ଅମାନିଆ ପୁଲିସଙ୍କ ପାଇଁ ଏସପିଙ୍କ ନୂଆ ଫଣ୍ଡା; ହ୍ବାଟ୍‌ସଆପ୍ ନମ୍ବରକୁ ଫଟୋ ପଠାଇଲେ ମିଳିବ ହଜାର ଟଙ୍କା

ହରିୟାଣା: ଅମାନିଆ ପୁଲିସ ଅଧିକାରୀଙ୍କୁ ସାବାଡ କରିବା ପାଇଁ ହରିୟାଣର କର୍ଣ୍ଣଲରେ ଏସପି ଏକ ନୂଆ ଉପାୟ ଆପଣାଇଛନ୍ତି। ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା​‌​‌ ପୁଲିସ ଅଧିକାରୀଙ୍କୁ ଜଗିବା ପାଇଁ କରନାଲରେ ଏସପି ଏକ ହ୍ବାଟ୍‌ସଆପ୍ ନମ୍ବର ଜାରି କରିଛନ୍ତି। ଏହି ନମ୍ବରରେ ଟ୍ରାଫିକ୍ ନିୟମକୁ ଅମାନ୍ୟ କରୁଥିବା​‌​‌ ପୁଲିସ ଅଧିକାରୀଙ୍କ ଫଟୋ ପଠାଇବାକୁ ଏସପି ଜନତାଙ୍କୁ ପରାମର୍ଶ ଦେଇଛନ୍ତି। ଫଟୋ ପଠାଇଥିବା ବ୍ୟକ୍ତିକୁ ଏସପି ଏକ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ସୂଚନା ମିଳିଛି।

ଏହି ନମ୍ବର ଜାରି ହେବା ପରେ ବିନା ହେଲମେଟରେ ଗାଡି ଚଳାଉଥିବା ୪ ଜଣ ପୁଲିସ କର୍ମଚାରୀଙ୍କ ଫଟୋ ଆସିଛି। ଫଟୋ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚାରି ଜଣ ପୁଲିସ କର୍ମଚାରୀଙ୍କ ନାମରେ ଚାଲାଣ କଟା ଯାଇଛି। ଏହା ସହ ଫଟୋ ପଠାଇଥିବା ବ୍ୟକ୍ତିଙ୍କୁ ପୁରାସ୍କାର ରାଶି ପଠାଇବା ପାଇଁ ଏସପି ବ୍ୟବସ୍ଥା କରୁଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଏସପି ସୁରେନ୍ଦ୍ର ଭୌରିୟା ନଭେମ୍ବର ୨୦ ତାରିଖରେ ଜିଲାର ସମସ୍ତ ଥାନା ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ପୁଲିସ କର୍ମଚାରୀ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବେ ନାହିଁ ବୋଲି ବୈଠକରେ ଏସପି କଡାକଡି ଭାବେ ନିର୍ଦେଶ ଦେଇଥିଲେ। ଯଦି କେହି ପୁଲିସ ଅଧିକାରୀ ନିୟମ ଭାଙ୍ଗିବ ତେବେ ତା’ ନାମରେ ଚାଲାଣ କଟାଯିବ ବୋଲି ଏସପି କହିଥିଲେ। ଏହି ବୈଠକରେ ଏସପି ହ୍ବାଟ୍ସଅପ୍ ନମ୍ବର ଜାରି କରିଥିଲେ। ଏହି ନମ୍ବର ଏବେ ସାରା ରାଜ୍ୟରେ ଖେଳି ଯାଇଛି। ଅନ୍ୟ ଜିଲାରେ ଟ୍ରାଫିକ୍ ନିୟମ ଅମାନ୍ୟ କରୁଥିବା ପୁଲିସ ଅଧିକାରୀଙ୍କ ଫଟୋ ଏହି ନମ୍ବରରେ ଆସୁଥିବା ଜଣାଯାଇଛି।

Comments are closed.