ଜାଣନ୍ତୁ ହୃଦ୍‌ରୋଗର କାରଣ ଓ ତା’ର ସୁରକ୍ଷା

.

Published On: Feb 09, 2018 12:28 PM IST | Updated On: Feb 09, 2018 12:29 PM IST |   870

ହୃଦ୍‌ରୋଗ ସାରା ପୃଥିବୀରେ ମୃତ୍ୟୁ ପ୍ରଥମ କାରଣ । ବ୍ୟବହାରିକ ଚିକିତ୍ସା ଦୃଷ୍ଟିରୁ ହୃଦ୍‌ରୋଗ ବିଭିନ୍ନ ପ୍ରକାରର । ସେଗୁଡ଼ିକ ହେଲା ୧. ହୃତପିଣ୍ଡକୁ ରକ୍ତ ଯୋଗାଉଥିବା କରୋନାରୀ ଧମନୀର ରୋଗ (ହାର୍ଟଆଟାକ)୨. ଉଚ୍ଚ ରକ୍ତଚାପ ଜନିତ ହୃଦ୍‌ରୋଗ ୩. ଆଣ୍ଠୁଗଣ୍ଠିବାତ ଜନିତ (ରୁ୍ୟମାଟିକ୍‌)ହୃଦ୍‌ରୋଗ ୪. ବିଶେଷ କାରଣ ଜଣା ନପଡ଼ି ହୃତପିଣ୍ଡ ଫୁଲି ବଡ଼ ହୋଇଯିବା ରୋଗ ୫. ହୃତ୍‌ପିଣ୍ଡର ସ୍ୱାଭାବିକ ଗତି ବେଶି ଓ କମ୍‌ ହୋଇ ସମସ୍ୟା ସୃଷ୍ଟି କରିବା (ହାର୍ଟ ଆରିଦ୍‌ମିଆ) ୬. ଜନ୍ମଗତ ହୃଦ୍‌ରୋଗ ୭. ହୃତ୍‌ପିଣ୍ଡ ଭିତରେ ଥିବା କବାଟଗୁଡ଼ିକର ରୋଗ (ଭଲଭୁଲାର ହାର୍ଟ ଡ଼ିଜିଜ୍‌) ୮. ହୃତ୍‌ପିଣ୍ଡରୁ ବାହାରି ଥିବା ଧମନୀ ଗୁଡ଼ିକର ରୋଗ, ବୃହତ୍‌ ଧମନୀର ରୋଗ (ଆଓଟିକ୍‌ ଆନିରୁଜିମ୍‌) ୯. ହୃତ୍‌ପିଣ୍ଡ ବାହାରେ ଥିବା ଧମନୀ ଗୁଡ଼ିକର ରୋଗ ୧୦. ମସ୍ତିଷ୍କ ଧମନୀର ରୋଗ (ଷ୍ଟ୍ରୋକ୍‌ ଓ ପାରାଲିସିସ୍‌) ୧୧. ଶିରାର ରୋଗ (ଭେନସ୍‌ ଥ୍ରମ୍ବୋସିସ୍‌) ୧୨. ହୃତ୍‌ପିଣ୍ଡ ନିଜ କାର୍ଯ୍ୟ କରିବାକୁ ଅକ୍ଷମ (ହାର୍ଟ ଫେଲୁ୍ୟୟର) ଆଦି ।

କେଉଁ କାରଣରୁ କେଉଁ ପ୍ରକାର ହୃଦ୍‌ରୋଗ ହୋଇଛି ଡ଼ାକ୍ତରମାନେ ରୋଗୀ ସହିତ କଥାବାର୍ତ୍ତା ହୋଇ ପରୀକ୍ଷା କରି ଜାଣିପାରନ୍ତି । କରୋନାରୀ ଧମନୀ (ହାର୍ଟ ଧମନୀ), ମସ୍ତିଷ୍କ ଧମନୀ ଓ ଶରୀରର ଅନ୍ୟାନ୍ୟ ଧମନୀର ରୋଗ ମୁଖ୍ୟତଃ ଧମନୀ କାନ୍ଥରେ ଚର୍ବି (କୋଲେଷ୍ଟେରଲ) ଜମିବାରୁ ହୋଇଥାଏ । ଏହାକୁ ‘ଆଥେରୋ ସ୍କୋରୋସିସ୍‌’ କୁହାଯାଏ । ଏଥିରେ ଧମନୀ ହାଡ଼ ପରି ଟାଣ ହୋଇଯାଏ । ପରେ ଏଥିରେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇପାରେ ନାହିଁ ।

ଆଥେରୋ ସ୍କୋରୋସିସ୍‌ର ଅନ୍ୟାନ୍ୟ ମୁଖ୍ୟ କାରଣ ଗୁଡ଼ିକ ହେଲା ଉଚ୍ଚ ରକ୍ତଚାପ, ମଧୁମେହ, ପୃଥୁଳତା, ଧୂମପାନ, ବ୍ୟାୟାମ ତଥା ପରିଶ୍ରମର ଅଭାବ, ରକ୍ତରେ କୋଲେଷ୍ଟେରଲ ତଥା ଟ୍ରାଇଗ୍ଲିସେରାଇଡ଼ ମାତ୍ରା ବୃଦ୍ଧି, ଖାଦ୍ୟରେ ଅଧିକ ତେଲ, ଘିଅ, ଚର୍ବି ଖାଇବା ଏବଂ ଅଧିକରୁ ଅଧିକ ମଦ ପିଇବା । ହୃଦ୍‌ରୋଗ ଜନିତ ମୃତ୍ୟୁର ପ୍ରମୁଖ କାରଣ ଉଚ୍ଚରକ୍ତଚାପ ଶତକଡ଼ା ୧୩ ଭାଗ, ବିଡ଼ି ସିଗାରେଟ ଗୁଣ୍ଡ ଭଳି ତମାଖୁ ସେବନ ଶତକଡ଼ା ୯ ଭାଗ, ମଧୁମେହ ଶତକଡ଼ା ୬ ଭାଗ, ପ୍ରାତଃଭ୍ରମଣ ଏବଂ ବ୍ୟାୟାମ ନକରିବା ଶତକଡ଼ା ୬ ଭାଗ, ମୋଟା ହେବା ଶତକଡ଼ା ୫ଭାଗ ଆଦି ବର୍ତ୍ତମାଡ଼ ଡ଼ାକ୍ତରୀ ଗବେଷଣାରୁ ଜଣାପଡ଼ିଲାଣି । ଶତକଡ଼ା ୯୦ ଭାଗ ହୃଦ୍‌ରୋଗ ସତର୍କ ହେଲେ ପ୍ରତିରୋଧ କରାଯାଇପାରିବ ।

ଯଦି ଶରୀରର ଧମନୀ ଗୁଡ଼ିକରେ ଆଥେରୋ ସ୍କୋରୋସିସ୍‌ ବନ୍ଦ କରାଯାଇପାରିବ, ତା’ହେଲେ ହୃଦ୍‌ରୋଗରେ ମୃତ୍ୟୁର ତାଣ୍ଡବକୁ ରୋକାଯାଇପାରିବ । ସେଥିପାଇଁ ସୁଷମ ଖାଦ୍ୟ ଖାଇବା, ଖାଦ୍ୟରେ ତେଲ ଘିଅ ଚର୍ବି କମ୍‌ ଖାଇବା, ତମାଖୁ, ମଦ ନଖାଇବା, ଦୈନିକ ଏକ ଘଣ୍ଟା ପ୍ରାତଃଭ୍ରମଣ ବା ବ୍ୟାୟାମ କରିବା, ଯୋଗ, ପ୍ରାଣାୟାମ, ପୂଜା, ପ୍ରାର୍ଥନା, ଋତୁ ଅନୁସାରେ ସବୁଜ ପନିପରିବା, ଫଳ ଖାଇବା, ଦିନକୁ ଛଅ ଥର ଅଳ୍ପ ଅଳ୍ପ ଖାଇବା, କେବେ ପେଟ ନପୂରାଇ ଖାଇବା ଆଦି ଭଳି ଦୈନିକ ଅଭ୍ୟାସ କରିବା ଆବଶ୍ୟକ । ହୃଦ୍‌ରୋଗର ପ୍ରମୁଖ କାରଣ ମଧୁମେହ, ଉଚ୍ଚ ରକ୍ତଚାପ, ପୃଥୁଳତା ଆଦି ଭଳି ରୋଗକୁ ସଘନ ଚିକିତ୍ସା ଆୟତ୍ତରେ ରହିବା ଆବଶ୍ୟକ । ଏହି ରୋଗଗୁଡ଼ିକର ପ୍ରତିରୋଧ ପାଇଁ ୯୦ ମନେ ରଖିବା ଉଚିତ । ଚିକିତ୍ସା କରି ମଧୁମେହରେ ରକ୍ତ ଶର୍କରା ୯୦ ମିଲିଗ୍ରାମ୍‌, ଉଚ୍ଚ ରକ୍ତଚାପରେ ତଳ ଅଙ୍କ ୯୦ ମିଲିମିଟର ପାରଦରୁ ତଳେ, ପୃଥୁଳତା ପାଇଁ ନାହି ଉପରେ ପେଟର ମାପ ୯୦ ସେଣ୍ଟିମିଟର, କୋଲେଷ୍ଟେରଲ ନିୟନ୍ତ୍ରଣ ପାଇଁ ଏଲ୍‌ଡ଼ିଏଲ୍‌ କୋଲେଷ୍ଟେରଲ ମାତ୍ରା ୯୦ ମିଲିଗ୍ରାମ୍‌ ତଳେ ରହିବା ଆବଶ୍ୟକ ।

ହୃଦ୍‌ରୋଗ ହେବା ପୂର୍ବରୁ ଏହାକୁ ପ୍ରତିରୋଧ କରିବା ଏକାନ୍ତ ଆବଶ୍ୟକ । ଚାଳିଶ ବର୍ଷ ପରେ ବର୍ଷକୁ ଥରେ ହୃଦ୍‌ରୋଗ ପାଇଁ ସଘନ ପରୀକ୍ଷା ଆବଶ୍ୟକ । ସବୁପ୍ରକାର ହୃଦ୍‌ରୋଗର ଲକ୍ଷଣ ଅଳ୍ପେ ବହୁତ ସମାନ । ଛାତିରେ ଯନ୍ତ୍ରଣା, ଅଣନିଶ୍ୱାସୀ ଲାଗିବା, ଅଧିକ ଦୁର୍ବଳ ଲାଗିବା, ନାଡ଼ିର ଗତି ବଢ଼ିବା ବା କମିବା, ପାହାଚ ଉଠିବାରେ କଷ୍ଟ ହେବା, ଗୋଡ଼ ପେଟ ମୁହଁ ଫୁଲିବା ଆଦି ବିଭିନ୍ନ ଅବସ୍ଥା ହୃଦ୍‌ରୋଗର ଲକ୍ଷଣ । ଏଭଳି ରୋଗଗୁଡ଼ିକ ଏସି, ଇନହିବିଟର, ଏଆରବି, ବିଟାବ୍ଲକର, ସ୍କାଟିନ, ଡ଼ିଜିଟାଲିସ, ଡ଼ାୟୁୟେରେଟିକ ଆଦି ଭଳି ଔଷଧ ଦ୍ୱାରା ଚିକିତ୍ସା କରାଯାଇଥାଏ ।

Tags:

Like Us

Breaking News

ବାଲେଶ୍ବର: ସୋର ସଜନପୁରରେ ଭୟାବହ ଅଗ୍ନିକାଣ୍ଡ, ୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ପହଞ୍ଚିଲାନି ଦମକଳ ବାହିନୀ ଆଠଗଡ଼: ଖୁଣ୍ଟୁଣୀ ରେଞ୍ଜ ପାଇକେରାପୁରରେ ହାତୀ ଛୁଆ ମୃତଦେହ ଠାବ ଧର୍ମଗଡ଼: କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କାଲପୋଲା ଛକ ନିକଟରେ ବ୍ୟାଣ୍ଡପାର୍ଟି ପିକଅପ୍‌ ଭ୍ୟାନ ଓ ଟ୍ରକ୍‌ ଧକ୍କାରେ ୨ ମୃତ, ୨୪ ଆହତ ଯାଜପୁର : ଯାଜପୁର ଜିଲ୍ଲା ପଂଚାୟତ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣୀ ବିଚିତ୍ରାନନ୍ଦ ମହାନ୍ତିକୁ ଜିଲ୍ଲାପାଳ ସରକାରୀ ଚାକିରିରୁ ବହିଷ୍କାର କଲେ। ତାଙ୍କ ବିରୁଦ୍ଧରେ ଏକ କୋଟି ଅଠ।ନବେ ଲକ୍ଷ ଟଂକାର ଅନିୟମିତତା ଅଭିଯୋଗ ନେଇ ମାମଲା ରୁଜୁ ହୋଇଛି।