ଡାକ୍ତର, ନର୍ସଙ୍କ ଦେଖା ମିଳିଲାନି; ଡାକ୍ତରଖାନା ବାରଣ୍ଡାରେ ଛୁଆ ଜନ୍ମଦେଲେ ମହିଳା

.

Copy Editor RRM | Published On: Feb 14, 2018 12:07 AM IST |   127

ଜଗତସିଂହପୁର: ହେ କିଏ ଟିକେ ଆସ, ମୁଁ ମରିଗଲି, ମୋ ଛୁଆକୁ ବଞ୍ଚାଅ ଏମିତି ତୁହାକୁ ତୁହା ରଡି ଛାଡୁଥିଲେ ଜଣେ ମହିଳା। ପ୍ରସବ ଯନ୍ତ୍ରଣାରେ ସେ ଛଟପଟ ହେଉଥିବା ବେଳେ ତାଙ୍କ ପାଖକୁ କେହି ବି ଆସିନଥିଲେ। ଶେଷରେ ଡାକ୍ତରଖାନା ଖୋଲା ବାରଣ୍ଡାରେ ମହିଳା ଜଣକ ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ। ଆଜି ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜିଲା ବାଲିକୁଦା ଡାକ୍ତରଖାନାରେ।
ସୂଚନା ଅନୁସାରେ, ପୁରୀ ଜିଲା ମୁତୁଣିଆ ଗାଁର ନିରଂଜନ ସ୍ୱାଇଁଙ୍କ ପତ୍ନୀ ପୁଷ୍ପଲତା ଙ୍କର ଆଜି ପ୍ରସବ ଯନ୍ତ୍ରଣା ହୋଇଥିଲା। ସାଢେ ୭ମାସର ଗର୍ଭ ଥିବାରୁ ନିରଂଜନ ପତ୍ନୀଙ୍କୁ ବାଲିକୁଦା ଡାକ୍ତରଖାନାକୁ ଡାକ୍ତର ଦେଖାଇବା ପାଇଁ ଆଣିଥିଲେ। ହେଲେ ବାଟରେ ଆସିବା ବେଳକୁ ଯନ୍ତ୍ରଣା ଅଧିକ ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଯନ୍ତ୍ରଣା ଚରମ ସୀମାରେ ପହଞ୍ଚିଥିଲା। ଡାକ୍ତରଖାନା ବାରଣ୍ଡାରେ ପତ୍ନୀଙ୍କୁ ବସାଇ ଡାକ୍ତରଖାନା ଭିତରକୁ ପ୍ରବେଶ କରିଥିଲେ। ଡାକ୍ତରଖାନାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଖୋଜିଥିଲେ। ହେଲେ ନା ଡାକ୍ତର ନା ନର୍ସ କାହାରି ବି ଦେଖା ନଥିଲା। ଜଣେ ମାତ୍ର ନର୍ସ ଅନ୍ୟଜଣେ ରୋଗୀକୁ ଦେଖୁଥିଲେ। ଏଣେ ପ୍ରସବ ଯନ୍ତ୍ରଣାରେ ଡାକ୍ତରଖାନା ବାରଣ୍ଡାରେ ପୁଷ୍ପଲତା ଛଟପଟ ହେଉଥିଲେ। କେତେବେଳେ ତଳେ ଶୋଇ ପଡୁଥିଲେ ତ କେତେବେଳେ ଉଠି ବସୁଥିଲେ। ବିକଳ ହୋଇ ଡାକ ଛାଡୁଥିଲେ। କିନ୍ତୁ ତାଙ୍କ ଡାକ ସତେ ଯେମିତି କାହାରିକୁ ଶୁଭିନଥିଲା। କିଛି ସମୟ ଯନ୍ତ୍ରଣା ପରେ ଖୋଲା ବାରଣ୍ଡାରେ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ସମୟ ପୂର୍ବରୁ ପ୍ରସବ କାରଣରୁ ଶିଶୁକୁ ଅଧିକ ଚିକିତ୍ସା ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ରାତି ୧୧ଟା ସୁଦ୍ଧା ମା ଓ ଛୁଆ ସୁସ୍ଥ ଅଛନ୍ତି। ହେଲେ ଜଗତସିଂହପୁର ଭଳି ଶିକ୍ଷିତ ଜିଲାରେ ଏଭଳି ଘଟଣା ସରକାରୀ ଅବହେଳାର ନଗ୍ନ ନମୁନା ବୋଲି କୁହାଯାଇପାରେ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।