ଶ୍ରାଦ୍ଧବାର୍ଷିକୀରେ ଶାସ୍ତ୍ରୀଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଜାଣିବା ଶାସ୍ତ୍ରୀଜୀଙ୍କ ଜୀବନର ସେହି ଚର୍ଚ୍ଚିତ ଘଟଣା ବିଷୟରେ

Copy Editor AH | Published On: Jan 11, 2018 06:44 PM IST | Updated On: Jan 11, 2018 06:46 PM IST |   379


ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀଙ୍କର ଆଜି ୫୨ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି । ତେବେ ଶାସ୍ତ୍ରିଜୀଙ୍କ ଭଳି ଆଦର୍ଶ ଓ ନୀତିବାନ ରାଜନେତା ସମସ୍ତଙ୍କ ପାଇଁ ଅନୁକରଣୀୟ । କେନ୍ଦ୍ର ରେଳମନ୍ତ୍ରୀ ଭାବେ ଶାସ୍ତ୍ରିଜୀଙ୍କ ଦାୟତ୍ୱବୋଧ ଓ କର୍ତ୍ତବ୍ୟ ନିଷ୍ଠାକୁ ଆଜି ମଧ୍ୟ ସମଗ୍ର ଦେଶ ସମେତ ତାମିଲନାଡୁବାସୀ ସ୍ମରଣ କରୁଛନ୍ତି ।


ଶାସ୍ତ୍ରୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଟ୍ୱିଟ୍‌ କରି ଶ୍ରୀ ମୋଦି କହିଛନ୍ତି, ଶାସ୍ତ୍ରିଜୀଙ୍କର ଦେଶ ପ୍ରତି ସେବା ଓ ସାହସିକ ନେତୃତ୍ୱ ଚିର ସ୍ମରଣୀୟ ହୋଇ ରହିବ । କଂଗ୍ରେସ ସଭାପତି ରାହୁଲ୍‌ ଗାନ୍ଧି ଶାସ୍ତ୍ରିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏକତା ଓ ସଂହତି ଦିଗରେ ତାଙ୍କର ଅବଦାନକୁ ସେ ସ୍ମରଣ କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ଶାସ୍ତ୍ରିଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ତାଙ୍କ ଦେଶସେବା ସର୍ବଦା ଆମପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ।


ଲାଲ୍‌ବାହାଦୁର ଶାସ୍ତ୍ରୀ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୪ ମସିହା ଜୁନ୍‌ ମାସରୁ ୧୯୬୬ ମସିହା ଜାନୁୟାରୀ ମାସ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ୧୯୬୬ ମସିହା ଜାନୁୟାରୀ ମାସ ୧୧ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ସେ ଭାରତର ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୬୫ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ଦେଶର ବୀର ସୈନିକ ଓ ଅନ୍ନଦାତା କୃଷକଙ୍କୁ ସମ୍ମାନ ଜଣାଇ ସେ ସ୍ଲୋଗାନ୍‌ ଦେଇଥିଲେ ‘ଜୟ ଯବାନ, ଜୟ କିଷାନ୍‌’ । ତାଙ୍କର ଏହି  ‘ଜୟ ଯବାନ, ଜୟ କିଷାନ୍‌’ ସ୍ଲୋଗାନ୍‌ ସର୍ବଦା ସ୍ମରଣୀୟ ହୋଇ ରହଛି ।


ଅନେକ ସ୍ମରଣୀୟ ଘଟଣା ଶାସ୍ତ୍ରୀଜୀଙ୍କ ଜୀବନ ସହିତ ଯୋଡି ହୋଇ ରହିଛି । ତେବେ ତାମିଲନାଡୁବାସୀ ମନେ ରଖିଥିବା କଥା ହେଉଛି, ଶାସ୍ତ୍ରୀଜୀ ପଣ୍ଡିତ ନେହେରୁଙ୍କ କ୍ୟାବିନେଟରେ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ୧୯୫୬ ମସିହା ନଭେମ୍ବର ୨୩ ତାରିଖରେ ସେହି ଚର୍ଚ୍ଚିତ ରେଳ ଦୁର୍ଘଟଣା ଘଟିଥିଲା । ତାମିଲନାଡୁର ଆରିୟାଲୁର ନିକଟରେ ମାରଦୟାର ନଦୀ ବ୍ରିଜ ଉପରେ ମାଡ୍ରାସ-ତୁରିକୋରିନ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ୧୫୪ ଜଣଙ୍କର ମୃତ୍ୟୁ ଘଟିଥିଲା । ବିଭାଗୀୟ ମନ୍ତ୍ରୀ ଭାବେ ଏହି ଦୁର୍ଘଟଣା ପାଇଁ ନିଜକୁ ଦାୟି କରି ଶାସ୍ତ୍ରୀଜୀ  ରେଳମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନୈତିକତା ଓ ନୀତିନୀଷ୍ଠ ରାଜନେତା ଭାବେ ତାଙ୍କର ଏହି ମହତ କାର୍ଯ୍ୟକୁ ତାମିଲନାଡୁର ଏହି ଅଞ୍ଚଳର ଲୋକ ସବୁ ସମୟରେ ମନେ ପକାଇଥାନ୍ତି । ବିଶେଷ କରି ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସରେ ଏ ସଂପର୍କରେ ଆଲୋଚନା କରାଯାଇଥାଏ । ଯାହା ଆଜିର ରାଜନେତାମାନଙ୍କର ଧେୟ ହେବା ଆବଶ୍ୟକ ।

Tags:

Like Us

Breaking News

ହଜ ପାଇଁ ସବସିଡି ବନ୍ଦ କଲେ କେନ୍ଦ୍ର ସରକାର ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨।