ଆଜି ୫ମ ଦିନିକିଆ; ଇତିହାସ ଅନ୍ୱେଷଣରେ ଭାରତୀୟ ଦଳ

.

Copy Editor RRM | Published On: Feb 13, 2018 01:35 AM IST |   208

ପୋର୍ଟ ଏଲିଜାବେଥ୍‌: ସ୍ପିନ୍‌ ଲଢ଼େଇରେ ବିଜୟୀହୋଇ ଦିନିକିଆ ସିରିଜ୍‌କୁ ଜୀବନ୍ତ ରଖିପାରିଛି ଭାରତୀୟ କ୍ରିକେଟ ଦଳ । ଯେଉଁ ସ୍ପିନରଙ୍କ ପ୍ରଥମ ୩ଟି ଦିନିକିଆରେ ଦକ୍ଷିଣ ଆଫ୍ରିକାର ୨୮ଟିରୁ ୨୧ଟି ୱିକେଟ ନେଇଥିଲେ; ସେହି ଦୁଇ ଭାରତୀୟ ରିଷ୍ଟ ସ୍ପିନରଙ୍କ ବିରୋଧରେ ଆକ୍ରମଣାତ୍ମକ ବ୍ୟାଟିଂକରି ମୋଟ ୧୧.୩ ଓଭରରେ ୧୧୯ ରନ୍‌ ନେଇ ପାରିଥିଲେ । ବର୍ଷା ବାଧାପ୍ରାପ୍ତ ଗୋଲାପୀ ଦିବସର ମ୍ୟାଚ୍‌କୁ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଜିତିବା ପରେ ଦକ୍ଷିଣ ଆଫ୍ରିକା ଦଳ ନିଶ୍ଚୟ ଆତ୍ମବିଶ୍ୱାସ ଫେରିପାଇଛି । ଶନିବାର ୪ର୍ଥ ଦିନିକିଆରେ ଦକ୍ଷିଣ ଆଫ୍ରିକାର ବିଜୟ ଏହି ସିରିଜ୍‌କୁ ଆହୁରି ରୋଚକ କରିଦେଇଛି । ଭାରତ ଏହି ମ୍ୟାଚ୍‌ ଜିତି ସିରିଜ୍‌ ଜିତିବାର ସ୍ୱପ୍ନ ଦେଖୁଥିବା ବେଳେ ଦକ୍ଷିଣ ଆଫ୍ରିକାର ପ୍ରତ୍ୟାକ୍ରମଣ ଏହାକୁ ଚକିତ କରିଛି । ଫଳରେ ସିରିଜ୍‌ର ବାକି ୨ଟି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଭାରତ ଏବେ ମଧ୍ୟ ୩-୧ ମ୍ୟାଚ୍‌ରେ ଆଗୁଆ ରହି ସିରିଜ୍‌ ଜିତିବା ଦ୍ୱାରରେ ରହିଛି । ଘରୋଇ ଦକ୍ଷିଣ ଆଫ୍ରିକା ପାଖରେ ସିରିଜ୍‌ ଜିତିବାର ସୁଯୋଗ ନାହିଁ ସତ; ବାକି ୨ଟି ମ୍ୟାଚ୍‌ ଜିତି ଏହା ସିରିଜ୍‌କୁ ବରାବର କରିପାରିବ । ମଙ୍ଗଳବାର ଏଠାରେ ୫ମ ଦିନିକିଆ ମ୍ୟାଚ୍‌୍‌ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚ୍‌ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ୍‌ ଜିତିଲେ ଦକ୍ଷିଣ ଆଫ୍ରିକା ମାଟିରେ ଐତିହାସିକ ସର୍ବପ୍ରଥମ ଦିନିକିଆ ସିରିଜ୍‌ ଭାରତୀୟ ଦଳ ଜିତିବ । ଅନ୍ୟପକ୍ଷରେ ଏହି ମ୍ୟାଚ୍‌ ଜିତିଲେ ଦକ୍ଷିଣ ଆଫ୍ରିକା ସିରିଜ୍‌କୁ ଜୀବନ୍ତ ରଖିପାରିବ; ଅନ୍ୟଥା ସିରିଜ୍‌ର ଫଇସଲା ପୋର୍ଟ ଏଲିଜାବେଥ୍‌ ଗ୍ରାଉଣ୍ଡରେ ହିଁ ହୋଇଯିବ ।
ଅଦ୍ୟାବଧି ଚଳିତ ଦିନିକିଆ ସିରିଜ୍‌ରେ ଉଭୟ ଦଳଙ୍କ ମଧ୍ୟରେ ଫରକ ହେଉଛି ବିରାଟ କୋହଲି ଓ ଶିଖର ଧାୱନଙ୍କ ବ୍ୟାଟିଂ ଏବଂ ଦୁଇ ରିଷ୍ଟ ସ୍ପିନର ୟୁଜୁବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ବୋଲିଂ । କୋହଲି ୩୯୩ ଓ ଧାୱନ୍‌ ୨୭୧ ରନ୍‌ କରିଥିବା ବେଳେ ଦଳର ଅନ୍ୟ ସମସ୍ତ ବ୍ୟାଟ୍‌ସମ୍ୟାନ୍‌ ମିଶି ୨୩୯ ରନ୍‌ କରିଛନ୍ତି । ଚହଲ ଓ କୁଲଦୀପ ୱିକେଟ ହାସଲକାରୀ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହିଛନ୍ତି । ୪ର୍ଥ ଦିନିକିଆରେ କୋହଲି ଓ ଧାୱନ ଚମକ୍ରାର ବ୍ୟାଟିଂ କରିଥିଲେ ନିଶ୍ଚୟ; ଚହଲ ଓ କୁଲଦୀପଙ୍କ ବିରୋଧରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଭିନ୍ନ ଫଳାଫଳ ଆଣିଥିଲା । ବୋଧହୁଏ ୫୦ ଓଭରର ମ୍ୟାଚ୍‌ ହୋଇଥିଲେ; ଏହି ଦୁଇ ସ୍ପିନରଙ୍କୁ ଏପରି ପ୍ରହାରର ସମ୍ମୁଖୀନ ହେବାକୁ ପଡ଼ିନଥାଆନ୍ତା । ୪ର୍ଥ ଦିନିକିଆରେ ଆଉ ଏକ ଫରକ ଥିଲା ଦକ୍ଷିଣ ଆଫ୍ରିକା ଦଳରେ ଏବି ଡି’ଭିଲିଅର୍ସଙ୍କ ଉପସ୍ଥିତି । ଏହି ବ୍ୟାଟିଂ ସୁପରଷ୍ଟାର ୨୬ ରନ୍‌ର ସଂକ୍ଷିପ୍ତ ଇନିଂସ ଖେଳିଥିଲେ ହେଁ ସାଥୀ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ରାସ୍ତା ଦେଖାଇଥିଲେ ଯେ ଭାରତୀୟ ସ୍ପିନରଙ୍କୁ ଆକ୍ରମଣ କଲେ; ସେମାନେ ବି ଛତ୍ରଭଙ୍ଗ ଦେଇପାରନ୍ତି । ମଙ୍ଗଳବାର ୫ମ ଦିନିକିଆରେ ଡି’ଭିଲିଅର୍ସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ତାଙ୍କ ଉପସ୍ଥିତି ଯୋଗୁଁ ଦୁର୍ବଳ ମନେ ହେଉଥିବା ଦକ୍ଷିଣ ଆଫ୍ରିକା ମଧ୍ୟକ୍ରମ ହଠାତ୍‌ ବଳ ପାଇପାରିଛି । ପୁଣି ଡେଭିଡ୍‌ ମିଲର ରନ୍‌ ସ୍କୋର୍‌କରିବା ଏବଂ ବିସ୍ଫୋରକ ଇନିଂସ ଖେଳିଥିବା ନବାଗତ ୱିକେଟ ରକ୍ଷକ ହେନ୍‌ରିକ୍‌ କ୍ଲାସେନ୍‌ ଆତ୍ମବିଶ୍ୱାସ ପାଇବା ଘରୋଇ ଦଳକୁ ନିଶ୍ଚୟ ଉତ୍ସାହିତ କରିବ । ପୁଣି ହାସିମ୍‌ ଆମ୍‌ଲା ମଧ୍ୟ ୪ର୍ଥ ଦିନିକିଆରେ ଫର୍ମକୁ ଫେରିବା ପରି ନଜର ଆସିଥିବା ବେଳେ ଅଧିନାୟକ ଐଡେନ୍‌ ମାର୍କରାମ୍‌ କିଛି ଦର୍ଶନୀୟ ସଟ୍‌ ଖେଳିଥିଲେ । ଜେପି ଡୁ୍ୟମିନି ବଡ଼ ଇନିଂସ ଖେଳିବାକୁ ସମର୍ଥ । ମୋଟଉପରେ ଏକ ଭିନ୍ନ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ୍‌କୁ ୫ମ ଦିନିକିଆରେ ଦେଖିବାକୁ ମିଳିବ । ପିଚ୍‌ରୁ ସ୍ପିନରଙ୍କୁ ସହାୟତା ମିଳିବାର ସମ୍ଭାବନା ଥିବାରୁ ଲୁଙ୍ଗି ଏନ୍‌ଗିଡ଼ିଙ୍କ ସ୍ଥାନରେ ଇମ୍ରାନ୍‌ ତାହିର କିମ୍ବା ତାବ୍ରେଜ୍‌ ସାମ୍‌ସି ଖେଳିପାରନ୍ତି ।
ଭାରତ ପାଇଁ ଚିନ୍ତାର କାରଣ ପାଲଟିଛନ୍ତି ଓପ୍‌ନର ରୋହିତ ଶର୍ମା । କ୍ରମାଗତ ୪ର୍ଥ ମ୍ୟାଚ୍‌ରେ ଏହି ଓପ୍‌ନର ବିଫଳ ହୋଇଛନ୍ତି । ଭାରତୀୟ ମଧ୍ୟକ୍ରମ ମଧ୍ୟ ଭଙ୍ଗୁରୀୟ ଦିଶୁଛି । ରାହାଣେ ଗୋଟିଏ ମ୍ୟାଚ୍‌ରେ ରନ୍‌ କରିଥିବା ବେଳେ ୪ର୍ଥ ଦିନିକିଆରେ ଧୋନି ୪୩ ରନ୍‌ କରିଥିଲେ । ଫଳରେ ଧାୱନ ଓ କୋହଲି ଜଲ୍‌ଦି ଆଉଟ ହୋଇଗଲେ ଭାରତ ଚାପରେ ପଡ଼ିଯିବ । ଏହି ସୁଯୋଗ ଉଣ୍ଡିବସିଛି ଦକ୍ଷିଣ ଆଫ୍ରିକା । ପୁଣି ୪ଟିଯାକ ମ୍ୟାଚ୍‌ରେ ହାର୍ଦିକ ପାଣ୍ଡ୍ୟା ତାଙ୍କ ବୋଲିଂ କୋଟା ସମ୍ପୂର୍ଣ୍ଣ କରି ନପାରିବା ଭାରତକୁ ଚିନ୍ତାରେ ପକାଇଛି । କେଦାର ଯାଦବ ସମ୍ପୂର୍ଣ୍ଣ ଫିଟ ହୋଇ ନଥିବାରୁ ତାଙ୍କୁ ଖେଳାଯିବା ନେଇ ସନେ୍ଦହ ରହିଛି । ତାଙ୍କ ବଦଳ ଖେଳାଳି ଶ୍ରେୟାସ ଆୟର ବ୍ୟାଟିଂରେ ବିଫଳ ହେବା ସହ ଦୁର୍ବଳ ଫିଲ୍‌ଡିଂ କରିଛନ୍ତି । ତେଣୁ ୫ମ ଦିନିକିଆରେ ମନୀଷ ପାଣ୍ଡେ ଖେଳିବା ସମ୍ଭାବନାକୁ ଏଡ଼ାଇବା ସମ୍ଭବ ନୁହେଁ । ପୋର୍ଟ ଏଲିଜାବେଥ୍‌ରେ ଦକ୍ଷିଣ ଆଫ୍ରିକା ୩୨ଟି ମ୍ୟାଚ୍‌ ଖେଳି ୧୧ଟିରେ ପରାସ୍ତ ହୋଇଛି । ଅନ୍ୟପକ୍ଷରେ ଏହି ଗ୍ରାଉଣ୍ଡରେ ଭାରତ ୫ଟି ଦିନିକିଆ ଖେଳି ସବୁତକ ମ୍ୟାଚ୍‌ ହାରିଛି । ପୁଣି ଏହି ଗ୍ରାଉଣ୍ଡରେ ଭାରତ କଦାପି ୨ ଶହ ରନ୍‌ ମଧ୍ୟ କରି ପାରିନାହିଁ । ୧୭୬ ରନ୍‌ ଏହି ଗ୍ରାଉଣ୍ଡରେ ଭାରତର ସର୍ବାଧିକ ସ୍କୋର୍‌ । ତେଣୁ ଏଠାରେ ପ୍ରଥମ ବିଜୟ ହାସଲ କରିପାରିଲେ ଦକ୍ଷିଣ ଆଫ୍ରିକା ମାଟିରେ ସର୍ବପ୍ରଥମ ଦିନିକିଆ ସିରିଜ୍‌ ଜିତି ଭାରତ ଇତିହାସ ସୃଷ୍ଟିକରିବ ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।