ମାର୍କରାମ ଓ ଆମ୍‌ଲାଙ୍କ ଅର୍ଦ୍ଧଶତକ ; ଦ. ଆଫ୍ରିକା ୬/୨୬୯

ଅଶ୍ୱିନଙ୍କୁ ୩ ୱିକେଟ

Copy Editor AH | Published On: Jan 13, 2018 10:53 PM IST | Updated On: Jan 13, 2018 10:54 PM IST |   163


ସେଞ୍ଚୁରିଅନ୍‌ : ଆଶାର ବିପରୀତ ସେଞ୍ଚୁରିଅନ୍‌ର ସୁପରସ୍ପୋର୍ଟସ ପାର୍କର ପିଚ୍‌ ଭାରତୀୟ ପିଚ୍ ଭଳି ଦିଶୁଥିଲା । ପିଚ୍‌ରେ ଘାସ ପ୍ରାୟ ନଥିବା ବେଳେ ଏହା ଶୁଖିଲା ଥିଲା । ଶନିବାର ଏଠାରେ ଆରମ୍ଭ ହୋଇଥିବା ୨ୟ ଟେଷ୍ଟମ୍ୟାଚ୍‌ରେ ଏପରି ବ୍ୟାଟିଂ ସହାୟକ ପିଚ୍‌ରୁ ଫାଇଦା ଉଠାଇ ଦକ୍ଷିଣ ଆଫ୍ରିକାର ବ୍ୟାଟ୍‌ସମ୍ୟାନ୍‌ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ହେଁ ୨ଟି ରନ୍‌ଆଉଟ୍‌ ଏବଂ ୩ୟ ଅଧିବେଶନରେ ୪ଟି ୱିକେଟ ନେଇ ଭାରତ ମ୍ୟାଚ୍‌କୁ ଫେରିପାରିଛି । ଏହି ପିଚ୍‌ରେ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଭଲ ବୋଲିଂ କରିଥିଲେ ହେଁ ଐଡେନ୍‌ ମାର୍କରାମ୍‌ ଓ ହାସିମ୍‌ ଆମ୍‌ଲାଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଏକ ଭଲ ସ୍କୋର୍‌ଆଡ଼କୁ ଅଗ୍ରସର ହେଉଥିଲା । ତେବେ ୫୨ ରନ୍‌ରେ ୪ଟି ୱିକେଟ ହରାଇ ଭାରତ ଘରୋଇ ଦଳର ପଥରୋଧ କରିପାରିଛି । ଶନିବାର ପ୍ରଥମ ଦିନ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୨୬୯ ରନ୍‌ କରିପାରିଛି । ଫଳରେ ପ୍ରଥମଦିନ ଉଭୟ ଦଳ ସମ୍ମାନ ଭାଗ କରିଛନ୍ତି ।


ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିଲେ ହେଁ ଘାସ ଓ ବାଉନ୍‌ସ ଥିବା ପିଚ୍‌ରେ ଭାରତୀୟ ପେସ୍‌ ବୋଲରଙ୍କ ମାରାତ୍ମକ ବୋଲିଂ ଦେଖି ବୋଧହୁଏ ଘରୋଇ ଦଳ ଏହି ପିଚ୍‌ରେ କମ୍‌ ଘାସ ରଖିବା ନିଷ୍ପତ୍ତି ନେଇଥିଲା । କ୍ରମାଗତ ୨ୟ ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନେଇଥିଲା । ପ୍ରଥମ ଅଧିବେଶନ୍‌ରେ ଭାରତକୁ କୌଣସି ୱିକେଟ ମିଳିନଥିଲା ଏବଂ ୭୮ ରନ୍‌ ହୋଇଥିଲା । ଐଡେନ୍‌ ମାର୍କରାମ୍‌ କିଛି ଦର୍ଶନୀୟ ଷ୍ଟ୍ରୋକ୍‌ ଖେଳି ଚାଲିଥିବା ବେଳେ ତାଙ୍କ ଓପ୍‌ନିଂ ଯୋଡ଼ି ଡିନ୍‌ ଏଲ୍‌ଗାର ଜଗିରଖି ଖେଳିଥିଲେ । ଭୋଜନ ବିରତି ପରେ ଭାରତକୁ ପ୍ରଥମ ସଫଳତା ମିଳିଥିଲା । ଅଶ୍ୱିନଙ୍କୁ ବାମହାତି ଏଲ୍‌ଗାର ଏକ ଡ୍ରାଇଭ୍‌ ମାରିଥିବା ବେଳେ ବଲ୍‌ ଫରୱାର୍ଡ ସର୍ଟଲେଗ୍‌ରେ ଥିବା ମୁରଲୀ ବିଜୟଙ୍କ ପେଟରେ ବାଜିବାରୁ ଏହାକୁ ସେ ଧରି ନେଇଥିଲେ । ଏଲ୍‌ଗାର ୪ଟି ଚୌକା ସହ ୩୧ ରନ୍‌ କରିଥିଲେ । ୮୫ ରନ୍‌ର ପ୍ରଥମ ୱିକେଟ ଭାଗିଦାରୀ ପରେ ମାର୍କରାମ ଓ ହାସିମ୍‌ ଆମ୍‌ଲା ୨ୟ ୱିକେଟ ପାଇଁ ୬୩ ରନ୍‌ ଯୋଡ଼ିଥିଲେ । ତେବେ ଅଶ୍ୱିନ୍‌ଙ୍କ ବଲ୍‌ରେ କଟ୍‌ ବିହାଇଣ୍ଡ୍‌ ହୋଇ ମାତ୍ର ୬ ରନ୍‌ ପାଇଁ ଜୀବନର ୩ୟ ଟେଷ୍ଟ ଶତକରୁ ମାର୍କରାମ ବଞ୍ଚିତ ହୋଇଥିଲେ । ୧୫୦ ବଲ୍‌ରୁ ୧୫ଟି ଦର୍ଶନୀୟ ଚୌକା ସହ ମାର୍କରାମ ୯୪ ରନ୍‌ କରିଥିଲେ । ପରେ ଦଳର ଦୁଇ ସବୁଠାରୁ ଅଭିଜ୍ଞ ଖେଳାଳି ଆମ୍‌ଲା ଓ ଏବି ଡି’ଭିଲିଅର୍ସ ୩ୟ ୱିକେଟ ପାଇଁ ୫୧ ରନ୍‌ର ଭାଗିଦାରୀ କରିବା ପରେ ଈଶାନ୍ତ ଶର୍ମାଙ୍କ ଅଫ୍‌ଷ୍ଟମ୍ପ୍‌ ବାହାରର ବଲ୍‌କୁ ନିଜ ଷ୍ଟମ୍ପ୍‌କୁ ମାରିଥିଲେ ଡି’ଭିଲିଅର୍ସ । ପ୍ରଥମ ଟେଷ୍ଟର ସଫଳତମ ବ୍ୟାଟ୍‌ସମ୍ୟାନ୍‌ ଏବି ଡି’ଭିଲିଅର୍ସ ମାତ୍ର ୨୦ ରନ୍‌ କରି ପାରିଥିଲେ । ଆମ୍‌ଲା ଚମତ୍କାର ବ୍ୟାଟିଂକରି ଜୀବନର ୨୯ତମ ଟେଷ୍ଟ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କ ସିଧା ଥ୍ରୋରେ ରନ୍‌ଆଉଟ ହୋଇଥିଲେ । ଆମ୍‌ଲା ୧୫୩ ବଲ୍‌ରୁ ୧୪ଟି ଚୌକା ସହ ୮୨ ରନ୍‌କରି ଆଉଟ ହୋଇଥିଲେ । କ୍ୱିଣ୍ଟନ ଡି କକ୍‌ ଖାତା ଖୋଲିବା ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନଙ୍କ ୩ୟ ଶିକାର ହୋଇଥିଲେ । ୫୨ ରନ୍‌ରେ ୪ଟି ୱିକେଟ ନେଇ ଭାରତୀୟ ଶିବିର ଉତ୍ସାହିତ ଲାଗୁଥିଲେ ହେଁ ଶେଷ ୭ ଓଭର ଦଳକୁ ଆଉ ୱିକେଟ ମିଳିନଥିଲା । ଷ୍ଟମ୍ପ୍‌ ଅପସାରଣ ବେଳକୁ ଅଧିନାୟକ ଫାଫ୍‌ ଡୁ ପ୍ଲେସି ୨୪ ଓ କେଶବ ମହାରାଜ ୧୦ ରନ୍‌କରି ଅପରାଜିତ ଅଛନ୍ତି । ଅଶ୍ୱିନ ୯୦ ରନ୍‌ଦେଇ ୩ଟି ୱିକେଟ ଏବଂ ଈଶାନ୍ତ ଅନ୍ୟ ୱିକେଟ୍‌ଟି ପାଇଥିଲେ ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।