ଦେଶର ସର୍ବକନିଷ୍ଠ ସହିଦ - ବାଜି ରାଉତ

ଦେଶର ସର୍ବକନିଷ୍ଠ ସହିଦ - ବାଜି ରାଉତ

Copy Editor RKD | Published On: Jan 18, 2018 04:52 PM IST | Updated On: Jan 28, 2018 07:49 PM IST |   2203

କଟକ : ଓଡିଶା ଇତିହାସରେ ଅକ୍ଟୋବର ୧୧ ତାରିଖ ଚିରଦିନ ପାଇଁ ଅଭୁଲା ହୋଇ ରହିଛି ଓ ରହିବ । ଏହି ଦିନରେ ୭୯ ବର୍ଷ ପୂର୍ବେ ଇଂରେଜଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଦେଶର ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ବାଜି ରାଉତ । ମାତ୍ର ୧୨ ବର୍ଷ ବୟସରେ ସେ ଦେଶ ମାତୃକା ପାଇଁ ଜୀବନ ବଳିଦାନ ଦେଇ ଜନମାନସରେ ଅମର ହୋଇ ରହିଛନ୍ତି । ୧୯୩୮ ମସିହା,ଅକ୍ଟୋବର ୧୧ ତାରିଖରେ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗ୍ରାମରେ ବାଜି ରାଉତଙ୍କୁ ଗୁଳି କରି ହତ୍ୟା କରିଥିଲେ ଇଂରେଜ ସିପାହି । ଏହାସହ ସେ ଦେଶର ସର୍ବକନିଷ୍ଠ ସହିଦର ମାନ୍ୟତା ପାଇବା ସହ ସବୁଦିନ ଅମର ହୋଇ ରହିଯାଇଛନ୍ତି । ତାଙ୍କର ଏହି ବଳିଦାନ ଦେଶରେ ସ୍ୱାଧୀନତା ସଂଗ୍ରାମକୁ ଅଧିକ ପ୍ରଜ୍ୱଳିତ କରିବାରେ ସହାୟକ ହୋଇଥିଲା । ଇତିହାସ ପୃଷ୍ଠାକୁ ଅବଲୋକନ କଲେ ଜଣାପଡେ ୧୯୩୮, ଅକ୍ଟୋବର ୧୦ ତାରିଖରେ ଇଂରେଜ ପୁଲିସ କିଛି ଲୋକଙ୍କୁ ଗିରଫ କରି ଭୁବନ ଗ୍ରାମକୁ ନେଇଥିଲେ । ସେମାନଙ୍କୁ ମୁକ୍ତ କରିବା ଦାବି କ୍ରମେ ସେହି ଅଞ୍ଚଳରେ ତୀବ୍ର ହୋଇଥିଲା । ଇଂରେଜଙ୍କ ବିରୋଧରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଏତେ ମାତ୍ରାରେ ବଢି ଯାଇଥିଲା ଯେ,ତାକୁ ନିୟନ୍ତ୍ରଣ କରିବାକୁ ଇଂରେଜ ପୁଲିସ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ । ସେଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ଲୋକଙ୍କ ଆକ୍ରୋଶ ଧିରେ ଧିରେ ବଢୁଥିବା ଦେଖୁ ପୁଲିସ ମାନେ ବ୍ରାହ୍ମଣୀ ନଦୀ ପାର ହୋଇ ଢେଙ୍କାନାଳ ପଳାଇ ଯିବାକୁ ଚେଷ୍ଟା କରିଥିଲେ । ଏହାପରେ ସେମାନେ ଅକ୍ଟୋବର ୧୧ ତାରିଖରେ ବର୍ଷାରେ ଭିଜିଭିଜି ବ୍ରାହ୍ମଣୀ ନଦୀର ନୀଳକଣ୍ଠପୁର ଘାଟରେ ପହଞ୍ଚିଥିଲେ । ସେହି ସମୟରେ ନଦୀ ଅପରପାଶ୍ୱର୍ କୂଳରେ ଡଙ୍ଗା ସହ ବସିଥିବା ବାଜି ରାଉତକୁ ନଦୀ ପାର କରିଦେବାକୁ ସେମାନେ କହିଥିଲେ । ବାଜି ରାଉତଙ୍କୁ ସମସ୍ତ ଘଟଣା ସମ୍ପର୍କରେ ସୂଚନା ଥିଲା ଏବଂ ସେ ଇଂରେଜଙ୍କ ବର୍ବରକାଣ୍ଡ ଏବଂ ଅତ୍ୟାଚାର ସମ୍ପର୍କରେ ଶୁଣିଥିଲେ । ତେଣୁ ସେ ଇଂରେଜ ସୈନିକଙ୍କୁ ନଦୀ ପାର କରିବାକୁ ମନା କରି ଦେଇଥିଲେ । ବାରମ୍ବାର କହିବା ସତ୍ତ୍ୱେ ସେ ଇଂରେଜ ସୈନିକଙ୍କ କଥା ଶୁଣିନଥିଲେ । ଏହାପରେ ଇଂରେଜ ସୈନିକମାନେ ବାଳକ ବାଜି ରାଉତଙ୍କ ଉପରକୁ ଗୁଳି ଚଳାଇ ଦେଇଥିଲେ । ଇଂରେଜଙ୍କ ଗୁଳିରେ ନିଷ୍ପାପ ବାଳକ ବାଜି ରାଉତଙ୍କ ପ୍ରାଣ ଚାଲିଯାଇଥିଲା । ଏହାଛଡା ଇଂରେଜଙ୍କ ଗୁଳିରେ ଲକ୍ଷ୍ମଣ ମଲ୍ଲିକ, ହୁରୁଷି ପ୍ରଧାନ, ନଟ ମଲ୍ଲିକ, ରଘୁ ନାୟକ, ଗୁରୀ ନାୟକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ଇଂରେଜଙ୍କ ଗୁଳିରେ ଆହତ ହୋଇଥିବା ଫଗୁ ସାହୁ ଏବଂ ପାଣୁ ଲେଙ୍କାଙ୍କ କଟକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ଏହି ବାଳକଙ୍କ ବଳିଦାନର ଗାଥା ସାରା ଦେଶରେ ପ୍ରଚାରିତ ହୋଇଥିଲା ଏବଂ ଲୋକଙ୍କ ମନରେ ଏକ ନୂତନ ଉତ୍ସାହ ଏବଂ ଉନ୍ମାଦନା ଭରି ଦେଇଥିଲା । ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରୁଥିବା ଲୋକଙ୍କ ଉତ୍ସାହ ମଧ୍ୟ ଦ୍ୱିଗୁଣିତ ହୋଇଥିଲା । ସହିଦ ବାଜି ରାଉତଙ୍କ ଶେଷକୃତ୍ୟ ଖାନନଗରରେ କରାଯାଇଥିଲା । ଦେଶର ସର୍ବକନିଷ୍ଠ ସହିଦ ବାଜି ରାଉତଙ୍କୁ ସମ୍ମାନ ଜଣାଇ ମୁମ୍ବାଇ ଆଇଆଇଟିରେ ଓଡିଆ ଛାତ୍ର ସଂଘ ପକ୍ଷରୁ ବାଜି ରାଉତ ସମ୍ମାନ ପ୍ରଦାନ କରାଯାଉଛି । ଏହାଛଡା ବର୍ତ୍ତମାନର ଅନୁଗୁଳ ଜିଲ୍ଲାରେ ବାଜି ରାଉତ ଛାତ୍ରାବାସ ଏବଂ ବିଦ୍ୟାଳୟ ମଧ୍ୟ ସକ୍ରିୟ ରହିଛି । ଇତିହାସ କହେ ବାଜି ରାଉତ ସହିଦ ହେବାପରେ ତାଙ୍କ ବୀରଗାଥା ଅନେକଙ୍କ ହୃଦୟକୁ ଆନ୍ଦୋଳିତ କରିଥିଲା । ସେହି ସମୟରେ ଓଡିଶାରେ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଉଥିବା ସେନାନୀଙ୍କ ମଧ୍ୟରୁ ମାଳତୀ ଚୌଧୁରୀ ୧୯୪୬, ମେ ୧୩ ତାରିଖରେ ଏହି ଛାତ୍ରାବାସ ଏବଂ ବିଦ୍ୟାଳୟକୁ ଆରମ୍ଭ କରିଥିଲେ । ସେ କଟକ ଜେଲରେ ଥିବାବେଳେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର, ପିଲାଛୁଆଙ୍କ ବିଷୟରେ ଚିନ୍ତିତ ହୋଇ ପଡିଥିଲେ । ସେ ଜେଲରୁ ବାହାରିବା ପରେ ଏହି ଛାତ୍ରାବାସ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଠାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପୁଅ ଝିଅ ତଥା ଦଳିତ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ରହିବାର ସୁଯୋଗ ମିଳିଥିଲା । ଏହି କାର୍ଯ୍ୟରେ ତାଙ୍କୁ ସେହି ସମୟର ଅନେକ ସ୍ୱାଧୀନତା ସଂଗ୍ରାମୀ ସ୍ୱତଃସ୍ଫୁର୍ତ୍ତ ଭାବରେ ସହଯୋଗ କରିଥିଲେ । ବର୍ତ୍ତମାନ ଏହି ଛାତ୍ରାବାସରେ ୧୬୫ ଜଣ ଛାତ୍ରଛାତ୍ରୀ ରହି ପାଠ ପଢୁଛନ୍ତି ।

Tags:

Like Us

Breaking News

ସୁନ୍ଦରଗଡ଼: କୁଆରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପଦ୍ମପୁର ବାଲିଘାଟରେ ଦୁର୍ବୃତ୍ତ ପୋଡ଼ି ଦେଇଛନ୍ତି ପୋକଲିନ୍‌ ମେସିନ ବିଜେପୁର ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ, ସୂଚନା ଦେଲେ ରିଟର୍ଣ୍ଣିଂ ଅଫିସର ତପିରାମ ମାଝି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀ ଗସ୍ତ, ସନ୍ଧ୍ୟାରେ ରାଷ୍ଟ୍ରପତିଙ୍କୁ ଭେଟିବେ ମୁମ୍ବଇରୁ ଭୁବନେଶ୍ୱର ଆସୁଥିବା କୋଣାର୍କ ଏକ୍ସପେସରୁ ମିଳିଲା ୨ଟି ସନ୍ଦିଗ୍ଧ ବାକ୍ସ, ଯାଞ୍ଚ କଲା ବୋମା ନିଷ୍କ୍ରିୟକାରୀ ଟିମ୍‌