ତିନି ବର୍ଷରେ କେନ୍ଦ୍ର ଦେବ ୨୩୦କୋଟି

ମାଓପ୍ରବଣ କୋରାପୁଟ ଓ ମାଲକାନଗିରି ଜିଲାରେ ଭିତ୍ତିଭୂମି ବିକାଶ

Copy Editor AH | Published On: Jan 13, 2018 11:05 PM IST |   89



ଭୁବନେଶ୍ୱର  : ମାଓବାଦ ଦ୍ୱାରା କ୍ଷତିଗ୍ରସ୍ତ ଜିଲାଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସରକାର ନିର୍ଦ୍ଧାରଣ କରିଥିବା ସ୍ୱତନ୍ତ୍ର ବିଧି ବ୍ୟବସ୍ଥାରେ ଓଡ଼ିଶାକୁ ମିଳିବ ୨୩୦କୋଟି ଟଙ୍କା। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ପଲିସି ଏଣ୍ଡ ଆକ୍ସନ ପ୍ଲାନ୍‌(ଏନ୍‌ପିଏପି) ନାମରେ ନିର୍ଦ୍ଧାରିତ ଏହି ନୀତି ଅନୁସାରେ ସ୍ୱତନ୍ତ୍ର ସହାୟତା ଭାବେ ମାଓବାଦୀ ଅଧ୍ୟୁଷିତ ଜିଲାରେ ଭିତ୍ତିଭୂମି ବିକାଶ ପାଇଁ ତିନି ବର୍ଷ ମଧ୍ୟରେ ଏହି ଟଙ୍କା ମିଳିବ। ସମ୍ପୃକ୍ତ ଅଞ୍ଚଳର ସାମଗ୍ରିକ ବିକାଶ, ଲୋକଙ୍କ ସୁରକ୍ଷା, ଜଙ୍ଗଲ ଜମି ଅଧିକାର ପ୍ରଦାନ ଆଦି କ୍ଷେତ୍ରରେ ଏହି ଟଙ୍କା ବିନିଯୋଗ ହେବ। ମାଓବାଦୀ ଅଧ୍ୟୁଷିତ କୋରାପୁଟ ଓ ମାଲକାନଗିରି ଜିଲାରେ ଏହି ଅର୍ଥ ବ୍ୟୟ ହେବ।


ପ୍ରତି ଜିଲା ଚଳିତ ଆର୍ଥିକ ବର୍ଷରେ ୨୮କୋଟି ୫୭ଲକ୍ଷ ଟଙ୍କା ଲେଖାଏଁ ପାଇବେ। ଚଳିତ ଆର୍ଥିକ ବର୍ଷ ଆଉ ମାତ୍ର ଦୁଇ ମାସ ପାଖାପାଖି ବାକି ଥିବାବେଳେ ଦୁଇ ଜିଲାରେ ବିନିଯୋଗ ପାଇଁ ମୋଟ ୫୭କୋଟି ୧୪ଲକ୍ଷ ଟଙ୍କା ମିଳିବ। ଉଲ୍ଲେଖଯୋଗ୍ୟ ଯେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏଥିପାଇଁ ଦେଶର ୩୫ଟି ଜିଲାକୁ ବାଛିଚି ଓ ସେଥିମଧ୍ୟରେ ଓଡ଼ିଶାର ଏହି ଦୁଇ ଜିଲା ରହିଛି।
ଏହାଛଡ଼ା ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନାରେ ଏହି ଦୁଇ ଜିଲାକୁ ତିନି ବର୍ଷ ଯାଏ ବର୍ଷକୁ ଅଧିକ ୨କୋଟି ଲେଖାଏଁ ଟଙ୍କା ମିଳିବ। ଏଥିରେ ମାଓବାଦୀଙ୍କ ସହ ଅଧିକ ମୁହାଁମୁହିଁ ହେଉଥିବା ସମ୍ପୃକ୍ତ ଜିଲାର ପୁଲିସ ଥାନାକୁ ଶକ୍ତିଶାଳୀ କରାଯିବ। ଏହି ଯୋଜନାରେ ତୁଳନାତ୍ମକ ଭାବେ କମ୍‌ ମାଓବାଦୀପ୍ରବଣ ଅନ୍ୟ ୧୭ଟି ଜିଲାକୁ ପ୍ରତି ବର୍ଷ କୋଟିଏ ଲେଖାଏଁ ଟଙ୍କା ତିନି ବର୍ଷ ପର୍ଯ୍ୟନ୍ତ ମିଳିବ।


ସୂଚନାନୁଯାୟୀ, ଏହି ଅର୍ଥର ସୁବିନିଯୋଗ ପାଇଁ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ସେହିପରି ଜିଲାସ୍ତରରେ ମଧ୍ୟ ଜିଲାପାଳଙ୍କ ଅଧ୍ୟକ୍ଷତାରେ କମିଟି କାର୍ଯ୍ୟକରିବ। ଏଥିରେ ଜିଲା ପୁଲିସ ଅଧୀକ୍ଷକ ଓ ଜିଲା ଜଙ୍ଗଲ ଅଧିକାରୀ ସଦସ୍ୟ ରହିବେ। ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ଦ୍ୱାରା ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟସ୍ତରୀୟ କମିଟି ଏହାର ତଦାରଖ କରିବ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରହିଥିବା ପାର୍ଥକ୍ୟ ଦୂର କରିବା ପାଇଁ ଏଥିରେ ଉଦ୍ୟମ କରାଯିବ।
ଓଡ଼ିଶାର ୧୯ଟି ଜିଲାରେ ମାଓବାଦୀ ସକି୍ରୟ ଥିବାବେଳେ କୋରାପୁଟ ଓ ମାଲକାନଗିରି ଜିଲାରେ ସର୍ବାଧିକ ହିଂସାକାଣ୍ଡ ଘଟୁଛି। ଅପରପକ୍ଷରେ ଓଡ଼ିଶା ସରକାର ଏହି ଯୋଜନାରେ ରାଜ୍ୟର ଅନ୍ୟତମ ମାଓବାଦପ୍ରବଣ ଜିଲା କଳାହାଣ୍ଡିକୁ ସାମିଲ କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି। କେନ୍ଦ୍ର ସରକାର ଏହାର କୌଣସି ଉତ୍ତର ଦେଇ ନାହାନ୍ତି।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।