ପ୍ରଭାତଙ୍କ ସମେତ ୫ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌

‘ସି-ସୋର’ ଚିଟ୍‌ଫଣ୍ଡ ଠକେଇ

Copy Editor AH | Published On: Jan 13, 2018 09:43 PM IST |   232

ଭୁବନେଶ୍ୱର : ‘ସି-ସୋର’ ଚିଟ୍‌ଫଣ୍ଡ ଠକେଇ ମାମଲାର ଦ୍ୱିତୀୟ ଚାର୍ଜସିଟ ସିବିଆଇ ପକ୍ଷରୁ ଦାଖଲ କରାଯାଇଛି । ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ, ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ୱାଳ, ଅବସରପ୍ରାପ୍ତ ବରିଷ୍ଠ ଓଏଏସ ଅଧିକାରୀ ପ୍ରଦୀପ ହୋତା, ତାଙ୍କ ପତ୍ନୀ ପ୍ରତିମା ହୋତାଙ୍କ ସମେତ ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ନାମରେ ଏହି ଚାର୍ଜସିଟ ଦାଖଲ କରାଯାଇଛି । ଏଥି ସହିତ ସି-ସୋର ମଲ୍ଟି ପର୍ପସ କୋ-ଅପରେଟିଭ ଲିମିଟେଡ଼ ବିରୋଧରେ ମଧ୍ୟ ଚାର୍ଜସିଟ ଦାଖଲ କରାଯାଇଛି। ଏକଶହ ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ ଉପରୋକ୍ତ ୫ଜଣଙ୍କୁ ସିବିଆଇ ଦୋଷୀ ବୋଲି ଦର୍ଶାଇଛି।


ଚୌଦ୍ୱାର-କଟକ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳ ସି-ସୋର କମ୍ପାନୀକୁ ସୁରକ୍ଷା ଦେଉଥିଲେ। ଏଥି ଯୋଗୁଁ କଟକ ଓ ଆଖପାଖ ଅଞ୍ଚଳରେ ସି-ସୋର କମ୍ପାନୀ ପକ୍ଷରୁ ଏକାଧିକ ବ୍ୟବସାୟ ଆରମ୍ଭ କରାଯାଇଥିଲା ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି । ବିଧାୟକଙ୍କ ପତ୍ନୀ ପ୍ରଶାନ୍ତ ସହ ଜମି କେଳଙ୍କାରୀ ଥିବା ସିବିଆଇ ପକ୍ଷରୁ ଦର୍ଶାଯାଇଛି। ଜାଲ କାଗଜପତ୍ର ଦ୍ୱାରା ସେ ୨୫ଲକ୍ଷ ଟଙ୍କା ନେଇଥିବା ସିବିଆଇ ଉଲ୍ଲେଖ କରିଛି। ବିଧାୟକ ଶ୍ରୀ ବିଶ୍ୱାଳ ଯେଭଳି ଢଙ୍ଗରେ କମ୍ପାନୀକୁ ପ୍ରୋତ୍ସାହିତ କରୁଥିଲେ ସେ ସଂକ୍ରାନ୍ତରେ ସିବିଆଇ ପକ୍ଷରୁ ସବିଶେଷ ତଥ୍ୟ ଦାଖଲ କରାଯାଇଛି। ଏପରିକି ଏ ସବୁକୁ ପ୍ରମାଣ କରିବାକୁ ସଂସ୍ଥା ପକ୍ଷରୁ ୬୦ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରାଯାଇ ଅଦାଲତରେ ଉପସ୍ଥାପନ କରାଯାଇଛି।


ସେହିପରି ଅବସରପ୍ରାପ୍ତ ବରିଷ୍ଠ ଓଏଏସ ଅଧିକାରୀ ପ୍ରଦୀପ ହୋତା ଇପିକଲର ପରିଚାଳନା ନିର୍ଦେଶକ ଥିବାବେଳେ ସି-ସୋର ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିଲେ ବୋଲି ସିବିଆଇ ପକ୍ଷରୁ ଦର୍ଶାଯାଇଛି। ସେ ତାଙ୍କ ପତ୍ନୀ ପ୍ରତିମା ହୋତା ସି-ସୋରଠାରୁ ୧୯ଲକ୍ଷରୁ ଅଧିକ ଟଙ୍କା ନେଇଥିବା ସିବିଆଇ ଚାର୍ଜସିଟରେ ଉଲ୍ଲେଖ କରିଛି।


ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ବିରୋଧରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ସିବିଆଇ ପକ୍ଷରୁ ଚାର୍ଜସିଟ୍‌ରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ୫ଜଣଙ୍କ ବିରୋଧରେ ଠକେଇ, ଅପରାଧିକ ଷଡ଼ଯନ୍ତ୍ର ଓ ଜାଲିଆତି ଭଳି ସଙ୍ଗିନ ଦଫା ଲାଗିଛି ।


ପୂର୍ବରୁ ପ୍ରଶାନ୍ତ ଦାଶ ତାଙ୍କ ଭାଇ ପ୍ରଭାତ ଦାଶ ଓ ଶୁଭଙ୍କର ନାୟକଙ୍କ ନାମରେ ସିବିଆଇ ୨୭୬ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍‌ ଦାଖଲ କରିଥିଲା। ସି-ସୋର ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ଢେଙ୍କାନାଳ ପୁଲିସ ରିମାଣ୍ଡରେ ନେଇ ଏବେ ପଚରାଉଚରା ଜାରି ରଖିଛି।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।