ନ୍ୟାୟପାଳିକା ଆସ୍ଥା ନ ହରାଉ!

.

Copy Editor RRM | Published On: Jan 12, 2018 09:39 PM IST |   147

ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ଆଶଙ୍କା । ଦେଶର ନ୍ୟାୟପାଳିକା କ୍ଷେତ୍ରରେ ଅତ୍ୟନ୍ତ ଅସାଧାରଣ ଘଟଣା ଘଟିଛି । ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ କେତେକ ବିଚାର ପ୍ରକ୍ରିୟାରେ ପକ୍ଷପାତିତା ନେଇ ଅଭିଯୋଗ ବାଢ଼ିଛନ୍ତି । ପୂର୍ବରୁ ବ୍ୟବସ୍ଥାପକ ଓ କାର୍ଯ୍ୟପାଳିକା ଉପରୁ ଜନସାଧାରଣ ଆସ୍ଥା ହରାଇବାର ନଜିର ଥିବାବେଳେ ଏବେ ନ୍ୟାୟପାଳିକା ମଧ୍ୟ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବା ନେଇ ଆଶଙ୍କା ଉପୁଜିଛି । ଯଦି ଏପରି ହୁଏ ତେବେ ସାଧାରଣ ନାଗରିକ ନ୍ୟାୟ ପାଇଁ କେଉଁଆଡେ ଯିବ? ଗଣମାଧ୍ୟମ ସମ୍ମୁଖକୁ ଆସିଥିବା ୪ ବରିଷ୍ଠ ବିଚାରପତିଙ୍କ କର୍ତ୍ତବ୍ୟନିଷ୍ଠା ଓ ମାନବିକତା ଉପରେ ସନେ୍ଦହ କରାଯାଇ ପାରିବ ନାହିଁ । କାରଣ ମାମଲା ସେତିକି ଗମ୍ଭୀର ହୋଇ ନ ଥିଲେ ନ୍ୟାୟପାଳିକାର ଉଚ୍ଚ ଆସନରେ ବସିଥିବା ଏହି ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଏପରି ସ୍ୱର ଉତ୍ତୋଳନ କରି ନଥାନ୍ତେ ।
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ତୁରନ୍ତ ନିଜର ପକ୍ଷ ସାର୍ବଜନୀନ କରିବା ଉଚିତ । ନ ହେଲେ ସେ ନିଜ ପଦ ବଜାୟ ରଖିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ସହଯୋଗୀମାନେ ଏପରି ଅବିଶ୍ୱାସ ଜାହିର କରିବା ଦ୍ୱାରା ମୁଖ୍ୟ ଜଷ୍ଟିସ୍‌ଙ୍କ ନୂଆ ପୁରୁଣା ନିଷ୍ପତ୍ତିଗୁଡ଼ିକ ସନେ୍ଦହ ଘେରରେ ଆସିପାରେ । ନ୍ୟାୟପାଳିକାର ପ୍ରତିଛବି ଲାଗି ଏହା ବହୁତ ଜରୁରୀ ଯେ, ସମ୍ପୂର୍ଣ୍ଣ ମାମଲା ଦେଶବାସୀଙ୍କ ସମ୍ମୁଖକୁ ଆସିବା ଉଚିତ । ଏଠାରେ ପ୍ରଶ୍ନ ଉଠେ, ଗଣତନ୍ତ୍ର ଉପରେ ବିପଦ କ’ଣ, ତାହା ପ୍ରଥମଥର ପାଇଁ ଏହି ୪ ବିଚାରପତି ଅନୁଭବ କଲେ । ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି ମୁଖ୍ୟ ବିଚାରପତିଙ୍କ ଆଚରଣ ଉପରେ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିବା ନିହାତି ପକ୍ଷେ ଅସାଧାରଣ ଘଟଣା ଅଟେ । ଭାରତ ଭଳି ଦେଶ ପାଇଁ ଏହା ଐତିହାସିକ ଓ ବିପଦପୂର୍ଣ୍ଣ ମଧ୍ୟ ।
ସମ୍ବିଧାନର ୪ଟି ସ୍ତମ୍ଭରୁ ପୂର୍ବରୁ ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ଗଣମାଧ୍ୟମ ସଙ୍କଟ ପରିସ୍ଥିତିରେ ପଡ଼ିଥିବାବେଳେ ଏବେ ନ୍ୟାୟପାଳିକା ସ୍ତମ୍ଭରେ କମ୍ପନ ସୃଷ୍ଟି ହେଲାଣି । ତେବେ ପୂର୍ବରୁ ବିଚାରପତି ଓ ଅଦାଲତ ସମ୍ପର୍କିତ କାରନାମା ବହୁ ଘଟିଛି । ଏବେ ସାର୍ବଜନୀନ ସ୍ତରରେ ବିଚାରପତିମାନେ ଗଣମାଧ୍ୟମ ସମ୍ମୁଖରେ ନିଜର ଅସୁବିଧା ସମ୍ପର୍କରେ କହିଛନ୍ତି । ତେବେ ଏପରି ପରମ୍ପରା କେତେ ପର୍ଯ୍ୟନ୍ତ ଜାରି ରହିବ, ତାହା ଦେଖିବାକୁ ବାକି ରହିଲା ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର କାର୍ଯ୍ୟପଦ୍ଧତିରେ ଅସନ୍ତୋଷ ପ୍ରକାଶ ସହ ପ୍ରଧାନ ବିଚାରପତିଙ୍କ ବିରୋଧରେ ଜଷ୍ଟିସ୍‌ ଜେ. ଚେଲମେଶ୍ୱର, ରଞ୍ଜନ ଗୋଗେଇ, ମଦନ ଲୋକୁର ଓ କୁରିୟନ ଯୋସେଫ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତି ଦେଶବାସୀଙ୍କ ଆସ୍ଥା ରହୁ । କାରଣ ଗଣତନ୍ତ୍ର ବ୍ୟବସ୍ଥାକୁ ଧରି ରଖିବାକୁ ହେଲେ ସୁପ୍ରିମକୋର୍ଟଙ୍କ ସ୍ୱଚ୍ଛତା ପ୍ରତି ଆସ୍ଥା ଅତୁଟ ରହିବାର ଆବଶ୍ୟକତା ରହିଛି ବୋଲି ଏହି ୪ ବରିଷ୍ଠ ବିଚାରପତି କହିଛନ୍ତି । ବିଗତ ୨ ମାସ ଧରି ସୁପ୍ରିମକୋର୍ଟ ପ୍ରଶାସନ ପକ୍ଷରୁ ମାମଲା ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବିଚାରପତି ଚେଲମେଶ୍ୱର ଅଭିଯୋଗ ରଖିବା ସହ ଏହାର ତୁରନ୍ତ ସମାଧାନ ହେବା ଉଚିତ ବୋଲି ସେ ମତ ରଖିଥିଲେ । ସୁପ୍ରିମକୋର୍ଟର କନିଷ୍ଠ ବିଚାରପତିଙ୍କୁ ନେଇ ସାମ୍ବିଧାନିକ ପୀଠ ଗଠନ କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର ପାଇଁ ଦିଆଯିବା ଘଟଣା, ବରିଷ୍ଠ ବିଚାରପତିଙ୍କୁ ପ୍ରଧାନ ବିଚାରପତି ଅଣଦେଖା କରୁଥିବା ସେମାନେ ଲିଖିତ ଅଭିଯୋଗ କରିଛନ୍ତି ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।