ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍‍ ଦଳ ସଫଳତା ପାଇବା ଆଶା କମ୍‍ : ପଣ୍ଟିଂ

0

ସିଡ଼ନୀ : ଭାରତୀୟ କ୍ରିକେଟ୍‍ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସିରିଜ୍‍ ଖେଳିବାକୁ ଥିବା ବେଳେ ଏଥିରେ ଭାରତୀୟ ଦଳକୁ ସଫଳତା ମିଳିବା ଆଶା କମ୍‍ ବୋଲି ମତ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ।
ସୂଚନାଥାଉକି କିଛିଦିନ ତଳେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯାଇ ଟେଷ୍ଟ ସିରିଜ୍‍ରେ ପରାଜିତ ହୋଇଥିଲା। ଇଂଲଣ୍ଡ ବୋଲରଙ୍କ ସୁଇଙ୍ଗ ବୋଲିଂ ଖେଳିବାକୁ ଭାରତୀୟ ବ୍ୟାଟସମ୍ୟାନ୍‍ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଗାମୀ ଦିନରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ କ୍ରିକେଟ୍‍ ସିରିଜ୍‍ ଖେଳିବ। ଏ ସଂପର୍କରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ପଣ୍ଟିଂ କହିଥିଲେ ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ୍‍ ଦଳ ସଫଳତା ପାଇବା ଆଶା କମ୍‍। ଅଷ୍ଟ୍ରେଲିଆ ପିଚ୍‍ରେ ଯଦି ବଲ୍‍ ସୁଇଙ୍ଗ କରେ ତେବେ ଭାରତୀୟ ବ୍ୟାଟସମ୍ୟାନ୍‍ ରନ୍‍ ସଂଗ୍ରହ କରିବାରେ ନିଶ୍ଚିତ ଭାବେ ଅସୁବିଧାର ସମ୍ମୁଖୀନ ହେବେ। ବିରାଟ କୋହଲିଙ୍କ ପରି କିଛି ବ୍ୟାଟସମ୍ୟାନ୍‍ଙ୍କୁ ଛାଡ଼ି ଅନ୍ୟମାନେ ଅଷ୍ଟ୍ରେଲିଆ ମାଟିରେ ସଫଳତା ପାଇବା ଆଶା ନାହିଁ। ଇଂଲଣ୍ଡ ପିଚ୍‍ରେ ବଲ୍‍ ସୁଇଙ୍ଗ କରିବା ଫଳରେ ଭାରତୀୟ ବ୍ୟାଟସମ୍ୟାନ୍‍ମାନେ ଯେପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ସମାନ ଅବସ୍ଥା ସେମାନେ ଅଷ୍ଟ୍ରେଲିଆରେ ଭୋଗ କରିବାର ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ, ଇଂଲଣ୍ଡ ପରି ରାଷ୍ଟ୍ର ଉପମହାଦେଶୀୟ ପିଚ୍‍ରେ ସ୍ପିନରଙ୍କୁ ମୁକାବିଲା କରିବାରେ ଯେପରି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଭାରତୀୟ ଦଳ ମଧ୍ୟ ବିଦେଶ ମାଟିରେ ଦ୍ରୁତ ବୋଲରଙ୍କୁ ମୁକାବିଲା କରିବାରେ ସେହିପରି ଅସୁବିଧାର ସମ୍ମୁଖୀନ ହେଉଥିବା ସେ କହିଛନ୍ତି।
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‍ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ନିଜ ପ୍ରତିକ୍ରିୟାରେ ପଣ୍ଟିଂ କହିଥିଲେ ହାରଜିତ୍‍ ପାଇଁ କେବଳ ଅଧିନାୟକଙ୍କୁ ଦୋଷ ଦେଇ ହେବ ନାହିଁ। ଅଧିନାୟକଙ୍କ ବ୍ୟତୀତ ଦଳର ବିଜୟରେ ଖେଳାଳିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ତାହା ଭୁଲିଯିବା ଅନୁଚିତ୍‍। ସୂଚନାଥାଉକି ଆସନ୍ତା ନଭେମ୍ବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ପ୍ରଥମେ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳିବ। ଏହାପରେ ଦଳ ୪ଟି ଟେଷ୍ଟ ମ୍ୟାଚ୍‍ ଓ ୩ଟି ଦିନିକିଆ ମ୍ୟାଚ୍‍ ଖେଳି ଜାନୁଆରୀରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବ।

Leave A Reply