ଶୀଲାଙ୍କ ରାଜନୈତିକ କ୍ୟାରିୟରର ଏକ ଝଲକ…

ନୂଆଦିଲ୍ଲୀ  : ଦିଲ୍ଲୀ ରାଜନୀତିରେ ଶୀଲା ଦିକ୍ଷୀତ ଥିଲେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ରାଜନେତ୍ରୀ । ସେ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳରେ ଦିଲ୍ଲୀ ଭିତ୍ତିଭୂମି ବିକାଶ ଦିଗରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରାଯାଇଥିଲା। ସଡ଼କ ଓ ଫ୍ଲଏଓଭର ନିର୍ମାଣ ଠାରୁ ଆରମ୍ଭ କରି ଉନ୍ନତ ସାଧାରଣ ପରିବହନ ବ୍ୟବସ୍ଥା, ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ତଥା ଦିଲ୍ଲୀକୁ ପ୍ରଦୂଷଣମୁକ୍ତ ସହର କରିବା ଦିଗରେ ତାଙ୍କ ସରକାର କାର୍ଯ୍ୟ କରିଥିଲା। ୨୦୧୩ରେ କେଜରିୱାଲଙ୍କ ଆମ ଆଦମୀ ପାର୍ଟି (ଆପ)ର ବିପୁଳ ବିଜୟ ପରେ ଶୀଲାଙ୍କ ସରକାରର କ୍ଷମତା ହରାଇଥିଲା। ପରେ ୨୦୧୪ରେ ସେ କେରଳର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ ମଧ୍ୟ ମାତ୍ର ୬ ମାସ ପରେ ଏହି ପଦରୁ ଇସ୍ତଫା ଦେଇଥିଲେ।
ପଞ୍ଜାବର କପୁରଥାଲାରେ ଜନ୍ମିତ ଶୀଲା ଏକଦା ରାଜନୀତିକୁ ଆସିବାକୁ ଅନିଚ୍ଛୁକ ଥିଲେ। ପରେ ସେ ନିଜ ଶ୍ବଶୁର ତଥା ଉତ୍ତରପ୍ରଦେଶର ପୂର୍ବତନ ପ୍ରମୁଖ କଂଗ୍ରେସ ନେତା ଉମାଶଙ୍କର ଦୀକ୍ଷିତଙ୍କୁ ରାଜନୀତିରେ ସହଯୋଗ କରିଥିଲେ। ଉମାଶଙ୍କର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ। ସମୟକ୍ରମେ ଇନ୍ଦିରା ଶୀଲାଙ୍କ ପ୍ରଶାସନିକ ଦକ୍ଷତାକୁ ପରଖିଥିଲେ। ମହିଳାଙ୍କ ସ୍ଥିତି ସମ୍ବନ୍ଧୀୟ ପ୍ରସଙ୍ଗ ସମ୍ବନ୍ଧୀୟ ଜାତିସଂଘ କମିସନର ପ୍ରତିନିଧି ଦଳ ଭାବେ ଇନ୍ଦିରା ତାଙ୍କୁ ମନୋନୀତ କରିଥିଲେ। ୧୯୮୪ରୁ ୧୯୮୯ ପର୍ଯ୍ୟନ୍ତ ସେ ଏହି କମିସନରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ସତୁରି ଦଶକରେ ସେ ଯୁବ ମହିଳା ସଂଘ ଅଧ୍ୟକ୍ଷ ଥିଲେ। ୧୯୮୪ରୁ ୧୦୯୮୯ ପର୍ଯ୍ୟନ୍ତ ସେ ଉତ୍ତରପ୍ରଦେଶର କନୌଜରୁ ସଂସଦରେ ପ୍ରତିନିଧିତ୍ବ କରିଥିଲେ। ଲୋକସଭାର ଏଷ୍ଟିମେଟ କମିଟି ସଦସ୍ୟ ଭାବେ ମଧ୍ୟ ସେ କର୍ଯ୍ୟ କରିଥିଲେ। ୧୯୮୬ରୁ ୧୯୮୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଥିଲେ। ୧୯୯୦ରେ ମହିଳାଙ୍କୁ ନିର୍ଯାତନା ବି ରୋଧୀ ଅଭିଯାନର ନେତୃତ୍ବ ନେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯୯୮ଓ ୨୦୦୩ରେ ସେ  ଗୋଏଲ ମାର୍କେଟ ଏବଂ ୨୦୦୮ରେ ନୂଆଦିଲ୍ଲୀ ନିର୍ବାଚନମଣ୍ଡଳୀରୁ ବିଧାନସଭାରେ ପ୍ରତିନିଧ୍ବିତ୍ବ କରିଥିଲେ।

Comments are closed.