ଆଖଡ଼ାଶାଳିରେ ନଦୀଭିତ୍ତିକ ବନ୍ଦର

0

ଭୁବନେଶ୍ୱର : ରାଜ୍ୟରେ ଜାତୀୟ ଓ ଅର୍ନ୍ତଜାତୀୟ ବାଣିଜ୍ୟ ଭିତ୍ତିଭୂମି ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଶନିବାର ରାଜ୍ୟ ସରକାର ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବା ଭଳି ଏବ ବଡ଼ ଧରଣର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଆଖଡାଶାଳି ଗ୍ରାମ ତଥା ମହାନଦୀ ମୁହାଣର ଉପରମୁଣ୍ଡରେ ୧୩କିମି. ଦୂରରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ କରାଯିବ। ସରକାରୀ ଓ ଘରୋଇ ସହଭାଗିତା(ପିପିପି) ମୋଡରେ ନିର୍ମାଣ ହେବାକୁ ଥିବା ଏହି ବନ୍ଦର ଦୁଇଟି ପର୍ୟ୍ୟାୟରେ ଶେଷ ହେବ। ପ୍ରଥମ ପର୍ୟ୍ୟାୟରେ ୨୧୧୦ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧୮.୪୩ ମିଲିୟନ ଟନ୍‍ ପଣ୍ୟ କାରବାର କରିବାକୁ ସକ୍ଷମ ହେବ। ଏଥିପାଇଁ ୨ଟି ବର୍ଥ ସାଙ୍ଗକୁ ଆନୁଷଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ। ଦ୍ୱିତୀୟ ପର୍ୟ୍ୟାୟ ପ୍ରାୟ ୩ହଜାର କୋଟି ଖର୍ଚ୍ଚ ହେବାକୁ ରହିଥିବାବେଳେ ସଂପ୍ରସାରଣ ପରେ ପଣ୍ୟକାରବାର କ୍ଷମତା ୪୫.୮୮ ମିଲିୟନ ଟନ୍‍କୁ ବୃଦ୍ଧି ପାଇବ । ଏଥିପାଇଁ ୪ଟି ବର୍ଥ ନିର୍ମାଣ ହେବାସହିତ ୧୨୫ ହେକ୍ଟର ଜମିର ଆବଶ୍ୟକତା ରହିଛି। ଏହି ବନ୍ଦରକୁ ଜାତୀୟ ରାଜପଥ-୫ କ ଏବଂ ହରିଦାସପୁର-ପାରାଦ୍ୱୀପ ରେଳପଥକୁ ପଣ୍ୟ ପରିବହନ ପାଇଁ ସଂଯୋଗ କରାଯିବ। ଦୁଇଟି ପର୍ୟ୍ୟାୟରେ ବନ୍ଦର କାର୍ୟ୍ୟକ୍ଷମ ହେଲେ ଓଡ଼ିଶାରେ ପ୍ରାୟ ୧୫ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁୁ ଜଣାଯାଇଛି।
ବୈଠକର ସୂଚନା ଅନୁଯାୟୀ ସରକାର ପିପିପି ମୋଡ ତଥା ବୁଷ୍ଟ ଆଧାରରେ ଏହି ନଦୀଭିତ୍ତିକ ବନ୍ଦର ନିର୍ମାଣ କରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତବର୍ଷ ଆବେଦନପତ୍ର ସଂଗ୍ରହ କରାଯାଇଥିଲା। ଏଥିପାଇଁ ହିନ୍ଦୁସ୍ତାନ ପୋର୍ଟ ପ୍ରାଇଭେଟ ଲି., ଆଦାନୀ ପୋର୍ଟ ସ୍ପେଶାଲ ଇକୋନୋମିକ ଜୋନ୍‍ ଲି., ଏସାର ପୋର୍ଟସ ଲି ଓ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଲି. ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି। ଆସନ୍ତା ନଭେମ୍ବରରେ ଉକ୍ତ ବନ୍ଦର ନିର୍ମାଣ ପାଇଁ କମ୍ପାନୀ ଚୟନ କରାଯାଇ ବିଡ୍‍ ପ୍ରୋସେସିଂ କରାଯିବ। ୨୦୧୯ ଜାନୁଆରୀରେ ବନ୍ଦର ନିର୍ମାଣ ଲାଗି ସଂପୃକ୍ତ କମ୍ପାନୀକୁ ଅନୁମତି ପତ୍ର ପ୍ରଦାନ କରାଯିବା ସହିତ ସରକାରଙ୍କ ସହିତ ଚୁକ୍ତିନାମା ସମ୍ପାଦନା କରାଯିବ ବୋଲି ଜଣାଯାଇଛି। ତେବେ ଏଥିଲାଗି ୨୦୧୭ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳ୍ପନା କରିବା ସହିତ ପ୍ରସ୍ତାବ ସଂଗ୍ରହ ଲାଗି ଅନୁମତି ଦେଇଥିଲେ। ତେବେ ଏହି ବନ୍ଦର ନିର୍ମାଣ ଲାଗି ରାଜ୍ୟ ସରକାର ନିର୍ମାଣକାରୀ କମ୍ପାନୀକୁ ଦୀର୍ଘମିଆଦି ସୂତ୍ରରେ ରିଆତି ଦରରେ ଜମି ଯୋଗାଇ ଦେବେ। ଏଥିପାଇଁ ସଂପୃକ୍ତ କମ୍ପାନୀ ଚୁକ୍ତିନାମା ବେଳେ ୧୦କୋଟି ଟଙ୍କା ସରକାରଙ୍କୁ ପ୍ରଦାନ କରିବେ। ଅନ୍ୟପକ୍ଷରେ ରାଜ୍ୟ ସରକାର ବିଦ୍ୟୁତ୍‍, ପାଣି , ରାସ୍ତା ଭଳି ଅନ୍ୟାନ୍ୟ ଆନୁଷଙ୍ଗିକ ଅନୁମତି ଯୋଗାଇ ଦେବେ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜଣାଯାଇଛି। ଏନେଇ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ ବାଣିଜ୍ୟ ମନ୍ତ୍ରୀ ନୃସିଂହ ସାହୁ, ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହିତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply