ପାସ୍‌ପୋର୍ଟରୁ ଅଭିଭାବକଙ୍କ ନାମ, ଠିକଣା ବାଦ୍‌ ପଡିବ

.

Copy Editor RRM | Published On: Jan 13, 2018 11:24 PM IST |   220

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାସ୍‌ପୋର୍ଟ ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ ପୂର୍ବକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିକ୍ରମେ ଏଣିକି ପାସ୍‌ପୋର୍ଟରୁ ମାତା ପିତାଙ୍କ ନାମ ଓ ଠିକଣା ବାଦ୍‌ ଦିଆଯିବ । ସାଧାରଣତଃ ପାସ୍‌ପୋର୍ଟର ଶେଷ ପୃଷ୍ଠାରେ ଏସବୁ ବ୍ୟକ୍ତିଗତ ତଥ୍ୟାବଳୀ ରହିଥାଏ । ମାତ୍ର ଏଣିକି ଏହି ତଥ୍ୟାବଳୀ ବିନା ନୂତନ ପାସ୍‌ପୋର୍ଟ ମୁଦ୍ରଣ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି । ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ସ୍ୱାମୀଙ୍କଠାରୁ ଅଲଗା ହୋଇ ରହୁଥିବା ଜଣେ ମା’ ତାଙ୍କ ଶିଶୁ୍‌ଙ୍କ ପାଇଁ କରିଥିବା ଏକ ଆବେଦନକୁ ଭିତ୍ତି କରି ପାସ୍‌ପୋର୍ଟ ଆବେଦନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗର ସମୀକ୍ଷା ନିମନ୍ତେ ବୈଦେଶିକ ମନ୍ତ୍ରଣାଳୟ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ପାସ୍‌ପୋର୍ଟରେ ପିତାଙ୍କ ନାମ ଉଲ୍ଲେଖ ନ କରିବା ଲାଗି ହୋଇଥିବା ଆବେଦନ, ସିଙ୍ଗଲ ଅଭିଭାବକ ତଥା ପୋଷ୍ୟ ସନ୍ତାନମାନଙ୍କ କ୍ଷେତ୍ରରେ ପାସ୍‌ପୋର୍ଟ ଜାରି ସମ୍ବନ୍ଧୀୟ ଘଟଣାଗୁଡିକୁ ସମୀକ୍ଷା କରି କମିଟି ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ, ତାହାକୁ ଭିତ୍ତି କରି ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ତେବେ ନୂତନ ପାସ୍‌ପୋର୍ଟ ବହି ପ୍ରକାଶନ ପର୍ଯ୍ୟନ୍ତ ବର୍ତ୍ତମାନର ପାସ୍‌ପୋର୍ଟଧାରୀଙ୍କ ପାଇଁ ଉଦ୍ଦିଷ୍ଟ ଆବେଦନ ପତ୍ରରେ ମାତା ପିତାଙ୍କ ପରିଚୟ ଓ ଠିକଣା ସମ୍ବନ୍ଧୀୟ ତଥ୍ୟ ପୂର୍ବବତ୍‌ ଉଲ୍ଲେଖ ରହିବ ବୋଲି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି । ବ୍ୟକ୍ତିଗତ ଠିକଣା ଲାଗି ଉଦ୍ଦିଷ୍ଟ ଶେଷ ପୃଷ୍ଠା ବିନା ନୂତନ ପାସ୍‌ପୋର୍ଟ ମୁଦ୍ରଣର ସୁସଙ୍ଗତି ବିଷୟରେ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂସ୍ଥା (ଆଇସିଏଓ) ସହିତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ୧୯୬୭ ପାସ୍‌ପୋର୍ଟ ଆଇନ ଏବଂ ୧୯୮୦ ପାସ୍‌ପୋର୍ଟ ନିୟମ ଅଧୀନରେ ଜାରି କରାଯାଇଥିବା ପାସ୍‌ପୋର୍ଟ ଏବଂ ଯାତ୍ରା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ଏଣିକି ଆଉ ମୁଦ୍ରଣ ହେବ ନାହିଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଉଲ୍ଲେଖ ଯେ, ନାସିକ୍‌ ସ୍ଥିତ ଭାରତୀୟ ନିରାପତ୍ତା ପ୍ରକାଶନ (ଆଇଏସ୍‌ପି) ସଂସ୍ଥାରେ ନାରଙ୍ଗୀ ରଙ୍ଗର ନୂତନ ପାସ୍‌ପୋର୍ଟ ଡିଜାଇନ୍‌ ପ୍ରସ୍ତୁତ କରାଯାଇ ମୁଦ୍ରଣ ହେବ । ତେବେ ପ୍ରବାସନ ଯାଞ୍ଚ ଆବଶ୍ୟକ (ଇସିଆର୍‌) ବର୍ଗଙ୍କୁ ନାରଙ୍ଗୀ ଏବଂ ପ୍ରବାସନ ଯାଞ୍ଚ ଆବଶ୍ୟକ ନ ଥିବା (ନନ୍‌-ଇସିଆର୍‌) ବର୍ଗଙ୍କୁ ନୀଳ ରଙ୍ଗର ପାସ୍‌ପୋର୍ଟ ଜାରି କରାଯିବ ବୋଲି ମୁଖପାତ୍ର କହିଛନ୍ତି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।