ଅପହରଣର ୧୭ ଦିନ ପରେ ମିଳିଲା ମୃତଦେହ, ୨ ଗିରଫ

ଲୁଟ୍ ପାଇଁ ହତ୍ୟା କୁହାଯାଉଥିଲେ ସୁଦ୍ଧା ଏବେ ବି ରହସ୍ୟ ଘେରରେ

Published On: Oct 12, 2017 03:00 PM IST | Updated On: Oct 12, 2017 03:27 PM IST |   1166

ବାରିପଦା: ଅପହରଣ ହେବାର ଦୀର୍ଘ ୧୭ ଦିନ ପରେ ରହସ୍ୟଜନକ ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁଧୀର କୁମାର ମହାନ୍ତ(୬୫)ଙ୍କ ଉଲଗ୍ନ ମୃତଦେହ ଗୁରୁବାର ସକାଳେ ମିଳିଛି। ତାଙ୍କ ଘରଠାରୁ ୩୫ କିମି ଦୂର ବେତନଟୀ ଇଲାକାର ଏକ ନିର୍ଜନ ସ୍ଥାନ ଆମ୍ବଯୋଡା ଶାଳ ଜଙ୍ଗଲର ନାଲିଆ ମାଟି ତଳୁ ବାରିପଦା ଟାଉନ ଥାନା ପୁଲିସ ଉଦ୍ଧାର କରିଛି । ସ୍ଥାନୀୟ ବାରିପଦା ମେଡିକାଲ କଲେଜ ହସ୍ପିଟାଲଠାରେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରବର୍ଗଙ୍କୁ ମୃତଦେହ ଆଜି ମଧ୍ୟାହ୍ନରେ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

 

ସୂଚନାଯୋଗ୍ୟ, ଅପହୃତ ଡ. ମହାନ୍ତଙ୍କୁ ହତ୍ୟା କରାଯିବା ପରେ ଉକ୍ତ ସ୍ଥାନରେ ୪ ଫୁଟ ଗାତ ଖୋଳାଯାଇ ଲୁଣ ଦେଇ ପୋତାଯାଇଥିଲା । ଏହି ହତ୍ୟା ଅଭିଯୋଗ ଘଟଣାରେ ବାରିପଦା ଟାଉନ ପୁଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତ ବାରିପଦାର ଶେକ୍‌ ରାଜୁ(୪୫) ଓ ବେତନଟୀର ଅଜୟ ପାତ୍ର(୩୦) ବୋଲି ପ୍ରକାଶ । ଡ. ମହାନ୍ତଙ୍କ ଘରୁ ଲୁଟ୍‌ ପାଇଁ ହତ୍ୟା କରାଯାଇଥିବାର ପୁଲିସ କହୁଥିଲେ ସୁଦ୍ଧା ଅନ୍ୟ କାରଣ ରହିଥିବାର ସାଧାରଣରେ ଆଲୋଚନା ହେଉଛି ଏବଂ ଏହି ଘଟଣା କ୍ରମଶଃ ରହସ୍ୟାବୃତ୍ତ ହେଉଥିବାରୁ ପୁଲିସ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।  

         

ବାରିପଦା ସଦର ଏସଡିପିଓ ଅଭିମନ୍ୟୁ ନାୟକଙ୍କ ବକ୍ତବ୍ୟ ଅନୁଯାୟୀ ଅଭିଯୁକ୍ତମାନେ ଗତ ୨୫ ତାରିଖ ଦିନ ଜମି କିଣାବିକା ବାହାନାରେ ସଂପୃକ୍ତ ପ୍ରାଧ୍ୟାପକ ଡ. ମହାନ୍ତଙ୍କୁ ଡାକି ନେଇ ସ୍ଥାନୀୟ ଦାମୋଦପୁରଠାରେ ଏକ ଅଟୋରେ ଦଉଡି ଦେଇ ବାନ୍ଧି ଦେଇଥିଲେ ଏବଂ ତାଙ୍କୁ ହତ୍ୟା କରିବା ପରେ କାର ଯୋଗେ ମୃତଦେହକୁ ନେଇ ଜଙ୍ଗଲରେ ପୋତି ଥିଲେ । ସେହି ୨୫ ତାରିଖ ରାତିରେ ଅଭିଯୁକ୍ତମାନେ ତାଙ୍କ ଘରୁ ୭୦/୮୦ ହଜାର ଟଙ୍କା ନଗଦ ସମେତ ସୁନାଗହଣା ଆଦି ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ଚୋରି କରିଥିଲେ । ଏହି ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତ ବୃତ୍ତିଗତ ଅପରାଧୀ ଥିବାରୁ ତାଙ୍କୁ କେହି ଏହି ହତ୍ୟା ପାଇଁ ନିୟୋଜିତ କରାଯାଇଥିବାର ସମ୍ଭାବନା ନେଇ ମଧ୍ୟ ତଦନ୍ତ ଜାରି ରହିଛି ।

         

ପ୍ରକାଶ ଯେ, ବାରିପଦା ଟାଉନ ଥାନାରେ ଗତ ୨୬ ତାରିଖ ଦିନ ତାଙ୍କ ପତ୍ନୀ କରଞ୍ଜିଆର ଖଜୁରୀସାଗର ନୂତନ ସରକାରୀ ହାଇସ୍କୁଲର ଶିକ୍ଷୟତ୍ରୀ ସ୍ନେହପ୍ରଭା ମହାନ୍ତଙ୍କ ଅଭିଯୋଗ ଅନୁଯାୟୀ ସ୍ଥାନୀୟ ୧୮ ନମ୍ବର ୱାର୍ଡ ଯମୁନାଦେଇପୁରଠାରେ ଥିବା ତାଙ୍କ ଘରୁ ଚୋରି ସହ ତାଙ୍କ ସ୍ୱାମୀ ନିଖୋଜ ହୋଇଥିବା ନେଇ ଏତଲା ଦିଆଯାଇଥିଲା । ଶ୍ରୀମତୀ ମହାନ୍ତ ପ୍ରତି ସପ୍ତାହ ଭଳି ଗତ ୨୬ତାରିଖ ଆଠଟା ସମୟରେ ଏଠାରେ ଘରେ ପହଞ୍ଚବା ପରେ ଘରର ମୁଖ୍ୟ ଫାଟକ ସମେତ ସମସ୍ତ କୋଠରୀ ଗୁଡ଼ିକର କବାଟ ଖୋଲା ରହିଥିବା ସହ ଘରର ଲୁହା ଆଲମିରାର ଲକ୍‌ ଭଙ୍ଗାଥିଲା ଏବଂ ସେଥିରୁ ସୁନାଗହଣା ନଗଦ ଟଙ୍କା ଆଦି ଚୋରି ସହିତ ଆସବାବପତ୍ର ମଧ୍ୟ ଇତସ୍ତତ ହୋଇ ପଡି ରହିଥିଲା  । କିନ୍ତୁ ଖୋଜାଖୋଜି ପରେ ତାଙ୍କ ସ୍ୱାମୀଙ୍କୁ କେଉଁଠାରେ ହେଲେ ଦେଖିବାକୁ ପାଇ ନ ଥିଲେ । ଏହି ଘଟଣାର ୯ ଦିନ ପରେ ଅର୍ଥାତ୍‌ ଗତ ୪ ତାରିଖରେ ବାରିପଦା ଟାଉନ ଥାନାରେ ଅପହରଣ ସହ ଚୋରି ନେଇ ଏକ ମାମଲା ରୁଜୁ ହୋଇଥିଲା।

         

ଉଲ୍ଲେଖ ଯୋଗ୍ୟ ଯେ, ଡ଼.ମହାନ୍ତ ୧୯୯୬ ପର୍ଯ୍ୟନ୍ତ ସ୍ଥାନୀୟ ଭଞ୍ଜପୁରସ୍ଥ ବାରିପଦା ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ ଏବଂ ଏହାପରେ ସେ ଝାଡ଼ପୋଖରିଆସ୍ଥ ସୀମାନ୍ତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଭାବେ ୨୦୧୨ ଜୁଲାଇରେ ଅବସର ନେଇଥିଲେ  । ସେ ବାରିପଦାର ସ୍ଥାନୀୟ ୧୮ ନମ୍ବର ୱାର୍ଡ ଯମୁନାଦେଇପୁରସ୍ଥ  ନିଜ ବାସଭବନରେ ଏକୁଟିଆ ରହୁଥିଲେ ଏବଂ ତାଙ୍କ ପତ୍ନୀ ବାହାରେ ଶିକ୍ଷୟିତ୍ରୀ ଥିବା ବେଳେ ପିଲାମାନେ ବାହାରେ ଚାକିରୀ କରନ୍ତି ।

Tags:

Like Us

Breaking News

୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ