ପ୍ରଭୁ ହନୁମାନଙ୍କର ପୂଜା କରାଯାଉଥିବା ବେଳେ ଭାରତରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ହନୁମାନଙ୍କ ନାଁ ନେବା ମଧ୍ୟ ପାପ ବୋଲି ବିବେଚିତ ହୋଇଥାଏ। ଆଶ୍ଚର୍ଯ୍ୟର କଥା ଏହାର କାରଣ ହେଉଛନ୍ତି ଜଣେ ମହିଳା। ଏହି ସ୍ଥାନ ହେଉଛି ଉତ୍ତରାଖଣ୍ଡ ସ୍ଥିତ ଦ୍ରୋଣାଗିରୀ ଗାଁ। ଏଠାରେ ହନୁମାନଙ୍କ ପୂଜା କରିବା ନିଷେଧ। ଏହି ଗାଁ’ର ଲୋକେ ହନୁମାନଙ୍କ ଉପରେ ଏତେ କ୍ରୋଧିତ ଯେ ସେମାନେ ତାଙ୍କ ପୂଜା କରିବା ତ ଦୂରର କଥା ତାଙ୍କ ନାଁ ମଧ୍ୟ ନେଇ ନଥାନ୍ତି। ଏହି କ୍ରୋଧ ବର୍ତ୍ତମାନ ସମୟର ନୁହେଁ ବରଂ ସେତେବେଳର ଯେତେବେଳେ ପ୍ରଭୁ ହନୁମାନ ସଞ୍ଜୀବନୀ ବୁଟୀ ପାଇଁ ପୂରା ପର୍ବତ ଉଠାଇ ଆଣିଥିଲେ। ଯେତେବେଳେ ମେଘନାଦଙ୍କ ଆକ୍ରମଣରେ ଲକ୍ଷ୍ମଣ ଚେତାଶୂନ୍ୟ ହୋଇ ଯାଇଥିଲେ ସେତେବେଳେ ତାଙ୍କ ଚେତା ଫେରାଇ ଆଣିବାକୁ ସଞ୍ଜୀବନୀ ବୁଟୀର ଆବଶ୍ୟକତା ପଡ଼ିଥିଲା। ହନୁମାନ ବୁଟୀ ଆଣିବାକୁ ଚମୋଲୀ ଜିଲାର ଦ୍ରୋଣାଗିରୀ ପର୍ବତରେ ପହଞ୍ଚିଥିଲେ ବୋଲି ବିଶ୍ୱାସ କରାଯାଏ। ଏହି ପର୍ବତର ପାଦଦେଶରେ ଦ୍ରୋଣାଗିରୀ ଗାଁ ଅବସ୍ଥିତ। କୁହାଯାଇଥାଏ ଯେ ହନୁମାନ ଯେତେବେଳେ ବୁଟୀ ନେବାକୁ ଆସିଥିଲେ ସେତେବେଳେ ଗାଁ’ର ଜଣେ ବୃଦ୍ଧ ମହିଳା ତାଙ୍କୁ ପର୍ବତର ସେହି ଭାଗ ଦେଖାଇ ଦେଇଥିଲେ ଯେଉଁଠି ସଞ୍ଜୀବନୀ ବୁଟୀର ବନୌଷଧି ହୋଇଥାଏ। ତେବେ ପ୍ରଭୁ ହନୁମାନ ସଞ୍ଜୀବନୀ ପରିବର୍ତ୍ତେ ପୂରା ପର୍ବତକୁ ଉଠାଇ ନେଇଥିଲେ।
ଏହି କଥାରେ କ୍ରୋଧିତ ହୋଇ ଏଠାକାର ଲୋକେ ହନୁମାନଙ୍କୁ ପୂଜା କରନ୍ତି ନାହିଁ। ଏପରିକି ଏହି ଗାଁ’ରେ ନାଲି ରଙ୍ଗର ପତାକା ଲଗାଇବା ଉପରେ ମଧ୍ୟ କଟକଣା ଜାରି କରାଯାଇଥାଏ। କୁହାଯାଏ ଯେ, ହନୁମାନ ପର୍ବତ ନେଇଯିବାରୁ କ୍ରୋଧିତ ଥିବା ଏହି ଗ୍ରାମବାସୀମାନେ ସେହି ବୃଦ୍ଧ ମହିଳାଙ୍କୁ ମଧ୍ୟ ସମାଜରୁ ବହିଷ୍କାର କରି ଦେଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଏହି ଗାଁ’ରେ ଭଗବାନ ଶ୍ରୀରାମଙ୍କ ପୂଜା ବହୁତ ଆଡ଼ମ୍ବର ସହକାରେ କରାଯାଇଥାଏ। ଏଠାକାର ଲୋକେ ପ୍ରତ୍ୟେକ ବର୍ଷ ଦ୍ରୋଣାଗିରୀର ପୂଜା କରିଥା’ନ୍ତି ହେଲେ ପୂଜାରେ ମହିଳା ମାନଙ୍କୁ ସାମିଲ କରାଯାଇ ନଥାଏ। କାରଣ ଜଣେ ମହିଳା ହିଁ ଦ୍ରୋଣାଗିରୀ ପର୍ବତର ସଞ୍ଜୀବନୀ ବୁଟୀ ହେଉଥିବା ଭାଗ ଦେଖାଇଥିଲେ, ଯେଉଁଥିପାଇଁ ପ୍ରଭୁ ହନୁମାନ ସେଠାରୁ ସେହି ପର୍ବତକୁ ଉଠାଇ ନେଇଥିଲେ।

Leave A Reply