ଏକାଠି ଗଢ଼ିବୁ ଏସିଆର ଭବିଷ୍ୟତ

ମାନିଲାରେ ମୋଦି-ଟ୍ରମ୍ପ ଆଲୋଚନା

Copy Editor | Published On: Nov 14, 2017 02:17 AM IST |   647

ମାନିଲା : ଆସିଆନ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଫିଲିପାଇନ୍ସର ରାଜଧାନୀ ମାନିଲାର ହୋଟେଲ ସୋଫିଟେଲରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଲୋଚନା କାଳରେ ମୋଦି କହିଛନ୍ତି ଦୁଇଦେଶ ଦ୍ୱିପାକ୍ଷିକ ସମ୍ପର୍କର ଊଦ୍ଧ୍ୱର୍କୁ ଯାଇ ଏସିଆ ମହାଦେଶର ଭବିଷ୍ୟତ ଗଢିବା ଦିଗରେ କାମ କରିବା ଦରକାର । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଯେପରି ଭାବେ ଏକଚାଟିଆ କାରବାର ବୃଦ୍ଧି ପାଇବାରେ ଲାଗିଛି ତାକୁ ରୋକିବା ସହ ସମସ୍ତ ଏସିୟ ରାଷ୍ଟ୍ରର ବିକାଶ ଦିଗରେ ଦୁଇଦେଶ ହାତ ମିଳାଇବା ଦରକାର । ଟ୍ରମ୍ପଙ୍କୁ ମୋଦି କହିଛନ୍ତି ଯେ ଆମେରିକା ଓ ବିଶ୍ୱ ଆମ ଠାରୁ ଯାହା ଆଶା କରୁଛି ତାହା ଠାରୁ ଅଧିକ କିଛି କରି ଦେଖାଇବୁ । ଆପେକ ସମ୍ମିଳନୀ ଅବସରରେ ଟ୍ରମ୍ପ ଭାରତ ସରକାରଙ୍କୁ ପ୍ରଶଂସା କରିଥିବାରୁ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଲୋଚନା କାଳରେ ଟ୍ରମ୍ପ କହିଥିଲେ ଯେ ଏକବିଂଶ ଶତାବ୍ଦୀର ବିଶ୍ୱ ନିର୍ମାଣରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରୁ । ଏପରିକି ବିଶ୍ୱ ନିର୍ମାଣରେ ଭାରତ-ଆମେରିକାର ଅବଦାନ ସର୍ବାଧିକ ରହୁ ବୋଲି ଟ୍ରମ୍ପ କହିଥିଲେ । ଟ୍ରମ୍ପ କହିଥିଲେ ଯେ ମୋଦି ତାଙ୍କର ଜଣେ ଉତ୍ତମ ବନ୍ଧୁ । ମୋଦିଙ୍କ ନେତୃତ୍ୱରେ ଯେଉଁ ସବୁ କାମ ଭାରତରେ ଚାଲିଛି ତାର ସକାରାତ୍ମକ ରିପୋର୍ଟ ତାଙ୍କୁ ମିଳିଥିବା ଟ୍ରମ୍ପ କହିଛନ୍ତି । ଏଥିପାଇଁ ମୋଦିଙ୍କୁ ଟ୍ରମ୍ପ ଅଭିନନ୍ଦନ ଜଣାଇଥିଲେ । ମୋଦି-ଟ୍ରମ୍ପଙ୍କ ଆଲୋଚନା ପୂର୍ବରୁ ରବିବାର ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ଅଧିକାରୀମାନେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା