ଦର୍ଶନ କରି ନ ପାରି ସବରିମାଳାରୁ ଫେରିଲେ ୧୦ ମହିଳା

ତିରୁଅନନ୍ତପୁରମ: ସବରିମାଳା ମନ୍ଦିର ବିବାଦ ମଧ୍ୟରେ ଆଜି (ଶନିବାର) ଦର୍ଶନ କରିବାକୁ ଯାଇଥିବା ୧୦ ଜଣ ମହିଳା ଭକ୍ତ ନିରାଶ ହୋଇ ଫେରିଛନ୍ତି। ସମ୍ପୃକ୍ତ ମହିଳାମାନଙ୍କୁ ପୁଲିସ ଫେରାଇ ଦେଇଥିବା ଜଣାପଡିଛି। ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ଦର୍ଶନ କରିବାକୁ ଯାଇଥିବା ୧୦ ଜଣ ମହିଳାଙ୍କୁ ପୁଲିସ ପାମ୍ବା ନିକଟରେ ଅଟକାଇଥିଲା। ସମସ୍ତ ମହିଳା ଆନ୍ଧ୍ରପ୍ରଦେଶରୁ ଆସିଥିବା ଜଣାପଡିଛି। ମଣ୍ଡଳ ପୂଜା ପାଇଁ ଆଜି ସବରିମାଳା ମନ୍ଦିର ଖୋଲୁଛି। ଅନ୍ୟ ପକ୍ଷରେ କେରଳ ସରକାର କହିଛନ୍ତି, ମନ୍ଦିର ଦର୍ଶନ ପ୍ରଚାର ପାଇଁ ଉଦ୍ଦିଷ୍ଟ ନୁହେଁ ତେଣୁ ପ୍ରଚାର ପାଇଁ ସବରିମାଳା ଯିବା ଆବଶ୍ୟକ ନୁହେଁ। କେରଳ ପର୍ଯ୍ୟଟନ ମନ୍ତ୍ରୀ କଡକମପଲ୍ଲୀ ସୁରେନ୍ଦ୍ରନ କହିଛନ୍ତି, ସବରିମାଳା ପୂଜା ପାଇଁ ଉଦ୍ଦିଷ୍ଟ, ପ୍ରଦର୍ଶନ ପାଇଁ ନୁହେଁ। ସେ କହିଛନ୍ତି, ତୃପ୍ତି ଦେଶାଇଙ୍କ ଭଳି ଯେଉଁମାନେ ଶକ୍ତି ପ୍ରଦର୍ଶନ କରୁଛନ୍ତି ସେମାନଙ୍କ ପାଇଁ ଏହି ସ୍ଥାନ ଉଦ୍ଦିଷ୍ଟ ନୁହେଁ। ରାଜ୍ୟ ସରକାର ପ୍ରଦର୍ଶନ ପାଇଁ ସବରିମାଳା ମନ୍ଦିରକୁ ବ୍ୟବହାର ହେବାକୁ ଦେବେ ନାହିଁ ବୋଲି କହିଛନ୍ତି।

କେରଳ ସରକାର ସ୍ପଷ୍ଟ କରିଛନ୍ତି ଯେ ସବରିମାଳା ମନ୍ଦିର ଦର୍ଶନକୁ ଆସୁଥିବା ମହିଳା ସାମାଜିକ କର୍ମକର୍ତ୍ତାଙ୍କୁ ପୁଲିସ ସୁରକ୍ଷା ଦିଆଯିବ ନାହିଁ।

Comments are closed.