ସରକାର ଗଠନ ପାଇଁ ମହାରାଷ୍ଟ୍ରରେ କସରତ ଜାରି : ୩୦ରେ ବିଜେପି ବିଧାୟକ ଦଳ ବୈଠକ

ମୁମ୍ବଇ : ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ରାଜନୈତିକ କସରତ ଜାରି ରହିଛି। ସମସ୍ତ ବଡ଼ ବଡ଼ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଏନେଇ ଆଲୋଚନା ଜାରି ରହିଛି । ଶିବସେନା ସଭାପତି ଉଦ୍ଧବ ଠାକରେ ଶନିବାର ମୁମ୍ବଇରେ ଦଳର ନବନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ କରିଛନ୍ତି । ଶିବସେନା ସାଂସଦ ସଞ୍ଜୟ ରାଉତ ପିଟିଆଇକୁ କହିଛନ୍ତି,ସମସ୍ତ ନବନିର୍ବାଚିତ ବିଧାୟକ ଉଦ୍ଧବ ଠାକରେଙ୍କୁ ସାକ୍ଷାତକରି ବିଧାୟକ ଦଳ ନେତା ନିର୍ବାଚିତ କରିବା ଲାଗି ନିଷ୍ପତ୍ତି ନେବାକୁ ତାଙ୍କୁ କ୍ଷମତା ପ୍ରଦାନ
କରିଛନ୍ତି।

ଅନ୍ୟପକ୍ଷରେ ଶିବସେନା ବିଧାୟକ ପ୍ରତାପ ସରନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି, ନବନିର୍ବାଚିତ ବିଧାୟକମାନଙ୍କ ସହ ବୈଠକ ସମୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କ୍ଷମତା ବଣ୍ଟନରେ ସମାନତା ନୀତି ଲାଗୁ କରିବା ପାଇଁ ବିଜେପି ଠାରୁ ଲିଖିତ ପ୍ରତିଶ୍ରୁତି ପାଇବା ବିଷୟ ଦାବି କରିଥିଲେ। ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯିବା ପୂର୍ବରୁ ଏହି ପ୍ରତିଶ୍ରୁତି ମିଳିବା ଦରକାର ବୋଲି ସେ କହିଥିଲେ। ଶ୍ରୀ ସରନାୟକ କହିଛନ୍ତି, ଶିବ ସେନା ମୁଖ୍ୟଙ୍କ ପାଖରେ ଆହୁରି ଅନେକ ବିକଳ୍ପ ରହିଛି, କିନ୍ତୁ ଯେହେତୁ ବିଜେପି ଓ ଶିବସେନା ହିନ୍ଦୁତ୍ୱ ନୀତିରେ ବିଶ୍ୱାସ କରି ଆସୁଛନ୍ତି ସେ ଦୃଷ୍ଟିରୁ ସେ ଅନ୍ୟ ବିକଳ୍ପଗୁଡ଼ିକ ବିଷୟରେ ଚିନ୍ତା କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ବୋଲି ଜଣାଇଛନ୍ତି। ବିଜେପି ପକ୍ଷରୁ ଏଭଳି ପ୍ରତିଶ୍ରୁତି ମିଳବା ପରେ ଯାଇ ରାଜ୍ୟରେ ପରବର୍ତ୍ତୀ ସରକାର ଗଠନ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ଶ୍ରୀ ସରନାୟକ କହିଛନ୍ତି।
ଇତିମଧ୍ୟରେ ମହାରାଷ୍ଟ୍ରର ବିଜେପି ଶାଖା ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ୍‍ କହିଛନ୍ତି, ଆସନ୍ତା ୩୦ ତାରିଖ ଦିନ ବିଜେପି ରାଜ୍ୟଶାଖା ଏହାର ନବନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ ଡକାଇଛି। ସେହି ଦିନ ବିଧାୟକଦଳ ନେତା ନିର୍ବାଚିତ କରାଯିବ। ବୈଠକ ମୁମ୍ବଇ ସ୍ଥିତ ବିଧାନ ଭବନରେ ଅନୁଷ୍ଠିତ ହେବ।

ଅପର ପକ୍ଷରେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ବାଲାସାହେବ ଥୋରାଟ୍‍ ଏନ୍‍ସିପି ମୁଖ୍ୟ ଶରଦ ପାୱାରଙ୍କୁ ବାରାମତୀଠାରେ ସାକ୍ଷାତ କରିଛନ୍ତି। ସେଠାରେ ଏନ୍‍ସିପି ସାଂସଦ ସୁପ୍ରିୟା ସୁଲେ, ଏନ୍‍ସିପି ବିଧାୟକ ରୋହିତ ପାୱାର ଓ ବରିଷ୍ଠ ଏନ୍‍ସିପି ନେତା ପ୍ରଫୁଲ୍ଲ ପଟେଲ ଉପସ୍ଥିତ ଥିଲେ। ଶ୍ରୀ ପାୱାର କହିଛନ୍ତି, ଏନ୍‍ସିପି ଜନମତକୁ ସମ୍ମାନ ଦେବ ଓ ତାଙ୍କ ଦଳ ବିରୋଧୀ ଦଳ ଆସନରେ ବସିବାକୁ ଜନମତ ମିଳିଛି।

Comments are closed.