ଜୟା ଟିଭି ସମେତ ୧୮୭ଟି ସ୍ଥାନରେ ଆୟକର ଚଢ଼ଉ

ଶଶିକଳାଙ୍କୁ ଝଟ୍‌କା ; ଦିନାକରନ କହିଲେ ଷଡ଼ଯନ୍ତ୍ର

Copy Editor | Published On: Nov 09, 2017 09:32 PM IST |   478

ଚେନ୍ନଇ : ଜେଲରେ ଥିବା ଏଆଇଏଡିଏମ୍‌କେ ନେତ୍ରୀ ଶଶିକଳା, ତାଙ୍କ ପରିବାର ସଦସ୍ୟ ଓ ସମର୍ଥକଙ୍କର ୧୮୭ଟି ଠିକଣା ଉପରେ ଆୟକର ବିଭାଗ ପକ୍ଷରୁ ଗୁରୁବାର ଚଢ଼ଉ କରାଯାଇଛି । ଆୟକର ବିଭାଗର କେତେକ ଦଳ ଶଶିକଳାଙ୍କ ପରିବାରର ନିୟନ୍ତ୍ରଣରେ ଥିବା ଜୟା ଟିଭିର କାର୍ଯ୍ୟାଳୟ, ତାଙ୍କ ସ୍ୱାମୀ ଏମ୍‌. ନଟରାଜନଙ୍କ ତାଞ୍ଜୋର ସ୍ଥିତ ବାସଭବନ, ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କୋଦାନ୍ଦ ଇଷ୍ଟେଟ, ନଅଟି ଫାର୍ମକୁ ମିଶାଇ ସରା ରାଜ୍ୟରେ ୮୦ଟି ସ୍ଥାନରେ ଚଢ଼ଉ କରିଥିଲେ । ଆୟକର ବିଭାଗର ଚଢ଼ଉ ଶଶିକଳା ଓ ତାଙ୍କ କମ୍ପାନୀ ପାଇଁ ଶକ୍ତ ଧକ୍କା ପରି ହୋଇଛି । ତେବେ ତାଙ୍କ ପୁତୁରା ଟିଟିଭି ଦିନାକରନ ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଜୟା ଟିଭିର ଓକିଲ ମଧ୍ୟ ଏହାକୁ ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଆୟକର ବିଭାଗର ପାଖାପାଖି ୧୦ ପଦାଧିକାରୀ ସକାଳ ୬ଟାରେ ଚେନ୍ନଇର ଏକ୍କାଥୁଥଙ୍ଗଲ ସ୍ଥିତ ଜୟା ଟିଭି କାର୍ଯ୍ୟାଳୟରେ ପ୍ରବେଶ କରି ତଲାସି ଆରମ୍ଭ କରିଥିଲେ । ସେଠାରେ ଥିବା ଏଆଇଏଡିଏମ୍‌କେର ମୁଖପତ୍ର ‘ଡଃ ନାମଧୁ ଏମ୍‌ଜିଆର୍‌’ର କାର୍ଯ୍ୟାଳୟ ଉପରେ ବି ଚଢ଼ଉ ହୋଇଥିଲା । ଜୟା ଟିଭି ଦାୟିତ୍ୱରେ ଥିବା ଶଶିକଳାଙ୍କ ପୁତୁରା ବିବେକ ଜୟରମଣଙ୍କ ବାସଭବନ ଉପରେ ମଧ୍ୟ ଚଢ଼ଉ ହୋଇଥିଲା । ଏହାପରେ ଜୟା ଟିଭି କାର୍ଯ୍ୟାଳୟ ଭିତରେ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ଇଡାପାଡି କେ ପାଲାନିସ୍ୱାମୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ପନ୍ନିରସେଲଭମ୍‌ଙ୍କ ଗୋଷ୍ଠୀର ମିଶ୍ରଣ ପରେ ଜୟା ଟିଭି ଏଆଇଏଡିଏମ୍‌କେ ସରକାରର କଡ଼ା ସମାଲୋଚନା କରୁଛି । ମନ୍ନାରଗୁଡିର ମନ୍ନଇ ନଗରରେ ଥିବା ଦିନାକରନଙ୍କ ବାସଭବନ, ସୁନ୍ଦର କୋଟାଇରେ ଥିବା ଶଶିକଳାଙ୍କ ଭାଇ ଦିବାକରନଙ୍କ ଘର ଓ ତାଙ୍କର କେତେକ ସମର୍ଥକଙ୍କ ଘର ସମେତ ତାମିଲନାଡ଼ୁ, କର୍ଣ୍ଣାଟକ ଓ ପୁଡୁଚେରୀର ମୋଟ ୧୮୭ଟି ସ୍ଥାନ ଆୟକର ବିଭାଗର ନିଶାଣରେ ଥିଲା । ଚଢ଼ଉରେ ଆୟକର ବିଭାଗର ୧୮୦୦ କର୍ମଚାରୀ ସାମିଲ ଥିଲେ । ଏମାନଙ୍କ ଭିତରେ ୬ ଜଣ କମିଶନର ପାହ୍ୟାର ପଦାଧିକାରୀ ଥିଲେ । ଦିନାକରନଙ୍କ ଚେନ୍ନଇ ଘରକୁ ଆୟକର ଅଧିକାରୀ ଯାଇଥିଲେ କିନ୍ତୁ ତଲାସି ନ ନେଇ ଫେରି ଆସିଥିଲେ । ସେହିପରି ତ୍ରିଚିର ରାଜା କଲୋନୀ ସ୍ଥିତ ଦିନାକରନଙ୍କ ସମ୍ପର୍କୀୟ ଡାକ୍ତର ଶିବକୁମାରଙ୍କ ଘରେ ଆୟକର କର୍ମଚାରୀ ତାଲା ଭାଙ୍ଗି ପ୍ରବେଶ କରିଥିଲେ । କିନ୍ତୁ ଘରେ କେହି ନଥିଲେ । ଶିବ କୁମାର ଜୟଲଳିତାଙ୍କ ବ୍ୟକ୍ତିଗତ ଚିକିତ୍ସକ ଥିଲେ । କୋଦାନ୍ଦ ଇଷ୍ଟେଟର ଆକାଉଣ୍ଟ ଥିବା ନୀଳଗିରିସ୍ଥିତ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଶାଖା, ଶଶିକଳାଙ୍କ ପରିବାର ଦ୍ୱାରା ପରିଚାଳିତ ଜାଜ୍‌ ସିନେମା ମଧ୍ୟ ଚଢ଼ଉରେ ସାମିଲ ହୋଇଥିଲା । ଆୟ ଲୁଚେଇବା ଓ ଟିକସ ଫାଙ୍କିବାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିôବା କୁହାଯାଇଛି । ଏଆଇଏଡିଏମ୍‌କେର ନିର୍ବାଚନୀ ଚିହ୍ନ ମାମଲା ଏବେ ନିର୍ବାଚନ ଆୟୋଗଙ୍କ ନିକଟରେ ପଡ଼ି ରହିଥିବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦଳୀୟ ଚିହ୍ନକୁ ଜବତ କରିନେବାକୁ ନିର୍ବାଚନ ଆୟୋଗଙ୍କୁ ଶଶିକଳାଙ୍କ ଗୋଷ୍ଠୀ ପକ୍ଷରୁ କୁହାଯାଇଛି ।
Tags:

Like Us

Breaking News

ପ୍ରଦ୍ୟୁମ୍ନ ହତ୍ୟା ମାମଲାରେ ବସ କଣ୍ଡକ୍ଟର ଅଶୋକକୁ ମିଳିଲା ଜାମିନ ରାଜସ୍ଥାନରେ ଓଡିଆ ଆଇଏଏସ୍‌ ଅଧିକାରୀ ଗିରଫ ଭୁବନେଶ୍ବର: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ଭୁବନେଶ୍ବର: ନାରାୟଣ ସାହୁଙ୍କୁ ବିଜେପିରୁ ବହିଷ୍କାର କଲେ ସଭାପତି ବସନ୍ତ ପଣ୍ଡା