ଶ୍ବଶୁର ଘରେ ଚାଲୁଥିଲା ବାଇକ୍‌ ଚୋରିର ବ୍ଲୁ-ପ୍ରିଣ୍ଟ: ୨ ଗିରଫ, ୬ ବାଇକ୍‌  ଜବତ

ନୀଳଗିରି: ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳ ସମେତ ନୀଳଗିରି ଥାନା ଅଞ୍ଚଳରେ କ୍ରମାଗତଭାବେ ହେଉଥିବା ବାଇକ ଚୋରି ରାକେଟର ପର୍ଦ୍ଦାଫାଶ କରିଛି ନୀଳଗିରି ପୁଲିସ। କଟକରୁ କୋଲକାତା ଏବଂ କୋଲକାତାରୁ ନୀଳଗିରି ପର୍ଯ୍ୟନ୍ତ ଏହି ରାକେଟର ଚେର ଲମ୍ବିଥିବା ସନ୍ଧାନ ପାଇବା ପରେ ପୁଲିସ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନୀଳଗିରି ଥାନା ଧୋବଶିଳା ଗାଁର ଉମାକାନ୍ତ ଶ ଏବଂ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାନପୁର ଗାଁର ପ୍ରଫୁଲ୍ଲ ମଲିକ। ସେମାନଙ୍କଠାରୁ ୬ଟି ଚୋରି ବାଇକ ଜବତ କରାଯାଇଛି। ପ୍ରଫୁଲ୍ଲଙ୍କ ଶ୍ବଶୁର ଘର ଧୋବଶିଳାରେ। ସେଠାକୁ ଯାଇ ସେ ବାଇକ୍‌ ଚୋରିର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ପୁଲିସ ଜାଣିବାକୁ ପାଇଛି।

କିଛିଦିନ ପୂର୍ବରୁ ଅନ୍‍ଲାଇନ ବ୍ୟବସାୟରେ ମାର୍କେଟିଂ କରିବାକୁ କହି ଏହି ରାକେଟର କେତେଜଣ ଯୁବକ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କୁ ଏକ ନିଛାଟିଆ ସ୍ଥାନକୁ ଡ଼ାକି ତାଙ୍କ ବାଇକ, ମୋବାଇଲ ସହ ନଗଦ ଟଙ୍କା ଛଡ଼ାଇ ଚମ୍ପଟ ମାରିଥିଲେ। ଏ ସମ୍ପର୍କରେ ବ୍ୟକ୍ତି ଜଣକ ଗତ ଜୁଲାଇ ୧୩ରେ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପରେ ସେଠାକାର ପୁଲିସ ଘଟଣାର ଖୋଳତାଡ଼ କରି ଗତ ୨୫ତାରିଖରେ ନୀଳଗିରିରେ ପହଞ୍ଚିଥିଲା। ନୀଳଗିରି ଥାନା ଅନ୍ତର୍ଗତ ଧୋବଶିଳା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ଘରେ ଏହି ଚୋରା ଗାଡ଼ିଟି ରହିଥିବା ଜାଣି ନୀଳଗିରି ପୁଲିସ ସହାୟତାରେ ମାହାଙ୍ଗା ପୁଲିସ ଉକ୍ତ ବାଇକ(ଓଡି ୦୪ଏମ ୬୭୪୭)କୁ ଜବତ କରିଥିଲା। ତେବେ ନୀଳଗିରି ଓ ଆଖପାଖ ଅଞ୍ଚଳରେ ହୋଇଥିବା ବାଇକ ଚୋରି ଘଟଣା ଉପରେ ସ୍ଥାନୀୟ ଆଇଆଇସି ନଳିତା ମୋଦୀ ଗୁରୁତ୍ୱଦେଇ ତନାଘନା ଜାରି ରଖିବା ପରେ ଏହି ରାକେଟକୁ ଧରିବାରେ ସଫଳ ହୋଇଛନ୍ତି। ନୀଳଗିରି ଥାନା ଧୋବଶିଳା ଗାଁର ଭାଲୁ ଓରଫ ଉମାକାନ୍ତ ସଙ୍କୁ (୨୫)ଙ୍କୁ ଶୁକ୍ରବାର ଗିରଫ କରି ତା’ଠାରୁ ୩ଟି ଚୋରା ବାଇକ ଜବତ କରିଛି। ସେହିପରି ଶୁକ୍ରବାର ରାତିରେ ଆଇଆଇସିଙ୍କ ସମେତ ଏସଆଇ ବାସୁଦେବ ଜୟସିଂ ପ୍ରମୁଖ ସଦଳବଳ ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ କାନପୁର ଗାଁର ପ୍ରଫୁଲ୍ଲ ମଲିକ(୩୫)କୁ ଗିରଫ କରିଛନ୍ତି। ପ୍ରଫୁଲ୍ଲଙ୍କ ଶ୍ୱଶୁର ଘର ଧୋବଶିଳା ଗାଁରେ ବୋଲି ଜଣାଯାଇଛି। ସେ ଏଠାକୁ ଆସି ବାଇକ ଚୋରି ଯୋଜନାର ବ୍ଲୁ-ପ୍ରିଣ୍ଟ କରିବା ପରେ ବିଭିନ୍ନ ସ୍ଥାନରେ ବାଇକ ଚୋରି ହେଉଥିଲା। କଟକ, ଭୁବନେଶ୍ୱର ଅଞ୍ଚଳରୁ ବାଇକ ଚୋରି କରି ବାଲେଶ୍ୱର ଜିଲାର ବିଭିନ୍ନ ଅଞ୍ଚଳରେ ଶାଗମାଛ ଦରରେ ବିକ୍ରି ହେଉଥିଲା। ଏପକରି କି ଏହି ଅଞ୍ଚଳରୁ ବାଇକ ଚୋରି କରି କୋଲକାତା ଓ ଅନ୍ୟ ଅଞ୍ଚଳକୁ ଚାଲାଣ କରାଯାଉଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ପ୍ରଫୁଲ୍ଲଠାରୁ ମଧ୍ୟ ୩ଟି ବାଇକ ଜବତ କରାଯାଇଛି। ଏହି ରାକେଟରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସ ଯୋଜନା ଚଳାଇଛି।

Comments are closed.