“ଦେଶକେ ଫାଙ୍କ ନଈକେ ବାଙ୍କ”

.

Published On: Jan 13, 2018 08:32 PM IST |   43

“ଆଜି କଥା କାଲିକି ନାହିଁ, କାଲି କଥା ପଚାରୁ କାହିଁ?” ୟେ ଅନୁଭବସିଦ୍ଧ ନିଚ୍ଛକ ସତ କଥାଟିଏ । ମାତ୍ର ଭୁଲାମନ ଏକୁ ଘେନୁଛି କେତେ? ଏଥିରେ ପରିବର୍ତ୍ତନ ଓ ପରିବର୍ଦ୍ଧନର ବାର୍ତ୍ତା ଅପେକ୍ଷା ଅସ୍ଥିରତାର ସନ୍ଦେଶ ଅଧିକ ଥାଏ । ନିଜ ଆୟତ୍ତରେ ନ ଥିବା ଛୋଟ ମଣିଷ, ଗାଁର ‘ବନା’ଠୁ, ଇତିହାସ ରଚୁଥିବା ମହାପ୍ରତାପୀ ଆଲେକ୍‌ଜାଣ୍ଡାର, ଦଶମୁଣ୍ଡିଆ ରାବଣ ଏ ଅସ୍ଥିରତାର ଅନ୍ତର୍ଗତ ମଧ୍ୟ କାଳେକାଳେ ହୋଇଥା’ନ୍ତି । ଅଗନାଅଗନି ବନସ୍ତ ମଧ୍ୟରେ ଭାଉଜକୁ କୋଉ ପରିସ୍ଥିତିରେ ବି ଏକା ଛାଡ଼ି ନ ଯିବାକୁ ବଡ଼ଭାଇ ରାମଙ୍କ ନିର୍ଦେଶକୁ ଲଙ୍ଘିଥିବା ଲକ୍ଷ୍ମଣ, ନ ଡେଇଁବାକୁ ଟାଣିଥିବା ଗାର ଲଙ୍ଘନ ହେଲା ଓ ହେଉଥିବ, ସେଦିନୁ ଆଜିଯାଏ ବି । ନିଜେ ଗାର ଡେଇଁଲେ, ତମ ଗାର ବି ଆଉ ସମସ୍ତେ ଡେଉଁଥିବେ । ‘ଲକ୍ଷ୍ମଣରେଖା’ ଦାରୁଣ ଲଙ୍ଘନର ଏକ ନଜିର ନୁହେଁ କେବଳ, ପ୍ରଭୁ ଖେଳର ଏକ ନିର୍ଦିଷ୍ଟ ନିୟମ। ଏକୁ ଲଙ୍ଘୁଥା,’ ରାମାୟଣ ଦେଖୁଥା,’ ଦେଖଉଥା । ‘ମାରୀଚ’, ଲକ୍ଷ୍ମଣ, ସୀତା, ସୂର୍ପଣଖା ସମସ୍ତେ ଏକାକାର ବନିଯାନ୍ତି । ତେବେ କାହିଁକି ଏମିତି ହୁଏ? ସବୁ ମାୟାରେ ବାୟା । “ଆରେ ଢମଣା ବୁଲି ବୁଲିକା ସେଇ ଅଗଣା ।” ସେ କୁଆଡ଼େ ‘ଏକ’ ଥିଲେ । ଏକୁଟିଆ ଭାବଟା ସତରେ ସବୁବେଳେ ବଡ଼ ବିରକ୍ତିଆ, ଉଦାସିଆ ଲାଗେ । ତାଙ୍କୁ ବି ଲାଗିଲା । କହିଲେ, “ଏକୋ ହଂ ବହୁସ୍ୟାମ୍‌”, ବହୁତ ହୋଇଗଲେ ସେ । ଜଞ୍ଜାଳ ସେଇଠୁ ବଢ଼ିଗଲା । ‘ବିଜନତା’ର ବିମୁଗ୍ଧତା, ଗୋଳିଆ ଘାଣ୍ଟ, ଏ ଡାଲମା ଜାତୀୟ ସଂସାରିକଙ୍କ ଠେଇ କାଇଁ? କବି ତ ଲେଖିଲେ, “O solitude, where are thy charms, that sages have seen in thy face”, “ବିଜନତା କାହିଁ ତୋ ବେଶ ମୋହନ ଯେ ବେଶେ ମୋହିଲୁ ତୁ ମୁନି ନୟନ, ବରଂ ନିବାସ ଭଲ ରଣ କ୍ଷେତ୍ରରେ, ଭୟରେ ସଦା ଯହିଁ ହୃଦୟ ଥରେ, ମାତ୍ର ଏ ଭୀମ ସ୍ଥଳେ ରାଜ୍ୟ ପ୍ରାପତି, ଅଟଇ ମୋ ବିଚାରେ ଅଧମ ଗତି” । ‘ବିଜନତା’ କାହାକୁ ମୁଗ୍ଧକର ହେଲା ତ କାହାକୁ ଭୟଙ୍କର । କିଏ ଠିକ୍‌, କିଏ ଭୁଲ? ସଂସ୍କାର ପ୍ରସୂତ ‘ରୁଚି’ ନିୟନ୍ତ୍ରିତ ଜୀବ, ରୁଚିର ଭିନ୍ନତା ଅନୁଯାୟୀ ପରିବେଶକୁ ଆପଣେଇ ଥାଏ ବା ଏଡ଼େଇ ଥାଏ । ତଦନୁଯାୟୀ ସମସ୍ତେ ଠିକ୍‌ ଓ ସମସ୍ତେ ଭୁଲ । ଗାଈ ପୋଷିଲେ ନଡ଼ା, ପାଳ, ଘାସ, କୁଣ୍ଡା, କୁଳୁଚି ଯୋଗାଡ଼ିବାକୁ ହେବ । ବିଲାତି କୁକୁର ପୋଷିଲେ ମାଉଁସ, ଛେଳିଟାଙ୍କୁ କି ପୁଟା ଯୋଗାଡ଼ିବାକୁ ହେବ । ସେଠି ଆଉ ‘ଗୁରୁବାର’ ବାରି ହେବନି । ଏଥିରେ ଠିକ୍‌ ଭୁଲ ନିର୍ଦ୍ଧାରଣ ଏକ ଅଛିଣ୍ଡା ଝାମେଲା ଯାହା ସୃଷ୍ଟି କରିବ । ବିଷ୍ଠାରେ କାଠି ପୂରେଇ ଘାଣ୍ଟିଲେ ତା’ ମସଲାକୁ ଯାହା ଚହଟାଇବା କଥା । ଗୁଡ଼େ ଗଣ୍ଠି ଖୋଜିବାକୁ ଏମିତି ଘଣ୍ଟାଘଣ୍ଟି କରନ୍ତି, ଛେନାରୁ ଚୋପା ଛଡ଼ାନ୍ତି, କଇଁରେ ବି ତୂଳୀ ଚଳାନ୍ତି । ନୀଳ ଆକାଶରେ କଣା ଖୋଜିବା ପରି ମନରେ କଣା ସେମାନେ ଦରାଣ୍ଡନ୍ତି । “ମା’ ଝିଅ ଦୁହେଁ ମନ୍ଦିର ଗଲେ, ଯେଝା ସୁଖ ଯିଏ ମନାସିଲେ ।” ମପାଯାଉ ଏଥିରୁ ଏ ସଂସାର ଖେଳ, ରୁଚି ଓ ମନର ବୈଚିତ୍ର୍ୟ । ପତ୍ନୀ ନିଜ ରୁଗ୍‌ଣ ପତି ଆରୋଗ୍ୟ କଥା ମନାସୁଥିବା ବେଳେ, ଷୋଡ଼ଶୀ ଝିଅ ନିଜ ଗୋପନ ପ୍ରୀତିର, ମନର ଲୋକ ପାଇଁ ପ୍ରାର୍ଥନା କରିବାରେ କୋଉ ଅନ୍ୟାୟ ବା ଅବାଞ୍ଛିତତା ରହିଗଲା? କାଚ, ସିନ୍ଦୂର ଆଗରେ “କୋଉ ବାପ ଭାଇ କାହାର!” ସେମିତି ଶୁଭ୍ର ନିଶ୍ଚିହ୍ନ କପାଳ ତଳେ ଶହେ ସିନ୍ଦୂର ଟିକା ବସୁଥିବା, ଲିଭୁଥିବା ନାୟିକା ବି ଅଛନ୍ତି । କୋଉ ଗନ୍ଧାନ୍ତି ସେମାନେ ବରଂ ବାସନ୍ତି ମହମହ । ଯୋଧାବାଈ ଭଳି ସୁନ୍ଦରୀ ରାଜପୁତ ଲଳନାକୁ ସ୍ତ୍ରୀ କଲା ପରେ ବି ଆକବର ହାରେମ (ନାରୀ ଗୁହାଳ)ରେ ତିନିଶହ ଯୁବତୀଙ୍କୁ ପୋଷୁଥିଲେ । ସିଏ ତ ଜଣେ ‘ବେଶ୍‌’ ବାଦଶାହ ଭାବେ ଇତିହାସରେ ଚିତ୍ରିତ । ଏକୁ ଘାଣ୍ଟିଲେ ପୁଣି ଗନ୍ଧେଇବ । ଥାଉ ସେତିକିରେ କଥା ।
ମୂଳ ବା ଶେଷ ନ ଥିବା ଚିର ପ୍ରବହମାନ ସମୟ ଓ ତା’ ସହିତ ବାଇ ହେଉଥିବା ବିଚିତ୍ର ‘ମନ’ର କିସମ ଓ ମୂଲ୍ୟବୋଧ ଦରାଣ୍ଡିବା କଥା ବା ଭାବ ସେଇଭଳି । ବହୁ ଲୋକଙ୍କୁ ସୁହାଉଥିବା କଥାଟା ଭଲ ବା ଠିକ୍‌ । ୟେ ବି ଲୋକ ଚରିତ ଓ ଚରିତ୍ର ପରିିବର୍ତ୍ତନ ସହ ବଦଳୁଥାଏ । ତଳୁ ଉପର ହେଉଥାଏ । ଯୁଧିଷ୍ଠିର ତ କହିଲେ, “ମହାଜନଃ ଯେନ ଗତଃ ସ ପନ୍ଥାଃ” । ଆରେ ମହାଜନ ପୁଣି କିଏ? ସେ କ’ଣ ମିଛ କହନ୍ତିନି? ଆରେ ବାବୁ ‘ହଁ’, ମୋଡ଼ିମାଡ଼ି ବୁଲେଇବାଙ୍କେଇ କହନ୍ତି, “ନରେ ବା ଗୁଞ୍ଜରେ ଅଶ୍ୱତ୍‌ଥାମା ହତଃ” । ୟେ କୋଉ ସତ କଥା! ଶହେ ପୁରୁଷ କରିସାରି ବି ଅଭିଆଡ଼ୀତ୍ୱ ଦେଖେଇବାକୁ ‘ସିନ୍ଦୂର’ ନ ଲଗାଇବା ଭଳି କଥା ୟେ । ଆମ ଗଣତନ୍ତ୍ରରେ ବିଚାର ବିଭାଗକୁ ‘ସୁନାପୁଅ’ ଆଖ୍ୟା ଦିଆଯାଇଛି । ଧର୍ମାବତାର ବି ଏଙ୍କୁ ସବୁ କୁହାଯାଉଛି । ଗୋଟେ ମେଣ୍ଢା ଦାଣ୍ଡେଇଲେ, ତା’ ପଛେ ସବୁ ମେଣ୍ଢା ଦାଣ୍ଡେଇଲା ପରି ଏ ଜନତା ବି, ଗୋପୀ ଲୁଗାପଟା ଥୋଇଦେଇ ନିଜକୁ ସମର୍ପଣ କଲାଭଳି ଏଙ୍କଠେଇ ନିଜକୁ ସମର୍ପି ଦେଇଛନ୍ତି । ମାତ୍ର ହଉଚି କ’ଣ? କହିବ କିଏ? ନଥି ଧର୍ମାବତାରଙ୍କ ଠେଇଁ ପଡ଼ିଲା ତ ଯୁଗ ସଇଲା । ଗ୍ରହ ବଳ ଥିଲେ ଆଠଦିନରେ ବି ମାମଲା ଫଇସଲା । ଏମାନଙ୍କ ‘ବିଳିବିଳା’ ବି ବେଦ । ଏ କଳିଯୁଗରେ ସାକ୍ଷାତ୍‌ ବ୍ରହ୍ମା ତ ଏମାନେ । ଜଣେ ‘ହାଇକୋର୍ଟ’ ମାନ୍ୟବର ଜଜସାହେବ ‘କର୍ଣ୍ଣନ୍‌’ ସିଧା ଜେଲ ଖଟିଥିଲେ । ଜିଅଲ ଏଡ଼େଇବାକୁ ଆମ ରାମା, ଦାମା, ଶାମା ପରି ସେ ଯୋଉ ଲୁଚକାଳି ଖେଳ ଖେଳିଲେ ତା’ ସବୁଠୁ ଦୟନୀୟ ଓ ଉପହାସ୍ୟ ଥିଲା । ସୁନା ମିରିଗ ଖୋଳ ତଳ ମାରୀଚ ଭଳି ୟେ ଲାଗିଲେ । ଏବେ ଅଭୂତପୂର୍ବ ଭାବେ ସୁପ୍ରିମକୋର୍ଟର ଚାରିଜଣ ମାନ୍ୟବର ବିଚାରପତି, ମୁଖ୍ୟ ବିଚାରପତିଙ୍କ ବିରୁଦ୍ଧରେ ତାଙ୍କ ପ୍ରଶାସନିକ ଦକ୍ଷତା ଉପରେ ସାମ୍ବାଦିକଙ୍କ ଆଗରେ ଫେରାଦ ହୋଇଛନ୍ତି । ଆରେ, ୟେ କୋଉ କଥା !! ଘର ଭିତର କଥାଗୁଡ଼ା ପଦାରେ ଏମିତି ଫିଟେଇବାରେ କୋଉ ବୁଦ୍ଧିମତ୍ତା ବା ଶୃଙ୍ଖଳାର ପରିଚୟ ଦେଉଛି? କେତେ ବିଭାଗୀୟ କର୍ମଚାରୀଙ୍କ ମାମଲାକୁ ଏମାନେ ବିଚାର କରି “Through proper channel” ହୋଇନି ବୋଲି ମାମଲା ରଦ୍ଦ କରିଦେଉଥିବାବେଳେ ଏମିତି ଏକ ସ୍ପର୍ଶକାତର, ମର୍ଯ୍ୟାଦାସମ୍ପନ୍ନ ବିଷୟକୁ ହାଟରେ କେମିତି ଗଡ଼ଗଡ଼େଇ ଦେଲେ? ୟେ ତ ଟ୍ରେଡ ୟୁନିୟନର ଦାନା ଅନ୍ୱେଷୀଙ୍କ ଭାବ, କାମ ପାଖାପାଖି ହୋଇଗଲା । ମୁଖ୍ୟ ବିଚାରପତିଙ୍କୁ ଲେଖିକରି, ଗୋପନୀୟତା ମଧ୍ୟରେ ଏକୁ କହିପାରିଥାନ୍ତେ । ତାଙ୍କର ନିଯୁକ୍ତିଦାତା ରାଷ୍ଟ୍ରପତିଙ୍କୁ ବି ଜଣାଇ ପାରିଥାନ୍ତେ । ମାତ୍ର ଅନାଥିଆ, ଦରିଦ୍ରିଆଙ୍କ ମାଧ୍ୟମ ଏ ‘ମିଡିଆ’ ପ୍ରଭୁମାନେ ବନିଲାପରି ସୁପ୍ରିମକୋର୍ଟ ସର୍ବୋଚ୍ଚ ଅଦାଲତର ଧର୍ମର ଏ ଚଳନ୍ତି ପ୍ରତିମାମାନଙ୍କର ମାଧ୍ୟମ କେମିତି ବନିଗଲେ? ଏତଦ୍ଦ୍ବାରା ସେମାନଙ୍କର ଭିନ୍ନ କିସମକୁ ସେମାନେ ଉଜୁଡ଼ାଇ ଦେଲେ ଯାହା । ଏମାନଙ୍କ ବିଚାର ବି ସେମିତିଆ ହେବାକୁ ବାଧ୍ୟ । ନିଆଁଗିଳାଙ୍କ ଅଙ୍ଗାର ହଗା ତ ସାର ।
ଜାତୀୟ ସଙ୍ଗୀତ ଗାନ ସମ୍ବନ୍ଧୀୟ ଏ ଦେଶର ବ୍ୟବସ୍ଥା ଓ ତା’ ଉପରେ ସର୍ବୋଚ୍ଚ ଅଦାଲତଙ୍କ ନି‌େ‌ର୍ଦଶ, କେତେବେଳେ ହଁ, କେତେବେଳେ ନାଇଁ । ଜାତୀୟ ସଙ୍ଗୀତ ଗାନ ଓ ତା’ର ସମ୍ମାନ ଏକ ଭାବର କଥା କେବଳ ନା ବିଧାନର କଥା? ପାଇଖାନାରେ ପ୍ରଭୁ ନାମ ନେବା ଓ ସେଠାରେ ପ୍ରାର୍ଥନା ସଭା ବନେଇବା ଭିନ୍ନ କଥା ଓ ବିଚାର । ବାପାଙ୍କ ପାଦଛୁଇଁ ପ୍ରଣାମ କରିବା ଓ ପୁଲିସ କନ‌େ‌ଷ୍ଟବଳଙ୍କ ଅନିଚ୍ଛାସତ୍ତ୍ୱେ ଗୋଡ଼କୁ ତଳେ ବାଡ଼େଇ ଏସ୍‌ପି ସାଇବଙ୍କୁ ସଲାମ କରିବା ଦୁଇ ଭିନ୍ନ କଥା । ଦେଶମାତୃକାର ଭାବକୁ ‘ସିନେମା ହଲ’ରେ କୁତୁକୁତୁ କିଆଁ କରାଯାଉଛି କେଜାଣି ? ବରଂ ବିଦ୍ୟାଳୟ ବିଦ୍ୟା ପ୍ରାରମ୍ଭରେ ଏହା କରାଯାଇ ପାରନ୍ତା । ସେଥିରେ ବି ପ୍ରଶ୍ନ ହେବ । ଏବେ କୁଆଡ଼େ ସାମ୍ବାଦିକ ପ୍ରଭୁମାନେ ଭୁଲ ସମ୍ବାଦ ଛାପିଲେ ବି ସେଥିକୁ ‘ମାନହାନି’ ମୋକଦ୍ଦମା ହୋଇପାରିବନି । “ସହଜେ ବାଇ, ପାଳିଜର ହୁଏ ଗଞ୍ଜେଇ ଖାଇ” ଅବସ୍ଥା ଏବେ ସୃଷ୍ଟି ହୋଇଯିବ । ଛାଡ଼ନ୍ତୁ ସେ କଥା। “ଦେଶ୍‌କେ ଫାଙ୍କ ନଈକେ ବାଙ୍କ୍‌” ଏକୁ ଗ୍ରହଣ କରିନେଲେ ସର୍ବୋଚ୍ଚ, ସର୍ବନୀଚ ସଭିଏଁ ସମାନ ଏକାକାର ହୋଇଯିବ। ଆଲୋ ମୂତୁରୀ ଶୋଇବା, ତୁ ତ ମୂତୁରୀ ମୁଁ ତ ମୂତୁରୀ ହେଁସ କାହିଁ ପାଇଁ ଧୋଇବା ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।