ପାଞ୍ଚ ବର୍ଷରେ ହଟିବ ଦୃଷ୍ଟିହୀନତା

ଦେଶର ପ୍ରଥମ ‘ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’

Copy Editor AH | Published On: Oct 12, 2017 10:21 PM IST |   102

ଭୁବନେଶ୍ୱର : ରାଜ୍ୟରୁ ଦୃଷ୍ଟିହୀନତା ଦୂରୀକରଣ ପାଇଁ ସରକାର ‘ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ’ ନାମରେ ଏକ ଅଭିନବ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଭଳି କାର୍ଯ୍ୟକ୍ରମ ସାରା ଦେଶରେ ପ୍ରଥମ । ଏହି ଯୋଜନାର ରୂପାୟନ ପାଇଁ ୬୦୦କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ଓ ଆସନ୍ତା ୫ବର୍ଷ ମଧ୍ୟରେ, ୨୦୨୨ ସୁଦ୍ଧା ଏହାର ସୁବିନିଯୋଗ ହେବ । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ବ୍ୟୟଭାର ବହନ କରିବେ ବୋଲି କାର୍ଯ୍ୟକ୍ରମର ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମ ନିରାକରଣଯୋଗ୍ୟ ଅନ୍ଧତ୍ୱ ଦୂରୀକରଣ କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଗୁରୁବାର ବିଶ୍ୱ ଦୃଷ୍ଟି ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ଘୋଷଣା ସହିତ ଚକ୍ଷୁରୋଗୀଙ୍କ ପାଇଁ ଏକ ୱେବ୍‌ ପୋର୍ଟାଲର ଲୋକାର୍ପଣ କରିଛନ୍ତି । ପ୍ରତ୍ୟେକ ଚକ୍ଷୁରୋଗୀ ଏଥିରେ ସେମାନଙ୍କ ନାମ ପଞ୍ଜୀକରଣ ସହ ଚିକିତ୍ସା ସୁବିଧା ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଯୋଜନା ପାଇଁ ପ୍ରତି ସିଏଚ୍‌ସି ଓ ପିଏଚ୍‌ସିରେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ ସହିତ ‘ଦୃଷ୍ଟି କେନ୍ଦ୍ର’ ସ୍ଥାପନ କରାଯାଉଛି । ପରେ ପ୍ରତ୍ୟେକ ନାଗରିକଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇବା ଲକ୍ଷ୍ୟରେ ଉପସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମଧ୍ୟ ଏଭଳି କେନ୍ଦ୍ର ସ୍ଥାପନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ୨୦୨୨ସୁଦ୍ଧା ଅନ୍ଧତ୍ୱରହିତ ରାଜ୍ୟ ଗଠନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ବିଶେଷକରି ମୋତିଆବିନ୍ଦୁ ଓ ମଧୁମେହ ଯୋଗୁଁ ରେଟିନୋପାଥିର ଶିକାର ସମସ୍ତ ଚକ୍ଷୁରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ଦିଆଯିବ ଓ ପ୍ରତିବର୍ଷ ଥରେ ସେମାନଙ୍କ ଚକ୍ଷୁ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ମହତ୍ତ୍ୱପୂର୍ଣ୍ଣ ଯୋଜନାର ସଫଳ ରୂପାୟନ ପାଇଁ ପ୍ରଖ୍ୟାତ ଚକ୍ଷୁରୋଗ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ପଦ୍ମଶ୍ରୀ ଡା. ତାରାପ୍ରସାଦ ଦାସ ଏହାର ଅଧ୍ୟକ୍ଷ ଅଛନ୍ତି । ଏଥିରେ ସରକାରୀ ପଦାଧିକାରୀ, ଅଭିଜ୍ଞ ଚିକିତ୍ସକ ଓ ଚକ୍ଷୁ ସ୍ୱାସ୍ଥ୍ୟ ସମ୍ପୃକ୍ତ ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିମାନଙ୍କୁ ସାମିଲ କରାଯାଇଛି । ସମଗ୍ର ବିଶ୍ୱରେ ୨ କୋଟି ୮୫ ଲକ୍ଷ ଲୋକ ଚକ୍ଷୁରୋଗରେ ପୀଡ଼ିତ ହୋଇ ଦୃଷ୍ଟିଶକ୍ତି ହରାଉଛନ୍ତି । ସେମାନଙ୍କ ମଧ୍ୟରୁ ୮୦% ରୋଗୀଙ୍କ ଚିକିତ୍ସା ସମ୍ଭବ । ଏହି ସ୍ୱତନ୍ତ୍ର ଯୋଜନାନୁସାରେ ରାଜ୍ୟର ସବୁ ବର୍ଗର ପ୍ରତ୍ୟେକ ନାଗରିକଙ୍କୁ ସାମଗ୍ରିକ ଚକ୍ଷୁଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଆସନ୍ତା ୩ବର୍ଷ ମଧ୍ୟରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କ୍ଷେତ୍ରରେ ଚିହ୍ନଟ ସମସ୍ତ ରୋଗୀଙ୍କୁ ସାମିଲ କରାଯିବ । ରାଜ୍ୟରେ ମୋତିଆବିନ୍ଦୁ ଜନିତ ଚକ୍ଷୁ ସମସ୍ୟା ୮୦ପ୍ରତିଶତ ରହିଥିବାବେଳେ ଏହି ରୋଗୀଙ୍କୁ ମାଗଣା ଅସ୍ତ୍ରୋପଚାର ସହ ଚଷମା ଯୋଗାଇ ଦିଆଯିବ । ପ୍ରତ୍ୟେକ ସ୍କୁଲ ପିଲାଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ଆବଶ୍ୟକ ଚିକିତ୍ସା ସହ ଚଷମା ପ୍ରଦାନ କରାଯିବ । କର୍ଣ୍ଣିଆ ରୋଗୀଙ୍କ ଚକ୍ଷୁ ପ୍ରତିରୋପଣ ସହିତ ସେମାନଙ୍କ ଦୃଷ୍ଟିଶକ୍ତି ଫେରାଇ ଆଣିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିବେ । ମଧୁମେହ ଜନିତ ରେଟିନୋପାଥି ଚିକିତ୍ସା ପାଇଁ ସମସ୍ତ ପଦକ୍ଷେପ ନିଆଯିବ । ଡାଇବେଟିକ୍‌ରେ ଆଖିର ପଟଳ (ରେଟିନା) ନଷ୍ଟ ହୋଇଯାଉଥିବାବେଳେ ଏ ଜନିତ ଅନ୍ଧତ୍ୱ ଦୂରୀକରଣ କରାଯିବ । ଏଥିପାଇଁ ଜିଲା ହସ୍ପିଟାଲଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଆସନ୍ତା ତିନି ମାସ ମଧ୍ୟରେ ସମସ୍ତ ଗ୍ଲୁକୋମା ରୋଗର ଚିକିତ୍ସା କରାଯିବ । ଏହି ରୋଗୀଙ୍କୁ ଜୀବନବ୍ୟାପୀ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଶୈଶବରୁ ଦେଖା ଦେଉଥିବା ଚକ୍ଷୁରୋଗର ନିରାକରଣ ପାଇଁ ସେଭଳି ରୋଗୀଙ୍କୁ ଚିହ୍ନଟ କରାଯାଇ ବିନାମୂଲ୍ୟରେ ଚିକିତ୍ସା କରାଯିବ । ଏହି ଯୋଜନା ଯେମିତି ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସହଜଲବ୍ଧ ହେବ ସେଥିପ୍ରତି ଧ୍ୟାନ ଦିଆଯିବ । ସେହିପରି ଆଶାକର୍ମୀ ଏବଂ ସ୍କୁଲ ଶିକ୍ଷକଙ୍କ ପାଇଁ ଏକ ପ୍ରାରମ୍ଭିକ ଚକ୍ଷୁ ପରୀକ୍ଷଣ କିଟ୍‌ର ମଧ୍ୟ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଆର୍‌.ବାଲ୍‌କ୍ରିଷ୍ଣନ୍‌, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ପ୍ରମୋଦ ମେହେର୍ଦ୍ଧା, ପଦ୍ମଶ୍ରୀ ତାରାପ୍ରସାଦ ଦାସ, ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ କିଶୋର ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ । ସକାଳେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହା କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଛକରୁ ଜୟଦେବ ଭବନ ପର୍ଯ୍ୟନ୍ତ ଆସିଥିଲା ।
Tags:

Like Us

Breaking News

ମୋହାଲି : ଆଜି (ବୁଧବାର) ଭାରତ-ଶ୍ରୀଲଙ୍କା ୨ୟ ଦିନିକିଆ ମ୍ୟାଚ୍‌ ସି ପ୍ଲେନରେ ଯାତ୍ରା କରି  ନିର୍ବାଚନ ପ୍ରଚାର କଲେ ମୋଦି ମନ୍ଦିର ଯିବା କ’ଣ ଭୂଲ: ବିଜେପିକୁ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ ପାରିଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ