ସରୋଜଙ୍କ ମହାନତା:ଏସିଡ୍‌ ଆକ୍ରମଣ ପୀଡିତାଙ୍କୁ କରିବେ ଜୀବନ ସାଥୀ

 ପ୍ରେମ ଦିବସରେ ସରୋଜ ଓ ପ୍ରମୋଦିନୀଙ୍କ  ନିର୍ବନ୍ଧ

Published On: Feb 10, 2018 07:21 PM IST | Updated On: Feb 10, 2018 07:48 PM IST |   4653

କଟକ (ଜିତ୍‌ ପଟ୍ଟନାୟକ):   ସଂସାରରେ ଅନେକ ଭଲ ଲୋକ ଅଛନ୍ତି । ତାହାର ଉଦାହରଣ ବି ଅନେକ । ଏପରି ଜଣେ ହେଉଛନ୍ତି କଟକର ସରୋଜ ସାହୁ । ସେ ଏସିଡ୍ ଆକ୍ରମଣର ଶୀକାର  ହୋଇଥିବା ପ୍ରମୋଦିନୀ ରାଉଳଙ୍କୁ ନିଜର ଜୀବନ ସାଥୀ କରିବାକୁ ଯାଉଛନ୍ତି । ଏଥିପାଇଁ ଫେବ୍ରୁଆରୀ ୧୪ ତାରିଖ ଭାଲେଣ୍ଟାଇନ ଡେ  ବା ପ୍ରେମ ଦିବସରେ ସରୋଜ ପ୍ରମୋଦିନୀଙ୍କର ନିର୍ବନ୍ଧ ଅନୁଷ୍ଠିତ ହେବ । ଲକ୍ଷ୍ମୌରେ ଏହି ନିର୍ବନ୍ଧ ଅନୁଷ୍ଠିତ ହେବ ।

୨୦୦୯ ମସିହା, ଜଗତସିଂପୁରରେ ଏକ ଅମାନବୀୟ ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଥିଲା । ଏକତରଫା ପ୍ରେମ ପାଇଁ  ଅର୍ଦ୍ଧସାମରିକ ବାହିନୀରେ ଚାକିରି କରୁଥିବା ଜଣେ କର୍ମଚାରୀ କଲେଜ ପଢୁଆ ଜଣେ ଝିଅ ଉପରେ ଏସିଡ୍‌ ପକାଇଦେଇଥିଲେ । ଏହାପରେ ଜୀବନ ସହ ସଂଗ୍ରାମ କରି ବଞ୍ଚିଯାଇଥିଲେ ଏହି ପୀଡିତା ପ୍ରମୋଦିନୀ । ପୁଲିସରେ ଅଭିଯୋଗ  ହୋଇଥିଲା , ତଦନ୍ତ ବି ହୋଇଥିଲା ହେଲେ ଅଭିଯୁକ୍ତ ଗିରଫ ହୋଇ ନଥିଲେ  । ଏପରିକି ପୁଲିସ ଏହି ମାମଲାର ଫାଇଲ ବନ୍ଦ କରି  ଦେଇଥିଲେ । ଏ ନେଇ ସମାଜ ଲାଇଭ୍‌.ଇନ୍‌ରେ ପ୍ରଥମେ ଖବର ପ୍ରକାଶିତ ହୋଇଥିଲା ।୧୮-୦୪-୨୦୦୯ରେ ପ୍ରମୋଦିନୀ ରାଉଳ ନିଜ ମାଉସୀପୁଅ ଭାଇ ସହ ତିର୍ତୋଲ କନକପୁରରେ ଆସୁଥିବା ବେଳେ ସେଠାରେ ଥିବା ଟୋଲିଫୋନ ଏକ୍ସଚେଞ୍ଜ ନିକଟରେ ଅର୍ଦ୍ଧସାମରିକ ବାହିନୀରେ କାମ କରୁଥିବା ସନ୍ତୋଷ କୁମାର ବେଦାନ୍ତ ହଠାତ ତାଙ୍କ ଉପରେ ଏସିଡ ଢାଳି ଦେଇଥିଲା । ଏହି  ସମୟରେ ଅଭିଯୁକ୍ତଙ୍କ ସହ ବିଶ୍ୱଜିତ ଦଳସିଂ ରାୟ ଯୁବକ ଥିଲା । ପ୍ରମୋଦିନୀ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଘଟଣାସ୍ଥଳରୁ ଏକ ମଟର ସାଇକେଲରେ ଫେରାରେ ହୋଇଯାଇଥିଲା । ଗୁରୁତର ଆହତ ପ୍ରମୋଦିନୀଙ୍କୁ ପ୍ରଥମେ ଜଗତସିଂହପୁର ଡାକ୍ତରଖାନା ପରେ କଟକ ଏସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଜୀବନ ସଂଗ୍ରାମରେ ଜିତିଯାଇଥିଲେ ପ୍ରମୋଦିନି । ହେଲେ ନିଜର ସୁନ୍ଦର ଚେହେରା ସହ ଦୃଷ୍ଟି ଶକ୍ତିକୁ ହରାଇ ବସିଛନ୍ତି ।  ଅଭିଯୁକ୍ତର କ୍ୟାମ୍ପ, ପ୍ରମୋଦିନିଙ୍କ କଲେଜ ନିକଟରେ ପଡିଥିଲା । ସେ ତାଙ୍କୁ ଦେଖି ଏକତରଫା ପ୍ରମେ କରିଥିଲା । ପ୍ରେମ ନିବେଦନ କରିଥିଲେ ବି ପ୍ରମୋଦିନୀ ମନା କରିଦେଇଥିଲେ । ଏହାପରେ ଅଭିଯୁକ୍ତ ସନ୍ତୋଷ ପ୍ରମୋଦିନୀଙ୍କ ଉପରେ ଏସିଡ ଢାଳି ଦେଇଥିଲେ । ପରେ ଅଦାଲତଙ୍କ ନିର୍ଦେଶ କ୍ରମେ ପୁଣି ଏହି ମାମଲାର ତଦନ୍ତ କରିଥିଲା ପୁଲିସ । ନଭେମ୍ବର ୨୬ ତାରିଖରେ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ପୁଲିସ ଘୋଷଣା କରିଥିଲା । ଘଟଣାର ୮ ବର୍ଷ ପରେ ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ ଘଟଣାରେ ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା । ଜଗତସିଂହପୁର ପୁଲିସ ସନ୍ତୋଷଙ୍କୁ କୋଲକତାରୁ ଗିରଫ କରିଥିବା ବେଳେ ନୟାଗଡ ଜିଲା ରଣସିଂହପୁରରୁ ଅନ୍ୟ ଅଭିଯୁକ୍ତ ବିଶ୍ବଜିତ୍ ଙ୍କୁ ଗିରଫ କରି ଥିଲା । ତଦନ୍ତରେ ଅବହେଳା ସହ ଏହି ମାମଲାକୁ ବନ୍ଦ କରି ଦେଇଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ୨ ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ଡିଏସ୍‌ପି(ଏସ୍‌ଡିପିଓ) ଆର କେ ଜେନା ଓ ଇନିସ୍‌ପେକ୍ଟର ଥିବା ଶଙ୍କର୍ଷଣ ଦଳାଇଙ୍କୁ ନିଲମ୍ବିତ କରାଯାଇଥିଲା ।

  ଏସିଡ୍‌ ଆକ୍ରମଣରେ ପ୍ରମୋଦିନୀଙ୍କର ଆଖି ସହ ମୁହଁ ଓ ଶରୀରର ବିଭିନ୍ନ ଅଂଶ ନଷ୍ଟ ହୋଇଯାଇଥିଲା । ସରୋ ୨୦୧୪ ଏପ୍ରିଲ ୮ ତାରିଖରେ ପ୍ରମୋଦିନୀଙ୍କୁ ଭେଟିଥିଲେ । ଏହାପରେ ପ୍ରମୋଦିନୀ ନ୍ୟାୟ ପାଇବା ପାଇଁ ତାଙ୍କ ସଂଗ୍ରାମରେ  ସରୋଜ ବାବୁ ସାମିଲ ହୋଇଥିଲା । ସେ ସମାଜସେବୀ ଶୁଭଶ୍ରୀ ଦାସଙ୍କ ସହ ସାକ୍ଷାତ କରିଥିଲେ । ଏହାପରେ ପ୍ରମୋଦିନୀଙ୍କୁ ନ୍ୟାୟ ଦେବା ପାଇଁ ସଂଗ୍ରାମ ଆରମ୍ଭ ହୋଇଥିଲା । ସରୋଜ ଏହାପରେ ପ୍ରମୋଦିନୀଙ୍କୁ ସାହାଯ୍ୟ କରିବା ଛାଡି ନ ଥିଲେ । ୨୦୧୬ ମସିହା ଜାନୁଆରି ୧୪ ତାରିଖରେ ସରୋଜ ପ୍ରମୋଦିନୀଙ୍କୁ  ପ୍ରେମ ନିବେଦନ କରିଥିଲେ । ସେ ସମୟରେ ପ୍ରମୋଦିନୀ ଠିକରେ ନିତି ଦିନିଆ କାମ କରିପାରୁ ନ ଥିବାରୁ କିପରି ସରୋଜଙ୍କ ପତ୍ନୀ ହେବେ ବୋଲି ପ୍ରଶ୍ନ କରିଥିଲେ । ମାତ୍ର ପ୍ରମୋଦିନୀଙ୍କୁ ନିଜର ଜୀବନ ସାଥୀ କରିବାକୁ ଠିକ୍‌ କରିଥିବାରୁ ସରୋଜ ହାର ମାନି ନ ଥିଲେ । ଏହାପରେ ପ୍ରମୋଦିନୀ ରାଜି ହୋଇଥିଲେ । ମାତ୍ର ପ୍ରଥମେ ପରିବାର ଲୋକ ସରୋଜଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ । ନିଜର ଉଭଣୀ କିମ୍ବା ନିଜ ଲୋକଙ୍କ ସହ ଏପରି ହୋଇଥିଲେ କଅଣ ଏପରି କରିଥାଆନ୍ତେ  ପ୍ରଶ୍ନକରିଥିଲେ । ଏହାପରେ ପରିବାର ଲୋକ ସରୋଜଙ୍କ କଥାକୁ ହୃଦୟଙ୍ଗମ କରିଥିଲେ ।

ପ୍ରମୋଦୀନୀ ଏବେ ଦିଲ୍ଲୀର ଏସିଡ୍‌ ଆକ୍ରମଣ ପୀଡିତାଙ୍କ ପାଇଁ ଥିବା ସଂଗଠନ ଛାଓ ପାଇଁ କାମ କରୁଛନ୍ତି । ଅନ୍ୟ ପୀଡିତାମାନେ ତାଙ୍କ ନିର୍ବନ୍ଧରେ ସାମିଲ ହେବାକୁ ଚାହୁଁଥିବାରୁ ଲକ୍ଷ୍ମୌରେ ଏହି ଉତ୍ସବର ଆୟୋଜନ ହେଉଛି । ଫାଇଟର ଶରେ ହ୍ୟାଙ୍ଗ ଆଉଟରେ ଏହି ଉତ୍ସହ ଭାଲେଣ୍ଟାଇ ଡେରେ ଅନୁଷ୍ଠିତ ହେବ । ଆଉ ବର୍ଷେ ପରେ ତାଙ୍କର ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ ବୋଲି ସରୋଜ କହିଛନ୍ତି । ସରୋଜଙ୍କୁ ଜୀବନସାଥୀ ଭାବେ ପାଇ ପ୍ରମୋଦିନୀ ବି ବହୁ ଖୁସୀ ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।